ଜର୍ମାନୀରେ କାର୍ ଆକ୍ରମଣ, ୫ ମୃତ: ୨୦୦ ଆହତ, ସାଉଦି ଡାକ୍ତର ଗିରଫ
ବର୍ଲିନ୍: ଜର୍ମାନୀ ଖ୍ରୀଷ୍ଟମାସ ବଜାରର ଭିଡ଼ ଭିତରକୁ ଏକ କାର୍ ଧସେଇ ପଶିବାରୁ ଅତି କମ୍ରେ ୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି କାର୍ ଆକ୍ରମଣ ମାମଲାରେ ଜର୍ମାନୀ ପୁଲିସ ଜଣେ ସାଉଦି ଡାକ୍ତରଙ୍କୁ ଗିରଫ କରିଛି। ବର୍ଲିନ୍ଠାରୁ ପ୍ରାୟ ୧୩୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ପୂର୍ବ ସହର ମାଗ୍ଡେବର୍ଗରେ ଏହି ଘଟଣା ଘଟିଛି।
ଆଞ୍ଚଳିକ ପ୍ରଶାସନ ମୁଖ୍ୟ ରେନର୍ ହାସେଲଫ୍ କହିଛନ୍ତି ଯେ ସନ୍ଦିଗ୍ଧ ଜଣକ ସାଉଦି ଆରବର ଜଣେ ୫୦ ବର୍ଷୀୟ ଡାକ୍ତର, ଯିଏ କି ପୂର୍ବ ରାଜ୍ୟ ସାକ୍ସନି-ଆନହାଲ୍ଟରେ ୨୦୦୬ରୁ ରହୁଥିଲେ। ଏହି ଆକ୍ରମଣକୁ ସହର ଓ ଦେଶ ପାଇଁ ବିପର୍ଯ୍ୟୟ ବୋଲି କହି ସେ ନିନ୍ଦା କରିଛନ୍ତି। ଜର୍ମାନୀରେ ରହୁଥିବା ସମ୍ପୃକ୍ତ ସାଉଦି ଡାକ୍ତରଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ଆମେ ଯାହା ଜାଣିଛୁ, ସେ ଏକମାତ୍ର ଆକ୍ରମଣକାରୀ ଥିଲେ। ତେଣୁ ଆମେ ଭାବୁନାହୁଁ ଯେ ଆଉ କୌଣସି ବିପଦ ଅଛି। ତେବେ କାର୍କୁ ଅସ୍ତ୍ର ଭାବେ ବ୍ୟବହାର କରି ହୋଇଥିବା ଆକ୍ରମଣ ନେଇ ସହରରେ ଆତଙ୍କ ଖେଳିଯାଇଛି ଏବଂ ବିଭିନ୍ନ ଅଂଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସହରର ସେଣ୍ଟ୍ରାଲ ଟାଉନ ହଲ୍ ଛକରେ ଗାଡ଼ିଟି ଖ୍ରୀଷ୍ଟମାସ ମାର୍କେଟ ଭିତରକୁ ଅତି କମ୍ରେ ୪୦୦ ମିଟର ପ୍ରବେଶ କରିଥିଲା ଏବଂ ବାଟରେ ବହୁ ଲୋକଙ୍କୁ ମୃତାହତ କରିପକାଇଥିଲା ବୋଲି ପୁଲିସ କହିଛି।