ମହାଆଡମ୍ବର ସହ ପାଳିତ ହେଲା ଶମ୍ଭୁ ମିଳନ, ସାମିଲ ହେଲେ ହଜାର ହଜାର ଭକ୍ତ

ବାଲିଗୁଡା: ଶିବ ଶକ୍ତିଙ୍କ ମହା ମିଳନ ହେଉଛି ଶମ୍ଭୁ ମିଳନ । “ଶ୍ରୀ ଶ୍ରୀ କଳା ରୁଦ୍ର ମଣିକି ଭଜେ, ପାର୍ବତୀ ପତିକି ଭଜେ, ହର ଗୌରୀକୁ ଭଜେ” । ଶିବ ଓ ଆଦିଶକ୍ତିଙ୍କ ଏହି ମହାମିଳନ ପର୍ବ ବର୍ଷ ବର୍ଷ ଧରି ବାଲିଗୁଡାରେ ପାଳନ ହୋଇ ଆସୁଅଛି । ପ୍ରତି ବର୍ଷ ଚୈତ୍ର ମାସରେ ଦଣ୍ଡ ଯାତ୍ରା ଅନୁଷ୍ଠିତ ହେବା ପରେ ଶିବଶକ୍ତିଙ୍କ ମହା ମିଳନ ପରେ ମେରୁପର୍ବ ପାଳନ ପରେ ଏହି ଦଣ୍ଡଯାତ୍ରା ସମାପନ ହୋଇଥାଏ । ପ୍ରତ୍ୟେକ ବର୍ଷ ଶିବ ଶକ୍ତିଙ୍କ ମହାମିଳନର ଏହି ପର୍ବକୁ ଶମ୍ଭୁ ମିଳନ ପର୍ବ କୁହାଯାଏ । ଏହି ପର୍ବକୁ ମହାଆଡମ୍ବର ସହ ପାଳନ କରାଯାଇଛି ।
ଶିବଶକ୍ତିଙ୍କ ଏହି ଦୁର୍ଲଭ ମିଳନକୁ ଦର୍ଶନ କରିବା ନିମନ୍ତେ ବାଲିଗୁଡା ଆଖପାଖରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ତେବେ ଚଳିତ ବର୍ଷ ମଧ୍ୟ ବାଲିଗୁଡା ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ତମ ଶମ୍ଭୁ ମିଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଦଣ୍ଡ କମିଟି ପକ୍ଷରୁ ତେର ଶମ୍ଭୁଙ୍କ ମିଳନ କାର୍ଯ୍ୟକ୍ରମ ଧୂମଧାମରେ ପାଳନ କରାଯାଇଛି । ତେବେ ତେର ଶମ୍ଭୁଙ୍କ ଆକର୍ଷଣୀୟ ମହା ମିଳନ ଭଳି ଦୁର୍ଲଭ ଦ୍ରୁଶ୍ୟ ଦର୍ଶନ ସହ କୃପା ଲାଭ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ବାଲିଗୁଡା ସମେତ ଆଖପାଖରୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥିଲା । ତେର ଶମ୍ଭୁଙ୍କ ମିଳନ କାର୍ଯ୍ୟକ୍ରମ ଅବସରରେ ବାଲିଗୁଡା, ବଲସକୁମ୍ପା, ରାଇକିଆ,ଗ୍ରୀନବାଡି, ପୋଖରୀବନ୍ଧ, ମେଲସିକିଆ ସମେତ ତେର ଗୋଟି ଦଣ୍ଡ ଥଳି ଏଥିରେ ସାମିଲ ହୋଇଥିଲେ । ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ମନ୍ଦିରରେ ସମସ୍ତ ତେର ଦଣ୍ଡ ଥଳିକୁ ପୂଜାର୍ଚ୍ଚନା ପରେ ବରଣ କରାଯାଇଥିଲା । ତେର ଦଣ୍ଡ ଥଳିଙ୍କ ଧୂଳି ଦଣ୍ଡ ପରେ ଅପରାହ୍ନରେ ପାଣିଦଣ୍ଡ କାର୍ଯ୍ୟକ୍ରମ ହୋଇଥିଲା । ପରେ ସନ୍ଧ୍ୟାରେ ନେହୁରୁ ଛକ ନିକଟରେ ତେର ଗୋଟି ଦଣ୍ଡ ଥଳି ଏକତ୍ରିତ ହେବା ପରେ ତେର ଶମ୍ଭୁଙ୍କ ମହା ମିଳନ ହୋଇଥିଲା ।
ଶିବ ଶକ୍ତିଙ୍କ ଏହି ଅପୂର୍ଵ ମହାମିଳନ ଶମ୍ଭୁ ମିଳନ ସମୟରେ ପ୍ରକମ୍ପିତ ହୋଇଥିଲା ବାଲିଗୁଡା ସହର । ଢୋଲ ବାଜା, ମହୁରୀ, ହୁଳହୁଳିରେ ଗୁଞ୍ଜରିତ ହୋଇଥିଲା ଅଞ୍ଚଳ l ଶିବଶକ୍ତିଙ୍କ ମିଳନ ସମୟରେ ଆକର୍ଷଣୀୟ ଝୁଣା ଖେଳ ସାଙ୍ଗକୁ ଶମ୍ଭୁ ମିଳନର ଏହି ଦୁର୍ଲଭ ଦ୍ରୁଶ୍ୟ ଦର୍ଶନ କରି ବେଶ ଭାବ ବିହ୍ବଳ ହୋଇଥିଲେ ଉପସ୍ଥିତ ହଜାର ହଜାର ଭକ୍ତ । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଦର୍ଶନ ସାଙ୍ଗକୁ ଶିବଶକ୍ତିଙ୍କ ଆଶିଷ ଲାଭ କରିଥିଲେ ଶ୍ରଦ୍ଧାଳୁ । ବର୍ଷକୁ ଥରେ ମାତ୍ର ଦର୍ଶନର ସୁଯୋଗ ଅପେକ୍ଷାରେ ଥିବା ହଜାର ହଜାର ଭକ୍ତ ଏହି ଶମ୍ଭୁ ମିଳନର ଦୁର୍ଲଭ ଦ୍ରୁଶ୍ୟ ଦର୍ଶନ କରି ଖୁସି ଅନୁଭବ କରିଛନ୍ତି ।
ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ଏହି ଶମ୍ଭୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ବାଲିଗୁଡା ଦଣ୍ଡ ୧୦୪ ବର୍ଷରେ ପ୍ରଦାର୍ପଣ କରିଛି । ତେବେ ହଜାର ହଜାର ଭକ୍ତ ଙ୍କ ସମାଗମ କୁ ଦୃଷ୍ଟି ରେ ରଖି ବାଲିଗୁଡା ପଞ୍ଚୁ ଦଣ୍ଡ ପରିଚାଳନା କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ବଜାୟ ସହ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁତୟନ କରାଯାଇଥିଲା ।