ଦୀର୍ଘ ୧୫ ବର୍ଷ ପରେ ଭାଇ ଭଉଣୀଙ୍କ ହାତରୁ ଖୋଲିଲା ଶିକୁଳି, କେନ୍ୟୁଜରେ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ମିଳିଲା ସହାୟତା

ଦୀର୍ଘ ୧୫ ବର୍ଷ ପରେ ଭାଇ ଭଉଣୀଙ୍କ ହାତରୁ ଖୋଲିଲା ଶିକୁଳି । ବାପାଙ୍କ ମୃତ୍ୟୁ ପରେ ଉଭୟ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଆଉ ପରେ ବଢିଥିଲା ଏ ପାଗଳାମି । ଯାହା ଫଳରେ ଅନ୍ୟକୁ ମାରିବା, ଘର ଦ୍ୱାର ଭାଙ୍ଗିବା, ସହ ପଡୋଶୀଙ୍କୁ ମଧ୍ୟ ହଇରାଣ ହରକତ କରିବା ଆରମ୍ଭ କରିଦେଲେ । ପରିସ୍ଥିତି ଏପରି ହେଲା ଯେ ପୁଅ ଝିଅ କୌଣସି ଅଘଟଣ ଘଟାଇବା ପୂର୍ବରୁ ନିଜ ପୁଅ ଝିଅଙ୍କୁ ଶିକୁଳିରେ ବାନ୍ଧିବାକୁ ବାଧ୍ୟ ହୋଇଥିଲା ବୃଦ୍ଧା ମାଆ । ପରିବାର ଚଳାଇବା ପାଇଁ ଅକ୍ଷମ ଥିବା ମାଆ କିପରି ନିଜ ପୁଅ ଓ ଝିଅର ଜୀବନ ବଞ୍ଚାଇବେ ତାକୁ ନେଇ ଚିନ୍ତାରେ ଥିଲା ।
କାରଣ ଛୁଆଙ୍କ ଚିକିତ୍ସା ପାଇଁ ଏ ଅସହାୟ ମାଆ ପାଖରେ ଟଙ୍କାଟିଏ ବି ନଥିଲା । ଏପରିକି ଘର ଢିଅ ଓ ଆଧାର କାର୍ଡ ନଥିବାରୁ ସରକାରୀ ଯୋଜାନାରୁ ବି ବଞ୍ଚିତ ହୋଇରହିଛି ଏହି ପରିବାର । ଏହାର ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲା କାର୍ଯ୍ୟାନୁଷ୍ଠାନ । କେନ୍ୟୁଜରେ ମାନସିକ ଅନଗ୍ରସର ଯୁବକ ଯୁବତୀଙ୍କ ଖବର ପ୍ରସାରଣ ପରେ ଯାଜପୁର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା, ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ ଯାଜପୁର ବ୍ଲକ୍ ଅନ୍ତର୍ଗତ ଚଇନିପୁର ପଞ୍ଚାୟତର କମାଗଡ ଚୋବା ସାହିରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ ।
ଆବଦ୍ଧ କୋଠରୀରେ ଶିକୁଳୀରେ ହାତ ବନ୍ଧା ଥିବା ଅବସ୍ଥାରେରେ ଆଶିଷ ଜେନା ଏବଂ ଭଉଣୀ ମିତା ଜେନାଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ଆଶୁ ଚିକିତ୍ସା ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଅଛି । ସେମାନଙ୍କର ମାନସିକ ସ୍ଥିତିରେ ସୁଧାର ଆସିବା ପରେ ମିତା ଜେନାଙ୍କୁ ସୁକିନ୍ଦାସ୍ଥିତ ମାନସିକ ଅନଗ୍ରସର କେନ୍ଦ୍ର, ମିଶନ ଆଶ୍ରା ଠାରେ ଏବଂ ଆଶିଷ ଜେନାଙ୍କୁ ଭଦ୍ରକ ସ୍ଥିତ ଶ୍ରଦ୍ଧାଳୟ କେନ୍ଦ୍ର ଠାରେ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥିର କରାଯାଇଛି ।
ଏଥି ସହ ସେମାନଙ୍କର ଆଧାର କାର୍ଡ କରିବା ସହିତ ଭତ୍ତା, ଆବାସ ଗୃହ ଇତ୍ୟାଦି ସରକାରଙ୍କ ପକ୍ଷରୁ ଯୋଗାଇ ଦେବାକୁ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଯାହାପରେ ବୃଦ୍ଧା ମାଆର ଦୁଃଖ କିଛି ପରିମାଣରେ କମ୍ ହୋଇଛି । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ସ୍ଥାନୀୟ ସରପଞ୍ଚ ବୈଷ୍ଣବ ରାଉତ, ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ବେହେରା, ସାଂସଦଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ତେବେ କେନ୍ୟୁଜରେ ଖବର ପ୍ରସାରଣ ପରେ ଏହି ଅସହାୟ ପରିବାର ପାଖରେ ପହଞ୍ଚିଛି ପ୍ରଶାସନ । ଏବେ ଖୁବ ଶୀଘ୍ର ଭାଇ ଭଉଣୀ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା କରାଯାଉଛି ।