ଓଡିଶା

ବସିଲା ବୈଠକ, ରତ୍ନଭଣ୍ଡାର ଖୋଲିବାକୁ ନେଇ ହେଲାନି ଆଲୋଚନା

ପୁରୀ: ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ମହାପ୍ରଭୁଙ୍କ ସମସ୍ତ ଜମିର ସଠିକ୍ ଆକଳନ କରିବା ସହ ଏହାର ବିକ୍ରି ପାଇଁ ସମସ୍ତ ଜମିର ଡିଜିଟାଇଜେସନ କରାଯିବ। ସେହିପରି ଆଦର୍ଶ ଗୁରୁକୂଳ ପାଇଁ ଏମ୍ଓୟୁ ଚୂଡାନ୍ତ ହୋଇଛି। ଏଥିପାଇଁ ଜମି ଲିଜରେ ଯୋଗାଇ ଦେବାକୁ ଆଜି ନିଳାଦ୍ରୀ ଭକ୍ତ ନିବାସ ଠାରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଥିବା ମହାପ୍ରଭୁଙ୍କ ଜମିର ରେକର୍ଡ ଡିଜିଟାଇଜେସନ ସହ ଏହାର  ଡାଟାବେସ୍ ତିଆରି ହେବ। ସମସ୍ତ ଜମିର ଏରିଏଲ ସର୍ଭେ ହେବ। ଏରିଏଲ ସର୍ଭେ ପରେ ପ୍ରକଳ୍ପ ପ୍ରସ୍ତୁତ କରି ପରିଚାଳନା କମିଟିକୁ ଦେବ ଓସାକ୍। ଶ୍ରୀମନ୍ଦିର ପରିଚାଳନା କମିଟିରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହା ସହ କାର୍ତ୍ତିକ ମାସରେ ଶୃଙ୍ଖଳିତ ନୀତି, ଦର୍ଶନ ବ୍ୟବସ୍ଥା, ସୁବିଧାରେ ମହାପ୍ରସାଦ ଯୋଗାଣ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି ବୈଠକରେ। ସେହିପରି ଆଦର୍ଶ ଗୁରୁକୁଳ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜମି ଲିଜରେ ଦିଆଯାଇଛି।‌ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟରେ ପଞ୍ଜିକରଣ ପାଇଁ ଆବେଦନ କରାଯାଇଛି। ବୈଠକରେ ସେବାୟତ ବାସଗୃହ ଯୋଜନା ଅଗ୍ରଗତିର ସମୀକ୍ଷା କରାଯାଇଛି।

ବୈଠକରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବା କିମ୍ୱା ମରାମତି ପାଇଁ କୈାଣସି ଆଲୋଚନା କରାଯାଇନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଏହା ଏଜେଣ୍ଡାରେ ନଥିବାରୁ ବୈଠକରେ ଆଲୋଚନା ହୋଇନାହିଁ। ଭିତର ରତ୍ନଭଣ୍ଡାର ଦୁର୍ବଳ ଓ ଖରାପ ଥିବା ପୂର୍ବରୁ ଏଏସଆଇ ସୁପରିଟେଡେଣ୍ଟ ଜଣାଇଥିବାରୁ ଏହାର ମରାମତି ଆବଶ୍ୟକ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି ପ୍ରତିକ୍ରିୟା ରଖିଛନ୍ତି।

ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଅନୁଷ୍ଠିତ ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଏଏସଆଇ ଅଧିକାରୀ ଙ୍କ ସହ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।‌ ତେବେ ଆସନ୍ତା ପରିଚାଳନା କମିଟି ବୈଠକରେ ଭିତର ରତ୍ନଭଣ୍ଡାର ମରାମତି ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button