ଗୋମାଂସ ପୋତିବାକୁ ପୁଲିସ ନାକେଦମ୍: ୨ଦିନ ଧରି ଠିଆ ହୋଇଛି ଟ୍ରକ୍: ଦୁଗର୍ନ୍ଧରେ ନାକ ଫାଟି ପଡୁଛି: ଗାଡି ଡ୍ରାଇଭର ସହ ୨ ଗିରଫ
ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ରେ ଜବତ ହୋଇଥିବା ଗୋମାଂସ ହାଡ଼ ବୋଝେଇ ଗୋଟିଏ ଟ୍ରକର ହାଡ଼,ମାଂସ ପୋତିବାକୁ ନେଇ ଦୁଇଦିନ ଧରି ପୁଲିସ ନାକେ ଦମ ହେଲେଣି। ଜବତ ଗୋମାଂସକୁ ପୋତିବାକୁ ଯେଉଁ ସ୍ଥାନକୁ ନେଇ ଯାଉଛନ୍ତି ଲୋକେ ବିରୋଧ କରିବାରୁ ସେଠାରେ ପୋତା ହୋଇ ପାରୁ ନାହିଁ। ଭରପୁର ବୋଝେଇ ହୋଇ ଥିବା ଟ୍ରକ ଭିତରେ ହାଡ଼ ଓ ମାଂସ ପଚିବା ସହିତ ପୋକ ସାଲୁବାଲୁ ହେଉଛନ୍ତି। ଦୁରଗନ୍ଧରେ ନାକ ଫାଟି ପଡୁଛି। ମାଂସକୁ ପୋତିବାକୁ ନେଇ ପୁଲିସ ଚିନ୍ତାରେ ପଡିଛି। ଜିଲ୍ଲା ଅତିରିକ୍ତ ଏସପି ଜଳନ୍ଧର ଜାଲି ଆସି ସକାଳୁ ଘଟଣାସ୍ଥରେ ଥିଲେ ମଧ୍ୟ ଅଦ୍ୟାବଧି ଏହାର ସମାଧାନର ପନ୍ଥା ବାହାରି ପାରି ନାହିଁ। ଅନ୍ୟ ପଟେ ଗୋରୁ ହାଡ଼ମାଂସ ନେଇ ଯାଉଥିବା ଗାଡିର ଡ୍ରାଇଭର ଓ ହେଲପରକୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଏହି ଦୁଇଜଣ ହେଲେ ମୋତାଜ ଖାନ ଓ ସଂଜୟ ଦତ୍ତ। ଏହି ଦୁଇଜଣ ଘର କଲିକତାରେ ବୋଲି ପୁଲିସ କହିଛି। ଗୋମାଂସ ହାଡ଼ ପୋତିବା ପାଇଁ ଲୋକ ମାନଙ୍କ ସହ ଆଲୋଚନା ଚାଲିଛି ଏହାର ସମାଧାନର ସୂତ୍ର ବାହାରିବ ବୋଲି ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମା ସାଗର ପଣ୍ଡା କହିଛନ୍ତି। ଖବର ନେବାରେ ଜଣାପଡିଛିଯେ କିଛି ହିନ୍ଦୁ ସଂଗଠନର ସୂଚନା ଅଧାରରେ ଗତକାଲି ରାତି ୯ଟା ବେଳେ ପୁଲିସ ଏକ ବଡ ଟ୍ରକୁ ଜବତ କରି ଖାନତଲାସ ବେଳେ ଗାଡିରେ ଗୋମାଂସ କଲିକତାକୁ ଚାଲାଣ ହେଉଥିବାର ଜାଣିବାକୁ ପାଇଥିଲା। ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ଗାଡିଟିକୁ ସେଠାରୁ ଥାନାକୁ ପୁଲିସ ଆଣିଥିଲା। ଗାଡିଟି ଥାନାରେ ପହଂଚିବା ପରେ ଶହଶହ ଲୋକ ଥାନାରେ ଜମା ହୋଇ ପାଟିତୁଣ୍ଡ କରିଥିଲେ। ଖବର ପାଇ ଅତିରିକ୍ତ ଏସପି ଜଳନ୍ଧର ଜାଲି, ଏସଡିପିଓ କ୍ଷମାସାଗର ପଣ୍ଡା , ଗ୍ରାମାଚଂଳ ଥାନା ଆଇଆଇସି ବାମଦେବ ନନ୍ଦ ଓ ଥାନା ଆଇଆଇସି ରଂଜିତ ମହାନ୍ତି ଲୋକ ମାନଙ୍କ ସହ ଆଲୋଚନା କରି ଦୋଷିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ଖଡିଅଂଟା ସରପଂଚ ଜୀବନକୃଷ୍ଣ ରାୟଙ୍କ ଏତେଲା କ୍ରମେ ପୁଲିସ କେଶ ନମ୍ବର ୪୯୭/୨୩ ୨୭୯,୪୨୯, ୭ ଗୋହତ୍ୟା ନିରୋଧ ଆଇନ ଓ ୧୮୪ ଏମଭିଆଇ ଆକ୍ଟରେ ମକଦ୍ଦମା ରୁଜୁ କରି ଗାଡିର ଡ୍ରାଇଭର ଓ ହେଲପରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଥାନା ଭିତରେ ଥିବା ମାଂସ ବୋଝେଇ ଟ୍ରକରୁ ପ୍ରବଳ ଦୁଗନ୍ଧ ବାହାରି ବାରୁ ପୁଲିସ ଏହୋକୁ ପୋତିବାକୁ ଏହି ବ୍ଳକ ଅନ୍ତର୍ଗତ ବାଲିପାଟଣା ନଦୀ ପଠାକୁ ନେଇଥିଲା। ଜେସିବି ଗାତ ଖୋଲି ସାରିବା ପରେ ସେଠାରେ ବାଲିପାଟଣା ପଂଚାୟତର ଶହଶହ ଲୋକ ପହଂଚି ସେଠାରେ ପୋତିବାକୁ ବିରୋଧ କରିବାକୁ ସେଠାରେ ପୋତା ଯାଇ ପାରି ନଥିଲା। ସେଠାରେ ଟ୍ରକଟି ଦବି ଯିବାରୁ ଟ୍ରକକୁ ମେସିନ ଲାଗାଇ ଉଠାଇବାକୁ ଦିନ ୪ଟା ବାଜି ଗଲା।
ଏହାପରେ ଖଡିଅଣ୍ଟା ସରପଂଚଙ୍କ ସହ ଆଲୋଚନା ପରେ ସେଠାରୁ ୮କିମ ଦୂର ଖଡିଅଂଟା ପଂଚାୟତର ନଢ଼ଳିଆ ଗ୍ରାମ ନିକଟକୁ ନିଆଯାଇଥିଲା। ଗାଡି ପହଂଚିବା ପରେ ସେଠାରେ ମଧ୍ୟ ପୋତିବାକୁ ଗ୍ରାମବାସୀ ମାନେ ବିରୋଧ କରିଥିଲେ। ତାପରେ ପୋଲିସ ନିରୁପାୟ ହୋଇ କେଉଁଠାରେ ପୋତାହେବ ସେ ବିଷୟରେ ଏକ ଗୁପ୍ତ ବୈଠକ କରାଯାଇଥିଲା।ଏହି ବୈଠକ ରେ ଅତିରିକ୍ତ ଏସପି ଜଳନ୍ଧର ଜାଲି, ଏସଡିପିଓ କ୍ଷମାସାଗର ପଣ୍ଡା, ଗ୍ରାମାଚଂଳ ଥାନା ଆଇଆଇସି ବାମଦେବ ନନ୍ଦ, ମଡେଲ ଥାନା ଆଇଆଇସି ରଂଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ବିଶେଷ ସୂତ୍ର ରୁ ଜଣାପଡିଛି ଯେ ରାଜନଗର ବ୍ଲକ ର ଏକ ଅଜଣା ଜାଗାରେ ଟ୍ରକ ରେ ଥିବା ଗୋ ମାଂସ ହାଡ଼ ପୋତିଦିଆ ଯାଇଛି।