ଓଡିଶା

ରାସ୍ତାଘାଟର ଉନ୍ନତି ପାଇଁ ଆସିବ ସ୍ୱତନ୍ତ୍ର ନୀତି: ବାର୍ଷିକ ୧୫ ହଜାର କିମି ରାସ୍ତା ନିର୍ମାଣ ହେବ

ଭୁବନେଶ୍ୱର: ରାଜ୍ୟରେ ରାସ୍ତାଘାଟର ନିର୍ମାଣ, ମରାମତି ଓ ଉନ୍ନତୀକରଣ ପାଇଁ ଏକ ସ୍ୱତନ୍ତ୍ର ନୀତି ପ୍ରଣୟନ ହେବ। ବାର୍ଷିକ ୧୫ ହଜାର କିଲୋମିଟର ହିସାବରେ ଆସନ୍ତା ୫ ବର୍ଷରେ ୭୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯିବ। ଏଥିରେ ଜାତୀୟ ରାଜପଥ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ନଗର ଉନ୍ନୟନ ବିଭାଗର ରାସ୍ତା ଓ ସେତୁ ଅନ୍ତର୍ଭୁକ୍ତ। ଆଜି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ଉପସ୍ଥିତିରେ ରାଜ୍ୟ ଲୋକସେବା ଭବନସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଗମନାଗମନ ସୁବିଧାକୁ କିଭଳି ଅଧିକ ଉନ୍ନତ ଓ ଶୃଙ୍ଖଳିତ କରି ହେବ ସେଥିନେଇ ଆଲୋଚନା ହୋଇଥିଲା।

ଗ୍ରାମାଞ୍ଚଳରେ ଜମି ଅଧିଗ୍ରହଣ ପାଇଁ ରହିବ ଅର୍ଥ ବ୍ୟବସ୍ଥା

ସମ୍ପ୍ରତି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ପାଣି ପାଇପ୍‌, ବିଜୁଳି ଲାଇନ୍‌, ଟେଲିଫୋନ୍‌ ଇଣ୍ଟରନେଟ୍‌ କେବୁଲ ଆଦି ବିଛାଇବା ପାଇଁ ଭଲଥିବା ରାସ୍ତାକୁ ବାରମ୍ବାର ଖୋଳି ଦିଆଯାଉଛି। ଏହି ସମସ୍ୟାରୁ ମୁକୁଳିବା ପାଇଁ ବିଭିନ୍ନ ରାସ୍ତାକଡ଼ରେ ସ୍ୱତନ୍ତ୍ର ୟୁଟିଲିଟି କରିଡର ନିର୍ମାଣ କରାଯିବ। ଏଥି ସହିତ ରାସ୍ତା ସମ୍ପ୍ରସାରଣ ସମୟରେ ଯେପରି ଗଛ କାଟିବାକୁ ନପଡ଼େ, ସେହିଭଳି ଭାବେ ଚାରାରୋପଣ ପାଇଁ ବ୍ୟବସ୍ଥା କରାଯିବ। ତେବେ ଆବଶ୍ୟକସ୍ଥଳେ ପୁରୁଣା ତଥା ବଡ଼ ବଡ଼ ଗଛକୁ ନ କାଟି ଆଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇପାରିବ ତହା ଉପରେ ନୀତିରେ ବ୍ୟବସ୍ଥା ରଖିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଥିଲେ।

ଅନେକ ସମୟରେ ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣ ବେଳେ ଜମି ଅଧିଗ୍ରହଣ ନେଇ ସମସ୍ୟା ଉପୁଜୁଥିବାରୁ ଏହାର ସମାଧାନ ପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା ରହିବ। ଏଥି ସହିତ କେବଳ ନୂଆ ରାସ୍ତା ନିର୍ମାଣ ନୁହେଁ, ପୁରୁଣା ରାସ୍ତାର ନିୟମିତ ଯାଞ୍ଚ ଓ ମରାମତି କରାଯିବ। ରାସ୍ତା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ନିର୍ମାଣ ଶୈଳୀକୁ ଆପଣାଇବା ସହ ରାସ୍ତା ନିର୍ମାଣ ସମୟରେ ପରିବେଶକୁ ଗୁରୁତ୍ୱ ଦେବା ସହ ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ବର୍ଜ୍ୟବସ୍ତୁକୁ କିଭଳି ରାସ୍ତା ନିର୍ମାଣ ଉପଯୋଗ କରାଯାଇପାରିବ ସେଥିନେଇ ବୈଠକ ଆଲୋଚନା ହୋଇଥିଲା। ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଶାସନ ସଚିବ ଗିରିଶ ଏସ୍‌.ଏନ୍‌, ରାଜ୍ୟ ପରିବହନ ପ୍ରାଧିକରଣର କମିସନର ଅମିତାଭ ଠାକୁର, ଇଆଇସି ସିଭିଲ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ନିର୍ଦ୍ଦେଶକ ମହେଶ୍ୱର ସ୍ୱାଇଁ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ଏନ୍ ତିରୁମାଲା ନାଏକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button