ଦେଶ ବିଦେଶ

ଉତ୍ତର ଭାରତରେ ଶୀତଲହର: ଦିଲ୍ଲୀରେ ବାୟୁମାନ ପୁଣି ‘ଗୁରୁତର’

ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ଶୀତଲହର ପ୍ରକୋପ ଦେଖିବାକୁ ମିଳିଛି। ପ୍ରବଳ ଥଣ୍ଡା ଯୋଗୁଁ ବିଭିନ୍ନ ରାଜ୍ୟରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି।  ରବିବାର ସକାଳେ ଦିଲ୍ଲୀର  ବ୍ୟାପକ ଅଂଚଳରେ ଘନ କୁହୁଡ଼ି ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ସକାଳ ସାଢ଼େ ୫ଟାରେ ୮ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଦିଲ୍ଲୀରେ ତାପମାତ୍ରା ହ୍ରାସ ପାଉଥିବାରୁ ଲୋକମାନେ ଗରମ ରହିବା ପାଇଁ  ବିଭିନ୍ନ ଅଂଚଳରେ ନିଆଁ ଜଳାଇ ବସୁଥିବା ଦେଖିବାକୁ ମିଳିଛି। ବହୁସଂଖ୍ୟାରେ ବାହାରୁ ଆସିଥିବା ଶ୍ରମିକ  ରାତ୍ରି ଆଶ୍ରୟସ୍ଥଳୀରେ ରହୁଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ତଥ୍ୟ ଅନୁଯାୟୀ, ରବିବାର ସକାଳ ସାଢ଼େ ୮ଟାରେ ଦିଲ୍ଲୀର ସଫଦରଜଙ୍ଗ ଏବଂ ପାଲାମ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୭.୩ ଓ ୮.୮ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ରାଜସ୍ଥାନ, ପଞ୍ଜାବ ଓ ହିମାଚଳ ପ୍ରଦେଶରେ ଶୀତର ପ୍ରକୋପ ଲାଗି ରହିଥିବା ବେଳେ ତାପମାତ୍ରା ହ୍ରାସ ଯୋଗୁଁ ଦୈନନ୍ଦିନ ଜୀବନରେ ଏହାର ପ୍ରଭାବ ଦେଖିବାକୁ ମଳିଛି।

ଦିଲ୍ଲୀରେ ବାୟୁମାନ ପୁଣି ‘ଗୁରୁତର’
ବିଭିନ୍ନ ରାଜ୍ୟରେ  ଜନଜୀବନ ପ୍ରଭାବିତ

ଆଜି ସକାଳେ ଅଜମେର ସହରରେ ଘନ କୁହୁଡ଼ି ଅନୁଭୂତ ହୋଇଥିବା ବେଳେ  ତାପମାତ୍ରା ୧୧ ଡିଗ୍ରି ତଳକୁ ଖସିଆସିଛି ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ  ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ପୁଣି ‘ଗୁରୁତର’ ଶ୍ରେଣୀରେ ରହିଥିଲା। କୁହୁଡ଼ିର ପତଳା ସ୍ତର ଦୃଶ୍ୟମାନତାକୁ ସୀମିତ କରିଥିଲା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ସକାଳ ୭ଟାରେ ଏକ୍ୟୁଆଇ ୩୮୮ ରେକର୍ଡ କରାଯାଇଥିଲା ଏବଂ ସନ୍ଧ୍ୟାରେ ଏହା ୪୦୦ ଅତିକ୍ରମ କରିଛି। ଦିଲ୍ଲୀର ଆଇଟିଓରେ ୩୮୪, ଜବାହରଲାଲ ନେହେରୁ ଷ୍ଟାଡିୟମରେ ୩୭୨ ଏବଂ ଆଇଜିଆଇ ଏୟାରପୋର୍ଟ (ଟି୩)ରେ ୩୭୨ ରିଡିଂ ସହ ଏକ୍ୟୁଆଇ  ଅତି ଖରାପ ସ୍ତରରେ ରହିଛି। ବିଭିନ୍ନ ଅଞ୍ଚଳରେ ଏକ୍ୟୁଆଇ ‘ଗୁରୁତର’ ବର୍ଗରେ ରେକର୍ଡ କରାଯାଇଥିବା ବେଳେ ଅଲିପୁରରେ ୪୧୧, ଆନନ୍ଦ ବିହାରରେ ୪୨୭ ଏବଂ ଆରକେ ପୁରମ୍‌ରେ ୪୦୮ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button