ଓଡିଶା

କର୍ତ୍ତବ୍ୟ ପୁରୁଷ ଥିଲେ ଶିବରାମ ମହାପାତ୍ର: ମୋହନ ଭାଗବତ

ଭୁବନେଶ୍ବର: ଶିବରାମ ମହାପାତ୍ରଙ୍କୁ ଦେଖିଲେ ଲାଗୁଥିଲା ସେ ଜଣେ ଅତ୍ୟନ୍ତ ଶାନ୍ତ ସ୍ବଭାବର। କମ୍‌ କଥା ଓ ହସ ହସ ଚେହେରାର ଜଣେ ମଣିଷ। ହେଲେ ତାଙ୍କ ଭିତରେ ପ୍ରଚଣ୍ଡ ଶକ୍ତି ଭରି ରହିଥିଲା। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ପ୍ରାନ୍ତ ସଂଘ ଚାଳକ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ସେ ରହିଥିଲେ। ଜଣେ ରାଷ୍ଟ୍ରଭକ୍ତ ସ୍ବୟଂସେବକ, କାର୍ଯ୍ୟକର୍ତ୍ତା ଓ ସଂଘ ଚାଳକ କେମିତି ହେବା ଦରକାର ସେ ଥିଲେ ତା’ର ବଡ଼ ଉଦାହରଣ। ସେ ଜଣେ କର୍ତ୍ତବ୍ୟ ପୁରୁଷ ଥିଲେ। ଜୟଦେବ ଭବନରେ‌ ଅନୁଷ୍ଠିତ ଶିବରାମ ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ରାଷ୍ଟ୍ରୀୟ ସଂଘ ଚାଳକ ମୋହନ ଭାଗବତ ଏହା କହିଛନ୍ତି।

ଡ. ଅନୀଲ କୁମାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ପୂର୍ବପ୍ରାନ୍ତ ସଂଘ ଚାଳକ ସମୀର କୁମାର ମହାନ୍ତି ଯୋଗଦେଇ କହିଲେ, ୧୯୭୮ ମସିହାରେ ସଂଘରେ ନୂଆ କରି କାମ କରିବା ସମୟରେ ଶ୍ରୀ ମହାପାତ୍ରଙ୍କ ସହ ଭେଟ ହୋଇଥିଲା। ତାଙ୍କର ସରଳ ପ୍ରକୃତି ଓ କଥାରେ ସଂସ୍କାର ମୋ ଭଳି ଅନେକ କାର୍ଯ୍ୟକର୍ତ୍ତାଙ୍କୁ ତାଙ୍କ ପ୍ରତି ଆକର୍ଷିତ କରିଥିଲା। କ୍ଷେତ୍ର ପ୍ରଚାରକ ପ୍ରମୁଖ ପ୍ରସନ୍ନ କୁମାର ମିଶ୍ର କହିଲେ ଶିବରାମ ମହାପାତ୍ର ସାହିତ୍ୟ ସୃଷ୍ଟି ପ‌ାଇଁ ବ୍ରହ୍ମପୁର ଅଞ୍ଚଳରେ ପରିଚିତ ଥିଲେ। ତେଣୁ ‌ସେ ସଂଘରେ ଯୋଗଦେବା ପରେ ବ୍ରହ୍ମପୁରବାସୀ ସଂଘ ପ୍ରତି ଆକୃଷ୍ଟ ହୋଇଥିଲେ। ଜୀବନବ୍ୟାପୀ ସଂଘର ଜଣେ ନିଷ୍ଠାପର କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

କ୍ଷେତ୍ର ଆବାହକ ଦୁର୍ଗାପ୍ରସାଦ ସାହୁ କହିଲେ, ‘ଶ୍ରଦ୍ଧାକ୍ଷେତ୍ର ପ୍ରତି ଅଖଣ୍ଡ ବିଶ୍ବାସ ରହିବା ଦରକାର’, ‘ଯିଏ ଯେଉଁ କାମ କରୁଛ ତାହା ଭାରତ ମାତା ପାଇଁ ସମର୍ପିତ କର’। କିଛି ଏମିତି କଥା କହି ସ୍ବର୍ଗତ ମହାପାତ୍ର କାର୍ଯ୍ୟକର୍ତ୍ତାଙ୍କୁ ପ୍ରେରଣା ଦେଉଥିଲେ। ସଦ୍‌ଭାବନା ପ୍ରମୁଖ ଗୋପାଳ ପ୍ରସାଦ ମହାପାତ୍ର କହିଲେ, ସେ ଜଣେ ଆଦର୍ଶ ଗୃହସ୍ଥ ଥିଲେ। ତାଙ୍କୁ ସମସ୍ତେ ବଡ଼ ଭାଇନା ବୋଲି ଡାକୁଥିଲେ। ଠିକ୍‌ ସେହିପରି ସଂଘରେ ମଧ୍ୟ ସେ ବଡ଼ ଭାଇର ଭୂମିକା ନିର୍ବାହ କରୁଥିଲେ। ପୂର୍ବତନ ଉତ୍କଳ ପ୍ରାନ୍ତ ସଂଘ ଚାଳକ ଅଶୋକ ଦାସ ସ୍ବର୍ଗତ ମହାପାତ୍ରଙ୍କ ସହ ବିତିଥିବା ମୁହୂର୍ତ୍ତକୁ ମନେ ପକାଇଥିଲେ। କ୍ଷେତ୍ର ସଂଘଚାଳକ ଡ. ଜୟନ୍ତ ରାୟଚୌଧୁରୀ, ସହପ୍ରାନ୍ତ ସଂଘ ଚାଳକ ମନସୁଖଲାଲ ସେଠିଆ, ମହାନଗର ସଂଘ ଚାଳକ ଶ୍ରୀନିବାସ ମାନସିଂ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ କଟକ ତେଲେଙ୍ଗାପେଣ୍ଠ ଅନନ୍ତ ବଳିଆ ବୈଦିକ ବିଦ୍ୟାପୀଠମ୍‌ର ବିଦ୍ୟାର୍ଥୀମାନଙ୍କ ଦ୍ବାରା ବେଦପାଠ କରାଯାଇଥିଲା। ଏଥି ସହ ଅତିଥିମାନଙ୍କ ଦ୍ବାରା ଏକ ସ୍ମୃତି ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଦଳର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button