କ୍ରୀଡା

ବିଶ୍ବକପ୍ ଯୋଗୁଁ ଲାଭରେ ରହିବ ଭାରତୀୟ ଅର୍ଥନୀତି, ଆସିବ ୨୨,୦୦୦ କୋଟି – Utkal Mail


ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ବିଶ୍ବ କ୍ରିକେଟର ମହାକୁମ୍ଭ ଆଇସିସି ବିଶ୍ବକପ୍ କ୍ରିକେଟ୍ । ଆସନ୍ତା ୫୦ ଦିନ ପର୍ଯ୍ୟନ୍ତ କ୍ରିକେଟ ଜ୍ବରରେ ପୀଡ଼ିତ ରହିବ ଭାରତ । ତେବେ ବିଶ୍ବକପ କେବଳ କ୍ରିକେଟପ୍ରେମୀ ନୁହନ୍ତି, ସମଗ୍ର ଭାରତୀୟ ଅର୍ଥନୀତି ପାଇଁ ଶୁଭଙ୍କର ସାବ୍ୟସ୍ତ ହେବାକୁ ଯାଉଛି ।

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ବରୋଦା ଆଇସିସି କ୍ରିକେଟ ବିଶ୍ୱକପ୍ କୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ବିଶ୍ୱକପ୍ କାରଣରୁ ଭାରତର ଅର୍ଥନୀତି (ଜିଡିପି)କୁ ୨୨,୦୦୦ କୋଟି ଟଙ୍କା ବା ୨.୬୫ ବିଲିୟନ ଡଲାରର ବୁଷ୍ଟର ଡୋଜ୍ ମିଳିବ ବୋଲି ରିପୋର୍ଟ କହିଛି ।

ବ୍ୟାଙ୍କ ଅଫ୍ ବରୋଦାର ଅର୍ଥନୀତିଜ୍ଞ ଜାହ୍ନବୀ ପ୍ରଭାକର ଓ ଅଦିତି ଗୁପ୍ତା ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ରିପୋର୍ଟ ଅନୁଯାୟୀ ଦେଶର ୧୦ଟି ସ୍ଥାନରେ ଥିବା ଷ୍ଟାଡିୟମରେ ଅତି କମରେ ୨୫ ଲକ୍ଷ ଲୋକ ୪୮ଟି ମ୍ୟାଚ୍ ଲାଇଭ୍ ଦେଖିବେ। ଏହା ସହିତ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ନିଜ ଘରେ ବସି ମ୍ୟାଚକୁ ଉପଭୋଗ କରିବେ। ଏହି ବିଶ୍ବସ୍ତରର ଟୁର୍ଣ୍ଣାମେଣ୍ଟ ଆୟୋଜନ ସିଧାସଳଖ ଅର୍ଥନୀତିକୁ ଫାଇଦା ଦେଇଥାଏ।

ଏହି ୨୨ ହଜାର କୋଟି ମଧ୍ୟରୁ ସର୍ବାଧିକ ୧୨ ହଜାର କୋଟି ଟିଭି ପ୍ରସାରଣ ଅଧିକାର, ପ୍ରାୟୋଜକମାନଙ୍କଠାରୁ ଆସିବ । ସେହିପରି ସ୍କ୍ରିନିଂ ଓ ଫୁଡ ଡେଲିଭରି କ୍ଷେତ୍ରରୁ ୫ ହଜାର କୋଟି, ଟିକେଟ ବିକ୍ରି ବାବଦରୁ ୨୨୦୦ କୋଟି, ବିଦେଶୀ ପର୍ଯ୍ୟଟକଙ୍କ ମାଧ୍ୟମରେ ୬୦୦ କୋଟି ଇଭେଣ୍ଟ ମ୍ୟାନେଜମେଣ୍ଟ କ୍ଷେତ୍ରରୁ ୧୦୦୦ କୋଟି ଆସିବ ବୋଲି ରିପୋର୍ଟରେ କୁହାଯାଇଛି ।

କେବଳ ବିଶ୍ବକପ ନୁହେଁ, ପାର୍ବଣ ଋତୁ ମଧ୍ୟ ଭାରତୀୟ ଅର୍ଥନୀତି ପାଇଁ ଏକ ଭଲ ସମୟ ନେଇ ଆସୁଛି । ଏହି ଦୁଇଟି ଘଟଣା କାରଣରୁ ଦେଶର ଜିଡିପି ଅଭିବୃଦ୍ଧି ଆହୁରି ଗତିଶୀଳ ହେବା ଆଶା କରାଯାଉଛି ।




Related Articles

Leave a Reply

Your email address will not be published. Required fields are marked *

Back to top button