ଓଡିଶା

ବଦଳିପାରେ ଅଙ୍ଗନବାଡ଼ି ଠିକଣା: ୨୦୨୫-୨୬ରେ ବିଦ୍ୟାଳୟକୁ ଯିବ ଶିଶୁ ବାଟିକା-୩

ଭୁବନେଶ୍ବର: ବଦଳିପାରେ ଅଙ୍ଗନବାଡ଼ି ଠିକଣା। ଗାଁ ଗହଳିରେ ଗଢ଼ି ଉଠିଥିବା ଅଙ୍ଗନବାଡ଼ିକୁ ବିଦ୍ୟାଳୟ ସହ ଯୋଡ଼ି ଦିଆଯିବ। ଏବେ ୨୧ ହଜାର ୧୭୯ଟି ପ୍ରାଥମିକ ବିଦ୍ୟାଳୟ କ୍ୟାମ୍ପସରେ ଅଙ୍ଗନବାଡ଼ି ରହିଛି। ଆଗାମୀ ଦିନରେ ସମସ୍ତ ଅଙ୍ଗନବାଡ଼ିକୁ ବିଦ୍ୟାଳୟ ସହ ଯୋଡ଼ାଯିବ। ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ୨୦୨୫-୨୬ ଶିକ୍ଷାବର୍ଷରେ ଅଙ୍ଗନାବଡ଼ିରେ ଥିବା ଶିଶୁ ବାଟିକା-୩କୁ ବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ସମୟରେ ଅଙ୍ଗନବାଡ଼ିରେ ଥିବା ଶିଶୁ ବାଟିକା-୧ ଓ ୨କୁ ବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁ ସରକାର ବିଚାର କରୁଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ସହ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜାତୀୟ ଶିକ୍ଷା ନୀତି-୨୦୨୦କୁ ନେଇ ଚାଲିଥିବା ରାଜ୍ୟସ୍ତରୀୟ କର୍ମଶାଳା ଅବସରରେ ବିଦ୍ୟା‌ଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ତିନି ଦିନିଆ ଜାତୀୟ କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ବିଦ୍ୟାଳୟ ଆମ ଏନ୍ତୁଡ଼ିଶାଳ। ତେଣୁ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ସହ ଗୁଣାତ୍ମକ ଶିକ୍ଷା ଉପରେ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆସନ୍ତା ଶିକ୍ଷାବର୍ଷଠାରୁ ଏହି ନୂଆ ନୀତି ଆଧାରରେ ୧୦+୨ ବଦଳରେ ରାଜ୍ୟରେ ୫+୩+୩+୪ ବ୍ୟବସ୍ଥା ଲାଗୁ କରାଯିବ। ପ୍ରି-ସ୍କୁଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ପିଲାମାନଙ୍କ ପାଇଁ ଶିଶୁ ବାଟିକା ଖୋଲିବ। ନୂତନ ଶିକ୍ଷା ନୀତିରେ ଶିକ୍ଷା ଭିତ୍ତିଭୂମି, ଖେଳ ମାଧ୍ୟମରେ ଶିକ୍ଷା, ମୌଳିକ ଶିକ୍ଷା, ବାହ୍ୟ ଜ୍ଞାନର ବ୍ୟବହାରକୁ ପ୍ରାଥମିକତା ଦିଆଯିବ। ଶିକ୍ଷାରେ ବୈଷୟିକ ପ୍ରୟୋଗକୁ ବ୍ୟାପକ କରାଯିବ। ଏକ ବିକଶିତ ଭାରତ ଗଠନରେ ଜାତୀୟ ଶିକ୍ଷା ନୀତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ତାହାକୁ ନଜରରେ ରଖି ରାଜ୍ୟର ପ୍ରତି ପଞ୍ଚାୟତର ଗୋଟିଏ ଲେଖାଏଁ ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ବିକଶିତ କରାଯାଉଛି। ଶିକ୍ଷା ବଜେଟ୍‌କୁ ୧୩.୪% ବୃଦ୍ଧି କରାଯାଇଛି ବୋଲି ସେ ମତବ୍ୟକ୍ତ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button