ବିସ୍ଫୋରକ ବୋଝେଇ ଗାଡ଼ି ଜବତ, ଗୋଦାମ ମାଲିକ ଓ ଭ୍ୟାନ ଡ୍ରାଇଭର ଅଟକ

ରାଉରକେଲା : ଚାଲିଥିଲା ଲୁଟ୍ ବିସ୍ଫୋରକର ସନ୍ଧାନ । ଧରାପଡ଼ିଲା ୨ଟି ବିସ୍ଫୋରକ ବୋଝେଇ ଗାଡ଼ି । ୨ଟି ଗାଡି ମଧ୍ୟରୁ ଗୋଟିକର କାଗଜପତ୍ର ଠିକ୍ ଥିବାରୁ ଛାଡିଦିଆଯାଇଛି । କିନ୍ତୁ ଅନ୍ୟ ଏକ ଗାଡିକୁ ଜବତ କରିଛି ରାଉରକେଲା ରଘୁନାଥପାଲି ଥାନା ପୋଲିସ୍ । ଗାଡି ବଡ ଗାଁର ଇତମା ଜଙ୍ଗଲ ଏକ୍ସପ୍ଲୋସିଭ ଗୋଦାମରୁ ଏକ୍ସପ୍ଲୋସିଭ ନେଇ ଯାଉଥିବା କୁହାଯାଉଛି । ଭ୍ୟାନରେ ୧୧୬ ପ୍ୟାକେଟ ଏକ୍ସପ୍ଲୋସିଭ ଆପେକ୍ସ ପାଓ୍ବାର -୯୦ ନାମକ ଏକ୍ସପ୍ଲୋସିଭ ଷ୍ଟିକ୍ ରହିଥିବା ସୂଚନା ମିଳିଛି ।
ଏହାସହ ୨୩ ହଜାର ୨ଶହ ଏକ୍ସପ୍ଲୋସିଭ ଷ୍ଟିକ୍ ଥିବା ମଧ୍ୟ ସୂଚନା ମିଳିଛି । କୌଣସି ପ୍ରମାଣ ନଥାଇ ଭ୍ୟାନରେ ବିସ୍ଫୋରକ ଚାଲାଣ ହେଉଥିବା ବେଳେ ଦେଓଗାଁ ପେଟ୍ରୋଲ ପମ୍ପ ନିକଟରେ ଧରିଥିଲା ପୋଲିସ । ଏନେଇ ଏକ୍ସପ୍ଲୋସିଭ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ଭ୍ୟାନର ଡ୍ରାଇଭର ବିର୍ସା ସାମଦକୁ ଅଟକ ରଖାଯାଇଛି । ଗତ ମଙ୍ଗଳବାର ଦିନ ମଧ୍ୟ ଏହି ଗୋଦାମରୁ ବିସ୍ପୋରକ ସାମଗ୍ରୀ କେ ବଳଙ୍ଗ ଥାନାର ବାଙ୍କୋ ମାଇନ୍ସ କୁ ଯାଉଥିବା ବେଳେ ଲୁଟ୍ ହୋଇଥିଲା । ଏହା ପରେ ପୋଲିସ ଉକ୍ତ ଗୋଦାମକୁ ସିଲ୍ କରି ଦେଇଥିଲେ । ତେବେ ଗୋଦାମ ସିଲ୍ ଥିବା ବେଳେ ବିସ୍ପୋରକ ସାମଗ୍ରୀ ଆଜି କିପରି ଉକ୍ତ ଗୋଦାମରୁ ଭ୍ୟାନ ଯୋଗେ ବଲଣ୍ଡା ଖଣି ଅଞ୍ଚଳକୁ ପରିବହନ କରାଯାଉଥିଲା ତାର ତଦନ୍ତ ଚାଲିଛି । ଘଟଣାସ୍ଥଳରେ ରାଉରକେଲା ଅତିରିକ୍ତ ଏସପି ପଚରାଉଚରା ଚଳାଇଛନ୍ତି ।