ରାଜନୀତି

ଜାତିସଂଘ କାର୍ଯ୍ୟକ୍ରମରେ ଶେହବାଜଙ୍କୁ ଭାରତର କଡ଼ା ନିନ୍ଦା: ଅନ୍ତର୍ଜାତୀୟ ମଞ୍ଚର ଦୁରୁପଯୋଗ କରୁଛି ପାକ୍‌

ନୂଆଦିଲ୍ଲୀ: ପାକିସ୍ତାନ ଭାରତ ବିରୋଧରେ ଲଗାତାର ସୀମାପାର ଆତଙ୍କବାଦ ଚଳାଇଛି ଏବଂ ଏଥିରେ ପାକିସ୍ତାନ ସେନା ଓ ସରକାର ସିଧାସଳଖ ସଂପୃକ୍ତ ଥିବାରୁ  ସିନ୍ଧୁ ଜଳଚୁକ୍ତି ସ୍ଥଗିତ ରଖାଯାଇଛି ବୋଲି ଭାରତ ସ୍ପଷ୍ଟ କରିଛି। ଏହି ଚୁକ୍ତି ସ୍ଥଗିତ ରହିବା ପାଇଁ ପାକିସ୍ତାନ ହିଁ ଦାୟୀ ବୋଲି ଜାତିସଂଘର ଏକ ସମ୍ମିଳନୀରେ ଭାରତ  କହିଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରଥମେ ପାକିସ୍ତାନ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିଲା। ଏହାପରେ ପାକିସ୍ତାନ ବିଭିନ୍ନ ମଞ୍ଚରେ ଭାରତ ବିରୋଧରେ ଅନ୍ତର୍ଜାତୀୟ ଚୁକ୍ତି ଉଲ୍ଲଂଘନ ଅଭିଯୋଗ ଆଣିଛି। ତାଜିକିସ୍ତାନର ଦୁଶାମ୍ବେଠାରେ ଗ୍ଲେସିୟର୍ ଉପରେ ପ୍ରଥମ ଜାତିସଂଘ ସମ୍ମିଳନୀର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କରି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ କହିଛନ୍ତି ଯେ ପାକିସ୍ତାନ ହିଁ  ପ୍ରଥମେ ସିନ୍ଧୁ ଜଳଚୁକ୍ତିର ଉଲ୍ଲଂଘନ କରିଥିଲା। ସୀମାପାର ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳ ନୀତି ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସିଂହ କହିଛନ୍ତି।

ସୀମାପାର ଆତଙ୍କବାଦ ଚଳାଇବା ‘ସିନ୍ଧୁ ଜଳଚୁକ୍ତି’ର ଉଲ୍ଲଂଘନ

ସୂଚନାଯୋଗ୍ୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଜାତିସଂଘର ଏହି ବିଶ୍ୱସ୍ତରୀୟ ମଞ୍ଚରେ ନିଜ ରାଷ୍ଟ୍ରର ଜଳାଭାବ ପାଇଁ ଭାରତକୁ ଦାୟୀ କରିଥିଲେ। ସେ କହିଥିଲେ ଯେ ଭାରତ  ଜଳକୁ ଅସ୍ତ୍ର କରି ପାକିସ୍ତାନକୁ ସମସ୍ୟାରେ ପକାଉଛି। ଶେହବାଜ ସରିଫଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ  ସିଂହ କହିଛନ୍ତି, ସିନ୍ଧୁ ଜଳ ଚୁକ୍ତିକୁ ନେଇ ସରିଫ୍‌ ଏଭଳି ଏକ ଅନ୍ତର୍ଜାତୀୟ ମଞ୍ଚର ଅପବ୍ୟବହାର କରିବା ଗ୍ରହଣୀୟ ନୁହେଁ। ଦୁଇ ଦେଶ ମଧ୍ୟରେ ଥିବା ସଦ୍‌ଭାବନକୁ ସିରଫ୍‌ଙ୍କ ସରକାର ଓ ସେନା ନ‌ଷ୍ଟ କରିଥିବାରୁ ତାହାର ପରିଣାମ ମଧ୍ୟ ସେମାନଙ୍କୁ ଭୋଗିବାକୁ ପଡ଼ିବ ବୋଲି ସିଂହ ସ୍ପଷ୍ଟ କରିଦେଇଛନ୍ତି। କୀର୍ତ୍ତିବର୍ଦ୍ଧନ ସିଂହ କହିଛନ୍ତି ଯେ ପରିବର୍ତ୍ତିତ ସମୟ ସହିତ ଟେକ୍ନୋଲୋଜି, ଭୂ-ରାଜନୀତି ଏବଂ ଜଳବାୟୁରେ ପରିବର୍ତ୍ତନ ଆସିଛି। ଏଭଳି ସ୍ଥିତିରେ ସିନ୍ଧୁ ଚୁକ୍ତିର ପୁନଃ ମୂଲ୍ୟାୟନ କରିବା  ଆବଶ୍ୟକତା ଥିଲା। ଏହାବ୍ୟତୀତ ପାକିସ୍ତାନ ଯେଭଳି ଭାବେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ରହିଛି ତାହା ସମଗ୍ର ମାମଲାକୁ ଅତି ଜଟିଳ କରିଦେଇଛି। ଏତେ ଦିନ ଧରି ଏହି ଚୁକ୍ତି ଉଲ୍ଲଂଘନ କରୁଥିବା ପାକିସ୍ତାନ ଏବେ ଭାରତକୁ ଦୋଷ ଦେବା ଉଚିିତ୍‌ ନୁହେଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସିନ୍ଧୁ ଜଳଚୁକ୍ତି ଉଲ୍ଲଂଘନ କରିବା ନିଷ୍ପତ୍ତିକୁ ଏକତରଫା ବୋଲି ଦର୍ଶାଇ ସରିଫ୍‌ ଓ ପାକ୍‌ ସେନାମୁଖ୍ୟ ଅସୀମ ମୁନିର ବିଭିନ୍ନ କାର୍ଯ୍ୟକ୍ରମରେ ଭାରତକୁ ସମାଲୋଚନା କରୁଛନ୍ତି।

ସୂଚୂନାଯୋଗ୍ୟ, ୧୯୬୦ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ସିନ୍ଧୁ ନଦୀ ପ୍ରଣାଳୀର ଜଳ ବଣ୍ଟନକୁ ନିୟନ୍ତ୍ରଣ କରାଯାଇଥାଏ। ପାକ୍‌ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହାୟତାରେ ପାକ୍‌ ଆତଙ୍କବାଦୀମାନେ କାଶ୍ମୀରରେ ବର୍ବର ଆକ୍ରମଣ କରି ଗତ ଏପ୍ରିଲରେ ହିନ୍ଦୁ ପର୍ଯ୍ୟଟକମାନଙ୍କୁ ହତ୍ୟା କରିବା ପରେ ଭାରତ ଏହି ଚୁକ୍ତିକୁ ସ୍ଥଗିତ ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button