ଓଡିଶା

ବନ୍ଧୁକମୁନରେ ନିଶା ମାଫିଆକୁ ଉଠାଇଲା ଏନ୍‌ସିବି: ଘର କେନ୍ଦୁଝର, ରାଜଧାନୀରେ ଗଞ୍ଜେଇ ବେପାର

ଭୁବନେଶ୍ବର: ରାଜଧାନୀର ସତ୍ୟବିହାର ଅଞ୍ଚଳରୁ ଫିଲ୍ମ ଶୈଳୀରେ କୁଖ୍ୟାତ ନିଶା ମାଫିଆ ବିନୋଦ ବିହାରୀ ସାହୁକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ସିବି) ଉଠାଇନେଇଛି। ମୁମ୍ବାଇ ନିଶା କାରବାର ଲିଙ୍କ୍ରେ ତାକୁ ଉଠାଯାଇଥିବା ଏନ୍ସିବି ସୂତ୍ରରୁ ଜଣାପଡିଛି। କେନ୍ଦୁଝର ଅଞ୍ଚଳର ବିନୋଦ ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅଧୀନ ସତ୍ୟବିହାର ଅଞ୍ଚଳରେ ଏକ ଭଡ଼ାଘରେ ରହି ଗଞ୍ଜେଇ ବେପାର କରୁଥିଲା।

ଫୁଲବାଣୀରୁ ଗଞ୍ଜେଇ ଆଣି ସେ ଓ଼ଡ଼ିଶା ସମେତ ଅନ୍ୟ ରାଜ୍ୟକୁ ପଠାଉ ଥିବା ଏନ୍ସିବିକୁ ସୂଚନା ମିଳିଛି। ତା’ ଭଡ଼ାଘରୁ ୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ ହୋଇଛି। ପାନ ଦୋକାନ କରିବା ଆଳରେ ସେ ଏକ ବଡ଼ ଧରଣର ଗଞ୍ଜେଇ ନେଟ୍ଵର୍କ ଚଳାଇଥିବା ପ୍ରମାଣ ରହିଛି। ଆଜି ବିନୋଦକୁ ତା’ ଦୋକାନ ଭିତରୁ ସାଦାପୋଷାକଧାରୀ ତଦନ୍ତକାରୀ ଟିମ୍ ବନ୍ଧୁକମୁନରେ ଉଠାଇ ନେଇଥିଲେ, ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା। ବନ୍ଧୁକ ଦେଖାଇ ଜଣେ ଯୁବକକୁ ଅଜଣା ଦୁର୍ବୃତ୍ତ ଉଠାଇନେଲେ ବୋଲି ଖବର ପ୍ରଚାରିତ ହୋଇଥିଲା।

ଘର କେନ୍ଦୁଝର, ରାଜଧାନୀରେ ଗଞ୍ଜେଇ ବେପାର
ପାନ ଦୋକାନ ଅାଳରେ ମୁମ୍ବାଇ ପର୍ଯ୍ୟନ୍ତ ନେଟ୍ୱର୍କ
୧୧ ମାସରେ ଏନ୍ସିବି କବ୍ଜାରେ ୧୯ ନିଶା ମାଫିଆ

ବିନୋଦ ରାଜଧାନୀ ଭୁବନେଶ୍ବରରୁ ମୁମ୍ବାଇ ପର୍ଯ୍ୟନ୍ତ ନିଶା କାରବାରର ଏକ ଲମ୍ବା ନେଟ୍ଵର୍କ ଚଳାଇଥିଲା। ପୁଲିସ ଓ ଲୋକଙ୍କ ଆଖିରେ ଧୂଳି ଦେବାପାଇଁ ସତ୍ୟବିହାର ଅଞ୍ଚଳରେ ସେ ଏକ ପାନଦୋକାନ କରିଥିଲା। ଭଡ଼ାଘରେ ରହି ବହୁଦିନ ଧରି ଗଞ୍ଜେଇ କାରବାର କରୁଥିଲେ ହେଁ ଘର ମାଲିକ ବି ତା’ର ଟେର୍ ପାଇନଥିଲେ। ବିନୋଦ ପୂର୍ବରୁ କେତେଥର ଓଡ଼ିଶା ପୁଲିସ ଦ୍ବାରା ଧରାପଡ଼ିଛି, ଏନ୍ସିବି ଏହି ତଥ୍ୟ ମାଗିଛି। ଫୁଲବାଣୀର କିଏ ବିନୋଦକୁ ଗଞ୍ଜେଇ ଯୋଗାଉଥିଲା, ସେ ଗଞ୍ଜେଇ କେଉଁଠୁ ସଂଗ୍ରହ କରାଯାଉଥିଲା, ଭୁବନେଶ୍ବରକୁ କିପରି ଗଞ୍ଜେଇ ଆସୁଥିଲା ଏବଂ ତା’ପରେ ଓଡ଼ିଶାର କେଉଁଆଡେ ଯାଉଥିଲା, ତାହା ମୁମ୍ବାଇରେ କେମିତି ପହଞ୍ଚୁଥିଲା, ତା’ର ଖୋଳତାଡ଼ ଜାରି ରହିଛି। ଏନ୍ସିବି ଆସିଷ୍ଟାଣ୍ଟ ଡାଇରେକ୍ଟର କୁଲଦୀପ ଶର୍ମା କହିଛନ୍ତି, ନିଶା ମାଫିଆ ବିନୋଦ ବାବଦରେ ସେମାନଙ୍କ ପାଖରେ ଗୁଇନ୍ଦା ତଥ୍ୟ ରହିଥିଲା। ତାକୁ ଧରିବାକୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଟ୍ରାକିଂରୁ ଜଣାପଡ଼ିଥିଲା ଯେ ବିନୋଦ ସତ୍ୟବିହାର ଅଞ୍ଚଳରେ ରହି ଏହି କାରବାର କରୁଛି।

ଆଜି ସାଦାପୋଷାକରେ ଟିମ୍ ତା’ ଘର ଚାରିପଟେ ଛପି ରହିଥିଲେ। ବିନୋଦ ଘରୁ ବାହାରି ପାଖରେ ଥିବା ତା’ ପାନ ଦୋକାନରେ ବସିବା ପରେ ପ୍ରଥମେ ଦୁଇଜଣ ଟିମ୍ ସଦସ୍ୟ ସ୍କୁଟିରେ ତା’ ନିକଟକୁ ଯାଇଥିଲେ। ସେମାନେ କଥାବାର୍ତ୍ତା କରୁଥିବା ଭିତରେ ଆଉ କିଛି ସଦସ୍ୟ ସେଠାରେ ପହଞ୍ଚିଥିଲେ। ସମସ୍ତେ ମିଶି ହଠାତ୍ ତା’କୁ ମାଡ଼ି ବସିଥିଲେ। ବିନୋଦ ମୁଣ୍ଡରେ ବନ୍ଧୁକ ଲଗାଇବା ପରେ ସେ ହଡ଼ବଡ଼େଇ ଯାଇଥିଲା। ଆଖପାଖରେ ଥିବା ଲୋକେ ମଧ୍ୟ ଭୟରେ ପାଟି ଫିଟାଇ ନଥିଲେ। ସମସ୍ତେ ଅବାକ୍ ଥିବା ଭିତରେ ବନ୍ଧୁକ ମୁନରେ ତଦନ୍ତକାରୀ ଟିମ୍ ତାକୁ ଟେକି ନେଇଥିଲେ। ଉଲ୍ଲେଖନୀୟ ଯେ କିଛିଦିନ ତଳେ ମୁମ୍ବାଇ ଲିଙ୍କ୍ରେ ଗଞ୍ଜାମ ଜିଲ୍ଲାରୁ ନିଶା ମାଫିଆ ନୀଲୁ ପ୍ରଧାନକୁ ଗିରଫ କରାଯାଇଥିଲା। ମୁମ୍ବାଇରେ ଗିରଫ ହୋଇଥିବା ୩ଜଣ ଗଞ୍ଜେଇ ମାଫିଆଙ୍କ ଠାରୁ ନୀଲୁ ସଂପର୍କରେ ସୂଚନା ମିଳିଥିଲା। ଗଲା ୧୧ ମାସ ଭିତରେ ଏନ୍ସିବି ୧୯ ଜଣ ନିଶା ମାଫିଆଙ୍କୁ ଓଡ଼ିଶାରୁ ଗିରଫ କରିସାରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button