ଦେଶ ବିଦେଶ

ମୁମ୍ବାଇ ନୌକା ଦୁର୍ଘଟଣା: ପିଲାଙ୍କୁ ସମୁଦ୍ରକୁ ଫିଙ୍ଗିବାକୁ ଉଦ୍ୟମ କରୁଥିଲେ ଅଭିଭାବକ

ମୁମ୍ବାଇ: ଡିସେମ୍ବର ୧୮ରେ ମୁମ୍ବାଇରେ ଡଙ୍ଗା ବୁଡ଼ିବା ଘଟଣା ନେଇ କେତେକ ଛାତିଥରା ତଥ୍ୟ ସାମ୍ନାକୁ ଆସିଛି। ଡଙ୍ଗା ବୁଡ଼ୁଥିବା ବେଳେ ପର୍ଯ୍ୟଟକ-ଡଙ୍ଗାରେ ଥିବା ଆତଙ୍କିତ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଯେ କୌଣସି ପ୍ରକାରେ ରକ୍ଷା କରିବାକୁ ସମୁଦ୍ର ଜଳରେ ଫିଙ୍ଗିଦେବାକୁ ଚିନ୍ତା କରୁଥିଲେ, କିନ୍ତୁ ସିଆଇଏସ୍‌ଏଫ୍‌ ସାମୁଦ୍ରିକ କମାଣ୍ଡୋଙ୍କ ଏକ ଟିମ୍ ସମସ୍ତେ ରକ୍ଷା ପାଇବେ ବୋଲି ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଅଟକାଇଥିଲେ।ଡିସେମ୍ବର ୧୮ରେ ଘଟିଥିବା ଦୁର୍ଘଟଣା ପରେ ସିଆଇଏସ୍‌ଏଫ୍‌ କନଷ୍ଟେବଳ ଅମୋଲ ସାୱନ୍ତ (୩୬) ଓ ତାଙ୍କର ଦୁଇ ସହଯୋଗୀ ପ୍ରଥମେ ଉଦ୍ଧାର ପାଇଁ ପହଞ୍ଚିଥିଲେ। ଅପରାହ୍ଣ ପ୍ରାୟ ୪ଟା ବେଳେ ସେମାନଙ୍କର ପାଟ୍ରୋଲିଂ ଡଙ୍ଗା ମୁମ୍ବାଇ ଉପକୂଳରେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ସେମାନେ ପିଲାମାନଙ୍କ ସମେତ ସବୁଠାରୁ ଅସୁରକ୍ଷିତ ଲୋକଙ୍କୁ ପ୍ରଥମେ ବଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ।

ବୁଧବାର ଅପରାହ୍ଣରେ ମୁମ୍ବାଇର ଗେଟ୍ ୱେ ଅଫ୍ ଇଣ୍ଡିଆରୁ ଏଲିଫ୍ୟାଣ୍ଟା ଦ୍ୱୀପ ଅଭିମୁଖେ ଯାଉଥିବା ଡଙ୍ଗା ନୌସେନାର ଏକ ପର୍ଯ୍ୟଟନ ଡଙ୍ଗା ‘ନୀଲ କମଲ’କୁ ଧକ୍କା ଦେବାରୁ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ୱାକି-ଟକି ମାଧ୍ୟମରେ ସୂଚନା ମିଳିବା ପରେ ସାୱନ୍ତ ତାଙ୍କ ଟିମ୍ ସହ ଉଦ୍ଧାର ପାଇଁ ପହଞ୍ଚିଥିଲେ। ସେ କହିଛନ୍ତି, ଆମେ ଦେଖିଲୁ ଲୋକମାନେ ବୁଡ଼ିଯାଉଥିବା ଡଙ୍ଗାରୁ ପିଲାମାନଙ୍କୁ ରକ୍ଷା କରିବା ପାଇଁ ସେମାନଙ୍କୁ ସମୁଦ୍ର ପାଣିରେ ଫିଙ୍ଗିବାକୁ ପ୍ରସ୍ତୁତ ଅଛନ୍ତି। ମୁଁ ସେମାନଙ୍କୁ ଭୟଭୀତ ନ ହେବାକୁ ଏବଂ ଏପରି ନ କରିବାକୁ କହିଥିଲି। ନବୀ ମୁମ୍ବାଇର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍‌ଏଫ୍‌ ୟୁନିଟ୍‌ରେ କାର୍ଯ୍ୟରତ ଏହି ଯବାନ କହିଛନ୍ତି ଯେ ସେମାନେ ପ୍ରଥମ ଥରରେ ପ୍ରାୟ ୬-୭ ଜଣ ଶିଶୁଙ୍କୁ ଓ ପରେ ମହିଳା ଓ ପୁରୁଷଙ୍କ ସମେତ ୫୦-୬୦ ଜଣ ଲୋକଙ୍କୁ ଉଦ୍ଧାର କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button