ପାଣ୍ଡେରାରେ ହେବ ଆଧୁନିକ ମାଛ ବଜାର, ୫୦ କୋଟି ଟଙ୍କାର ବ୍ୟୟ ବରାଦ

ଭୁବନେଶ୍ବର: ଭୁବନେଶ୍ବର ପାଣ୍ଡରାରେ ହେବ ଆଧୁନିକ ମାଛ ବଜାର । ୫.୮୦ ଏକର ଜମିରେ ହେବାକୁ ଥିବା ଏହି ପ୍ରକଳ୍ପକୁ କେନ୍ଦ୍ର ମତ୍ସ୍ୟ ଓ ପଶୁ ପାଳନ ଏବଂ ଡାଏରୀ ଗମେଣ୍ଟ ଅଫ୍ ଇଣ୍ଡିଆ ପକ୍ଷରୁ ମିଳିଛି ମଞ୍ଜୁରି । ପ୍ରକଳ୍ପ ପାଇଁ ୫୦ କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।
ଉତ୍ତର ଭୁବନେଶ୍ବରର ପାଣ୍ଡରା ଅଂଚଳରେ ଏହି ଆଧୁନିକ ମାଛ ମାର୍କେଟ ପାଇଁ ଦୀର୍ଘ ସମୟରୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଆସୁଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୨୦୨୪ ସେପ୍ଟେମ୍ବର ମାସରେ ଭୁବନେଶ୍ବର ସାଂସଦ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରି ସବିଶେଷ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ସହମତି ପରେ ଏହି ପ୍ରକଳ୍ପ କେନ୍ଦ୍ରକୁ ଯାଇଥିଲା । ଏହାପରେ ପ୍ରକଳ୍ପକୁ ମଞ୍ଜୁରି ମିଳିଛି ।
ଭୁବନେଶ୍ୱର ଏମପି ଅପରାଜିତା ଷଢ଼ଙ୍ଗୀ ତାଙ୍କ ଅଫିସିଆଲ୍ ଫେସବୁକ୍ ହ୍ୟାଣ୍ଡେଲରେ କହିଛନ୍ତି ଖୁସିର କଥା ଯେ, କେନ୍ଦ୍ର ମତ୍ସ୍ୟ ଓ ପଶୁ ପାଳନ, ଡାଏରୀ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଏହି ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । ପାଣ୍ଡେରା ନିକଟରେ ୫.୮୦ ଏକର ଜମିରେ ଏହି ଆଧୁନିକ ମାଛ ମାର୍କେଟ ସ୍ଥାପନ କରାଯିବ । ଏଥିପାଇଁ ୫୦ କୋଟିର ଅନୁଦାନ ମଞ୍ଜୁର କରିଛନ୍ତି । ଏହି ଅବସରରେ ଡବଲ ଇଞ୍ଜିନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।