କ୍ରାଇମ

ରାଜଧାନୀରେ ଚାଞ୍ଚଲ୍ୟ: ଶଯ୍ୟାଶାୟୀ ବୃଦ୍ଧାଙ୍କୁ ହାଣି ହତ୍ୟା – Utkal Mail


ବୋହୂ ବେହୋସ୍‌ ଅବସ୍ଥାରେ ଉଦ୍ଧାର, ହତ୍ୟା ପଛରେ ଲୁଟେରା ଗ୍ୟାଙ୍ଗ!

ଭୁବନେଶ୍ୱର: ମଙ୍ଗଳବାର ସନ୍ଧ୍ୟାରେ ଭରତପୁର ଥାନା ଖଣ୍ଡଗିରିବାରି ବସ୍ତିରେ ଘଟିଛି ଲୋମଟାଙ୍କୁରା ହତ୍ୟାକାଣ୍ଡ। ସପ୍ତାହକ ତଳେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ଘରେ ଶଯ୍ୟାଶାୟୀ ଥିବା ଜଣେ ବୃଦ୍ଧାଙ୍କ ବେକକୁ ହାଣି କେହି ଦୁର୍ବୃତ୍ତ ବୀଭତ୍ସ ଭାବେ ହତ୍ୟା କରିଛି। ମୃତା ମହିଳା ହେଲେ ଗଞ୍ଜାମ ବେଲଗୁଣ୍ଠା ଅଞ୍ଚଳର ମଦା ପଲେଇ(୬୦)। ବଡ଼ କଥା ହେଉଛି, ମଦାଙ୍କ ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ଘରର ଚଟାଣରେ ବେହୋସ ଅବସ୍ଥାରେ ମିଳିଛନ୍ତି ବୋହୂ ବୈଶାଖୀ। ବୈଶାଖୀଙ୍କୁ ସାମାନ୍ୟ ଆହତ କରି ବୃଦ୍ଧା ମଦାଙ୍କୁ ଏଭଳି ନିର୍ମମଭାବେ କିଏ, କାହିଁକି ହତ୍ୟାକଲା, ତାହା ରହସ୍ୟ ହୋଇ ରହିଛି। ଭରତପୁର ଥାନା ପୁଲିସ ବୈଶାଖୀଙ୍କୁ ଏମ୍‌ସରେ ଭର୍ତ୍ତି କରିଥିବା ବେଳେ ମଦାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗରେ ତଦନ୍ତ ଆରମ୍ଭ କରିଛି। କିନ୍ତୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିସାରିଥିଲେ ବି ପୁଲିସ ହତ୍ୟାକାଣ୍ଡ ପଛରେ ଥିବା ରହସ୍ୟର ପର୍ଦ୍ଦାଫାସ୍ କରିପାରିନାହିଁ। କେହି ଲୁଟେରା ଏଭଳି କାଣ୍ଡ ଭିଆଇଥିବା କୁହାଯାଉଥିଲେ ବି ସହଜରେ ଗ୍ରହଣୀୟ ହେଉନାହିଁ। ଜଣେ ଶଯ୍ୟାଶାୟୀ ବୃଦ୍ଧାଙ୍କୁ ହାଣିଦେବା ଓ ସୁସ୍ଥ ସବଳ ବୋହୂକୁ ସାମାନ୍ୟ ଆଘାତ କରି ଛାଡ଼ିଯିବା ଭଳି କାଣ୍ଡ କୌଣସି ଲୁଟେରା କରିବ ବୋଲି କେହି ବିଶ୍ବାସ ନ କରିବା ସ୍ବାଭାବିକ। ବୃଦ୍ଧା ମଦାଙ୍କୁ ହତ୍ୟା କରିବା ପଛରେ କିଛି ବଡ଼ଧରଣର ଅଭିସନ୍ଧି ରହିଛି ବୋଲି ଜଳଜଳ ହୋଇ ଦେଖାଯାଉଛି। ତେବେ ପୁଲିସ ଖୁବ୍‌ ଶୀଘ୍ର ହତ୍ୟାକାରୀକୁ ଠାବ କରିବ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି।

ସୂଚନା ମୁତାବକ ସବୁଦିନ ଭଳି ମଙ୍ଗଳବାର ସକାଳୁ ସକାଳୁ ମୃତା ମଦାଙ୍କ ବଡ଼ପୁଅ ରବୀନ୍ଦ୍ର ଗାଡ଼ି ଚଳାଇବା ପାଇଁ ଘରୁ ବାହାରି ଯାଇଥିଲେ। ପତ୍ନୀ ବୈଶାଖୀ, ସାନ ଭାଇ ମଣ୍ଟୁ ଓ ମା’ ମଦା ଘରେ ଥିଲେ। ରାତି ପାଖାପାଖି ସାଢ଼େ ୭ଟା ସମୟରେ ମଣ୍ଟୁ ମା’ଙ୍କ ଔଷଧ ଆଣିବା ପାଇଁ ନିକଟସ୍ଥ ମେଡିସିନ୍‌ ଷ୍ଟୋରକୁ ଯାଇଥିଲେ। ସେ ଔଷଧ ନେଇ ଫେରିବା ବେଳକୁ ମା’ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଛଣାରେ ପଡ଼ିଥିବା ବେଳେ ଓ ଭାଉଜ ଚଟାଣରେ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ମା’ ଓ ଭାଉଜଙ୍କ ଅବସ୍ଥା ଦେଖି ମଣ୍ଟୁ ଚିତ୍କାର କରି ପାଖ ପଡ଼ୋଶୀମାନଙ୍କୁ ଡାକିଥିଲେ। ପଡ଼ୋଶୀମାନେ ଘଟଣାସ୍ଥଳକୁ ଧାଇଁ ଆସିବା ସହ ଭରତପୁର ଥାନାକୁ ଫୋନ୍‌ କରି ଜଣାଇଥିଲେ। ଖବର ପାଇ ଭରତପୁର ଥାନା ପୁଲିସ, ସାଇଣ୍ଟିଫିକ୍‌ ଟିମ୍‌ ସହ ସେଠାରେ ପହଞ୍ଚିଥିଲା। ବସ୍ତିବାସିନ୍ଦାଙ୍କ ସୂଚନା ମୁତାବକ ସେମାନେ ମଣ୍ଟରୁ ପାଟି ଶୁଣି ସେଠାକୁ ଆସିବା ପରେ ହତ୍ୟାକାଣ୍ଡ ବାବଦରେ ଜାଣିବାକୁ ପାଇଥିଲେ। ଏମିତିକି ସେମାନେ ତାଙ୍କ ଘର ଭିତରୁ କୌଣସି ଶବ୍ଦ ଶୁଣିନଥିବା କହିଛନ୍ତି। ସନ୍ଧ୍ୟା ବେଳଟାରେ ସାହି ଭିତରେ ଲୋକଙ୍କର ବେଶ୍‌ ଗହଳଚହଳ ଲାଗି ରହିଥିଲେ ବି କେହି କୌଣସି ସନ୍ଦିଗ୍ଧକୁ ଯିବା କିମ୍ବା ଆସିବାର ଦେଖିନାହାନ୍ତି। ତେଣୁ କେହି ଦୁର୍ବୃତ୍ତ ଛକି ରହିଥିଲା ଏବଂ ମଣ୍ଟୁଙ୍କ ଘରୁ ବାହାରକୁ ଯିବା ପରେପରେ ଘରକୁ ପଶି ଏହି କାଣ୍ଡ କରିଛି। ବୈଶାଖୀଙ୍କୁ ମାରିବା ତା’ର ଲକ୍ଷ୍ୟ ନଥିବାରୁ, ସେ ତାଙ୍କୁ କେବଳ ସଂଜ୍ଞାହୀନ କରିବା ପରେ ବୃଦ୍ଧା ମଦାକୁ ମାରି ଫେରାର୍ ହୋଇଯାଇଛି।

ହତ୍ୟା ପଛରେ ଲୁଟେରା ଗ୍ୟାଙ୍ଗ!
ହତ୍ୟା ପଛରେ ଏକ ଲୁଟେରା ଗ୍ୟାଙ୍ଗର ସମ୍ପୃକ୍ତି ଥିବା ନେଇ ପୁଲିସ ସନ୍ଦେହ କରିଛି। କାରଣ ବି ରହିଛି। ଜୁଲାଇ ୧ ତାରିଖ ରାତିରେ ବୃଦ୍ଧା ମଦା ବେଲଗୁଣ୍ଠାରେ ଥିବା ସମୟରେ ଲୁଟେରା ଗ୍ୟାଙ୍ଗ୍‌ ତାଙ୍କ ଘରେ ପଶିଥିଲେ। କିନ୍ତୁ ମଦା ଉଠିପଡ଼ି ପ୍ରତିରୋଧ କରିବାରୁ ସେମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ‌ଫେରାର୍‌ ହୋଇଯାଇଥିଲେ। ତେବେ ବେଲଗୁଣ୍ଠା ପୁଲିସ ସେହି ମାମଲାରେ ଜଣେ ଲୁଟେରାକୁ ଗିରଫ କରିଛି ଏବଂ ଅନ୍ୟମାନେ ଫେରାର୍ ଅଛନ୍ତି। ସେବେଠାରୁ ମଦା ଘାଟିକିଆ ନିକଟ ଆଇଜିକେସି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ସେ ପ୍ରାୟ କୋମା ଅବସ୍ଥାକୁ ଚାଲିଯାଇଥିଲେ। ସପ୍ତାହକ ତଳେ ଟିକିଏ ସୁସ୍ଥ ହେବାରୁ ବଡ଼ ପୁଅ ରବୀନ୍ଦ୍ର ତାଙ୍କୁ ଖଣ୍ଡଗିରିବାରିସ୍ଥିତ ଭଡ଼ା ଘରକୁ ଆଣିଥିଲେ। ସେଠାରେ ବି ମଦା ଚିକିତ୍ସାଧୀନ ଅବସ୍ଥାରେ ଥିଲେ। ମା’ଙ୍କ ଚିକିତ୍ସା ପାଇଁ ସାନପୁଅ ମଣ୍ଟୁ ଆସିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ମଣ୍ଟୁ ମା’ଙ୍କ ପାଇଁ ଔଷଧ ଆଣିବାକୁ ଯିବାର ୧୫ ମିନିଟ୍‌ ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିଲା। ତେଣୁ କୁହାଯାଉଛି ବୃଦ୍ଧା ମଦା ବଞ୍ଚିରହିଲେ ବା ମୁହଁ ଖୋଲିଲେ, ଫେରାର୍ ଅଭିଯୁକ୍ତମାନେ ଧରାପଡ଼ିବା ଭୟ ଥିଲା। ତେଣୁ ସେମାନେ ଛକି ରହି ମଦାଙ୍କୁ ହତ୍ୟା କରିଛନ୍ତି। ତେଣୁ ଭରତପୁର ଥାନା ପୁଲିସ ଏବେ ବେଲଗୁଣ୍ଠା ଥାନା ପୁଲିସ ସହ ଯୋଗଯୋଗ କରି ତଦନ୍ତକୁ ଆଗକୁ ନେଉଥିବା ସୂଚନା ମିଳିଛି।

ଛପିରହିଛି କି ପରକୀୟା ପ୍ରୀତି!
ଘଟଣା ପଛରେ ପରକୀୟା ପ୍ରୀତି ରହିଥିବା ନେଇ ପୁଲିସ ସନ୍ଦେହ କରିଛି। ଲୁଟେରାମାନେ ଲୁଟ୍‌ ମାମଲାରୁ ବର୍ତ୍ତିବା ହତ୍ୟା କରିବା ଖୁବ୍‌ କ୍ବଚିତ। ପୁଣି ଜଣେ ବୃଦ୍ଧାଙ୍କୁ ବେଲଗୁଣ୍ଠାରୁ ଗୋଡ଼ାଇ ଗୋଡ଼ାଇ ଆସି ଭୁବନେଶ୍ବରରେ ମାରିବା ଭଳି କଥାକୁ ମୋଟେ ବିଶ୍ବାସ କରିହେଉନାହିଁ। ଲୁଟ୍‌ ମାମଲାରେ ଜାମିନ୍‌ରେ ଆସିପାରିଥାଆନ୍ତେ। ହେଲେ ହତ୍ୟା ମାମଲାରେ ଆଜୀବନ ଭଳି କଠୋର ଦଣ୍ଡ ରହିଥିବା ବେଳେ କାହିଁକି ଏହାକୁ ବାଛିଲେ! ତେଣୁ କୌଣସି ଏକ ଘଟଣାକୁ ଲୁଚାଇବାକୁ ଯାଇ ହତ୍ୟା କରାଯାଇଛି। କାରଣ ଲୁଟ୍‌ ଦିନ ଘରର ଅନ୍ୟମାନେ ଥିଲେ ବି ସେମାନେ ଆଉ କାହାକୁ ଆକ୍ରମଣ କରିନଥିଲେ। ବୃଦ୍ଧାଙ୍କୁ ଏଭଳି ଆକ୍ରମଣ କରିଥିଲେ ଯେ ସେ କଥା କହିପାରୁନଥିଲେ। ସେ ଏକପ୍ରକାର କୋମା ଭଳି ସ୍ଥିତିରେ ଥିଲେ। ଚିକିତ୍ସା ପରେ କାଳେ ମୁହଁ ଖୋଲିବେ, ସେହି ଭୟ ଘାରିଥିଲା। ତେଣୁ ସେମାନେ ସୁଯୋଗକୁ ଅପେକ୍ଷା କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button