ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ବିରୋଧୀଙ୍କ ‘ଅବିଶ୍ବାସ ପ୍ରସ୍ତାବ’ ଖାରଜ
ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବିରୋଧରେ ବିରୋଧୀ ଇଣ୍ଡି-ମେଣ୍ଟ ‘ଅବିଶ୍ବାସ ପ୍ରସ୍ତାବ’ ଆଗତ କରିଥିଲେ। ପ୍ରସ୍ତାବ ଉପସ୍ଥାପନରେ ଆବଶ୍ୟକ ନିୟମ ପାଳନ କରାଯାଇନଥିବା ଓ ଜଗଦୀପ ଧନଖଡ଼ଙ୍କ ନାମ ଭୁଲରେ ଲେଖାଯାଇଥିବାରୁ ଖାରଜ କରାଯାଇଛି। ଆଜି, ରାଜ୍ୟସଭାରେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ‘ଅବିଶ୍ବାସ ପ୍ରସ୍ତାବ’ର ପ୍ରତିକ୍ରିୟା ରଖିଥିଲେ। ସେ କହିଛନ୍ତି, ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବିଧାରୀଙ୍କ ବିରୋଧରେ ଅପପ୍ରଚାର ଉଦ୍ଦେଶ୍ୟରେ ଏହି ପ୍ରସ୍ତାବଟି ଆଗତ କରାଯାଇଛି। ଆଗତ କରିବା ପରେ ବିରୋଧୀ ଦଳ ବାହାରେ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛନ୍ତି। ଅଧ୍ୟକ୍ଷଙ୍କ ବିରୋଧରେ ବିଷୋଦ୍ଗାର କରିଛନ୍ତି।
ଏହାଦ୍ବାରା ରାଜ୍ୟସଭାର ମର୍ଯ୍ୟାଦା ଓ ପରମ୍ପରା ଭଙ୍ଗ ହୋଇଚି। ପ୍ରସ୍ତାବ ଖାରଜର କାରଣ ଦର୍ଶାଇ ହରିବଂଶ କହିଛନ୍ତି, ନିୟମାନୁସାରେ, ପ୍ରସ୍ତାବ ନିମନ୍ତେ ୧୪ ଦିନ ଆଗୁଆ ବିଜ୍ଞପ୍ତି ଦେବା କଥା, ଯାହା ବର୍ତ୍ତମାନ କ୍ଷେତ୍ରରେ ଦିଆଯାଇନାହିଁ। ଅଧ୍ୟକ୍ଷଙ୍କ ନାମରେ ମଧ୍ୟ ଠିକ୍ ଭାବେ ଲେଖାଯାଇନାହିଁ। ଏହା ବ୍ୟତୀତ ଗୋଟିଏ ନିୟମ କେବଳ ପାଳନ କରାଯାଇଛି, ଗତସପ୍ତାହରେ ଉପସ୍ଥାପିତ ଏହି ପ୍ରସ୍ତାବରେ ୬୦ ଜଣ ସାଂସଦ ସ୍ବାକ୍ଷର କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟସଭାର ଇତିହାସରେ ପ୍ରଥମ ଥର ନିମନ୍ତେ ଅଧ୍ୟକ୍ଷଙ୍କୁ ହଟାଇବା ନିମନ୍ତେ ବିରୋଧୀ ଦଳ ‘ଅବିଶ୍ବାସ’ ପ୍ରସ୍ତାବ ଆଗତ କରିଛନ୍ତି। ସମ୍ବିଧାନର ଧାରା ୬୭(ଖ) ଅନୁସାରେ ଉପସ୍ଥାପିତ ହୋଇଥିବା ଏହି ପ୍ରସ୍ତାବରେ ‘ଅଧ୍ୟକ୍ଷ ନିରପକ୍ଷେପ ନଥିବା’ ଓ ଶାସକ ଦଳର ପକ୍ଷଭୁକ୍ତ ରହୁଥିବା ଅଭିଯୋଗ କରାଯାଇଥିଲା।