ଶ୍ରେଷ୍ଠ ୫ଟି ରାଜ୍ୟ ଭିତରେ ରହିବା ପାଇଁ ଓଡ଼ିଶାର ଲକ୍ଷ୍ୟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଷୋଡ଼ଶ ଅର୍ଥ କମିସନ ଡ଼କ୍ଟର ଅରବିନ୍ଦ ପାନଗେରିୟାଙ୍କର ବୈଠକ ହୋଇଛି । ସାକ୍ଷାତ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ଯେ, ଅର୍ଥ କମିସନଙ୍କ ସହିତ ହୋଇଥିବା ବୈଠକରେ ରାଜ୍ୟର ଆର୍ଥିକ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। କମିସନଙ୍କ ନିକଟରେ ବିକଶିତ ଓଡ଼ିଶା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି ।
ଅର୍ଥ କମିସନଙ୍କ ନିକଟରେ ହୋଇଥିବା ଦାବି ରାଜ୍ୟ ସରକାରଙ୍କ ୨୦୨୬-୨୦୩୧ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଏହା ପ୍ରତିଫଳିତ ହେବାର ଆଶା ରହିଛି ବୋଲି ଅର୍ଥ ବିଶେଷଜ୍ଞ ମତପୋଷଣ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅର୍ଥ କମିସନଙ୍କ ନିକଟରେ ମୋଟ ୧୨ ଲକ୍ଷ ୫୯ ହଜାର ୧୪୮ କୋଟି ଟଙ୍କାର ଦାବି ଉପସ୍ଥାପନ କରାଯାଇଛି । ପୂର୍ବ ଅପେକ୍ଷା ଅଧିକ ଆର୍ଥିକ ସହାୟତା ଆସିବ ବୋଲି ଆଶା ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତର ଶ୍ରେଷ୍ଠ ୫ଟି ରାଜ୍ୟ ଭିତରେ ରହିବା ପାଇଁ ଓଡ଼ିଶାର ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଦାବିରେ ସହରୀକରଣ, କୃଷି ଓ ଗ୍ରାମ୍ୟ ଉନ୍ନୟନ, ଏମଏସଏମଇ, ବନ୍ଦର ଆଧାରିତ ଅର୍ଥନୀତି, ଦକ୍ଷତା ବିକାଶ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି। ଏହା ସହ ୪ କୋଟି ୭୦ ଲକ୍ଷ ଲୋକଙ୍କୁ ଆଧାର କରି ସମୃଦ୍ଧ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି ।
କେନ୍ଦ୍ର ସରକାରଙ୍କ ଟିକସ ଆୟରୁ ୪୧ ପ୍ରତିଶତ ରାଜ୍ୟମାନଙ୍କୁ ବଣ୍ଟନ କରାଯାଉଛି । ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଦାବି ରଖାଯାଇଛି । ଉଭୟ ଲିଖିତ ଓ ବକ୍ତବ୍ୟ ମାଧ୍ୟମରେ ରାଜ୍ୟର ଦାବି ମୁଖ୍ୟମନ୍ତ୍ରୀ ଅର୍ଥ କମିସନଙ୍କ ନିକଟରେ ରଖିଛନ୍ତି ।
କେନ୍ଦ୍ର ଟିକସର ରାଜ୍ୟ ମାନଙ୍କୁ ନିର୍ଦ୍ଧାରିତ ସୂତ୍ରରେ ବଣ୍ଟନ କରାଯାଇଥାଏ । ଓଡ଼ିଶାର ୪.୫୨୮ ପ୍ରତିଶତ ଭାଗ ଓଡ଼ିଶା ପାଇଥାଏ । ଏହାକୁ ୪.୯୬୪ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି ଉପସ୍ଥାପନ କରାଯାଇଛି । ମୋଟ ରାଜସ୍ୱ ପ୍ରାପ୍ତିର ୨ ପ୍ରତିଶତ ଗ୍ରାମୀଣ ଓ ସହରାଞ୍ଚଳ ପାଇଁ ସ୍ଥିର କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।


