ବିଜୁଳି ଦର ବଢ଼ିଲେ ଜନଆନ୍ଦୋଳନ’: ଆଜିଠୁ ଓଇଆରସିରେ ଶୁଣାଣି

ଭୁବନେଶ୍ବର : ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ବିଦ୍ୟୁତ୍ ଦର ନିର୍ଦ୍ଧାରଣ ଲାଗି ବିଭିନ୍ନ ବିଦ୍ୟୁତ୍ ବିତରଣ କମ୍ପାନୀର ପ୍ରସ୍ତାବ ଉପରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଆଜିଠୁ ଜନଶୁଣାଣି କରିବେ। ଏହି ଶୁଣାଣି ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। କମ୍ପାନୀଗୁଡ଼ିକର ଯୁକ୍ତିକୁ ଯଦି ଓଇଆରସି ଗ୍ରହଣ କରନ୍ତି ତାହେଲେ ବିଦ୍ୟୁତ୍ ଶୁଳ୍କ ବଢ଼ିପାରେ। ଜନଶୁଣାଣି ପୂର୍ବରୁ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ଦର ବୃଦ୍ଧି ନକରିବାରୁ ଚେତାବନୀ ଦିଆଯାଇଛି। ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନୁେହଁ, ଗ୍ରାହକଙ୍କଠାରୁ ବିଗତ ବର୍ଷଗୁଡ଼ିକରେ ୟୁନିଟ୍ ପିଛା ଆଦାୟ ହୋଇଥିବା ଅଧିକ ୯୦ ପଇସା ଫେରସ୍ତ କରିବାକୁ ପାଲଟା ମହାସଂଘ ଦାବି କରିଛି। ବିଦ୍ୟୁତ୍ ଶୁଳ୍କ ବଢ଼ିଲେ ଜନଆନ୍ଦୋଳନ ଜରିଆରେ ଜବାବ ଦିଆଯିବ ବୋଲି ମହାସଂଘ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ କୁହାଯାଇଛି। ମହାସଂଘ ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ ଓ ଆବାହକ ରବି ବେହେରା କହିଛନ୍ତି ଯେ, କେନ୍ଦ୍ରୀୟ ଶକ୍ତି ଅର୍ଥ ନିଗମ ୨୦୨୧-୨୨ ରିପୋର୍ଟ ଅନୁଯାୟୀ ସର୍ବଭାରତୀୟସ୍ତରରେ ୟୁନିଟ୍ ପିଛା ଗ୍ରାହକଙ୍କଠାରୁ ୫ ଟଙ୍କା ୮ ପଇସା ଆଦାୟ କରାଯାଉଥିଲା ବେଳେ ଓଡ଼ିଶାରେ ବିଦ୍ୟୁତ୍ କମ୍ପାନୀଗୁଡ଼ିକ ଉପଭୋକ୍ତାଙ୍କଠାରୁ ୟୁନିଟ୍ ପିଛା ୫ ଟଙ୍କା ୯୮ ପଇସା ଆଦାୟ କରିଛନ୍ତି, ଅର୍ଥାତ୍ ଓଡ଼ିଶାର ପାଖାପାଖି ୧ କୋଟି ଗ୍ରାହକ ୟୁନିଟ୍ ପିଛା ୯୦ ପଇସା ଅଧିକ ଶୁଳ୍କ ଦୀର୍ଘଦିନ ଧରି ଦେଇଆସୁଛନ୍ତି। କେନ୍ଦ୍ରୀୟ ବିଦ୍ୟୁତ୍ ଆଇନ ମୁତାବକ ସବୁ ରାଜ୍ୟ ସରକାର ବିଦ୍ୟୁତ୍ ବିଲ୍ ପୈଠ ପାଇଁ ରିଆତି ଦେଉଥିଲାବେଳେ ଓଡ଼ିଶା ସରକାର ତା’ର ବ୍ୟତିକ୍ରମ କରି କୌଣସି ଗୋଟିଏ ଟଙ୍କା ବିଦ୍ୟୁତ୍ ବିଲ୍ ବାବଦକୁ ରିଆତି ଦେଇନାହାନ୍ତି। ଗୋଟିଏ ଦିଗରେ କମ୍ପାନୀଗୁଡ଼ିକ ୟୁନିଟ୍ ପିଛା ଗ୍ରାହକଙ୍କଠାରୁ ୯୦ ପଇସା ଅଧିକ ଅର୍ଥ ଆଦାୟ କରୁଥିଲାବେଳେ ଅନ୍ୟ ଦିଗରେ ଓଡ଼ିଶା ସରକାର ଗ୍ରାହକଙ୍କୁ ରିଆତି ନ ଦେଇ ପ୍ରତାରିତ କରିଚାଲିଛନ୍ତି। ଏହାକୁ ଓଡ଼ିଶା ଉପଭୋକ୍ତା ମହାସଂଘ ତୀବ୍ର ନିନ୍ଦା କରିବା ସହ ଗ୍ରାହକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଇଆରସି ଯେଉଁ ଜନଶୁଣାଣି କରିବାକୁ ଯାଉଛନ୍ତି, ସେହି ଜନଶୁଣାଣିରେ ବେଆଇନ ଭାବରେ କମ୍ପାନୀଗୁଡ଼ିକ ଗ୍ରାହକଙ୍କଠାରୁ ଅଧିକ ଶୁଳ୍କ ବାବଦକୁ ଯେଉଁ ଅର୍ଥ ଆଦାୟ କରିଛନ୍ତି, ତାହାକୁ ଫେରାଇବା ପାଇଁ ଓଇଆରସି କର୍ତ୍ତୃପକ୍ଷ କମ୍ପାନୀ ଏବଂ ରାଜ୍ୟ ସରକାରଙ୍କୁ ତୁରନ୍ତ ନିର୍ଦେଶ ଦେବାକୁ ଶ୍ରୀ କାନୁନଗୋ ଓ ଶ୍ରୀ ବେହେରା ଦାବି କରିଛନ୍ତି। ତାହା ନ କରି ଯଦି ୨୦୨୫-୨୬ ଆର୍ଥିକ ବର୍ଷରେ ଓଇଆରସି କର୍ତ୍ତୃପକ୍ଷ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରନ୍ତି, ତାହେଲେ ରାଜ୍ୟରେ ଏକ ଦୁର୍ବାର ଜନଆନ୍ଦୋଳନ ଗଢ଼ିଉଠିବ।
ସୂଚନାଯୋଗ୍ୟ ଯେ, ଆଗାମୀ ଆର୍ଥିକ ବର୍ଷରୁ ୟୁନିଟ୍ ପିଛା ୫୪ ପଇସା ବଢ଼ାଇବା ପାଇ ଦାବି କରି ଗ୍ରିଡ୍କୋ ପକ୍ଷରୁ ଓଇଆରସି ନିକଟରେ ଦରଖାସ୍ତ ଦିଆଯାଇଛି। ଆସନ୍ତା ୧୯ ତାରିଖ ଦିନ ଗ୍ରିଡ୍କୋ ଦରଖାସ୍ତ ଉପରେ ଓଇଆରସିରେ ଜନଶୁଣାଣି ହେବାର ପ୍ରସ୍ତାବ ରହିଛି। ଓଡ଼ିଶାରେ ପ୍ରଥମେ ବିଜୁଳି ସଂସ୍କାର ଆରମ୍ଭ ହୋଇଥିଲା। ରାଜ୍ୟବାସୀଙ୍କୁ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ସେବା ଯୋଗାଇଦେବା ପାଇଁ ଏହି ସଂସ୍କାରରେ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଦୁଃଖର କଥା ଘଣ୍ଟାଘଣ୍ଟା ଧରି ପାୱାର କଟ୍ ଓ ପାୱାର ଟ୍ରିପ୍ ହେଉଛି। କମ୍ପାନୀଗୁଡ଼ିକର କ୍ଷତିକୁ ଭରଣା କରିବା ପାଇଁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ଓଡ଼ିଶା ଭଳି ଏକ ବିଦ୍ୟୁତ୍ ଉତ୍ପାଦନକାରୀ ରାଜ୍ୟରେ ଏକକୋଟିରୁ ଅଧିକ ଉପଭୋକ୍ତା ବିଜୁଳି କମ୍ପାନୀ ଦ୍ବାରା ଶୋଷଣର ଶିକାର ହେଉଛନ୍ତି ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ଆସନ୍ତା ୧୮ ତାରିଖ ଦିନ ମହାସଂଘର ରାଜ୍ୟ କାର୍ଯ୍ୟାଳୟରେ ବିଭିନ୍ନ ରାଜନୈତିକ ଦଳ ଓ ଗଣସଂଗଠନଗୁଡ଼ିକର ବୈଠକ ବସି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ବିରୋଧରେ କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶଥାଉକି, ଲଗାତାର ତିନିବର୍ଷ ହେଲା ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବଢ଼ିନାହିଁ। ୨ ବର୍ଷ ବିଦ୍ୟୁତ୍ ଶୁଳ୍କ ଅପରିବର୍ତ୍ତିତ ରହିଥିବାବେଳେ ଗତବର୍ଷ ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବ୍ରେ ଖୁଚୁରା ଯୋଗାଣ ଦେୟ ୟୁନିଟ୍ ପିଛା ୧୦ ପଇସା ହ୍ରାସ କରାଯାଇଥିଲା। ଆଜି ଦିନ ୧୧ଟାରେ ଓଏଚ୍ପିସି ଏବଂ ଅପରାହ୍ନ ୩ଟାରେ ଓପିଜିସିର ପ୍ରସ୍ତାବ ଉପରେ ଓଇଆରସି ଶୁଣାଣି କରାଯିବ।