ୱଜନିଆକିଙ୍କ ସଫଳ ପ୍ରତ୍ୟାବର୍ତ୍ତନ: ସହଜ ବିଜୟରୁ ଜୋକୋଭିକଙ୍କ ଅଭିଯାନ – Utkal Mail
ନ୍ୟୁୟର୍କ: ବିଶ୍ବର ୨ ନମ୍ବର ତଥା ୨୩ ଗ୍ରାଣ୍ଡ ସ୍ଲାମ ବିଜେତା ନୋଭାକ ଜୋକୋଭିକ ସହଜ ବିଜୟରୁ ୟୁଏସ୍ ଓପନ୍ ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ଏକକ ପ୍ରଥମ ରାଉଣ୍ଡ ମୁକାବିଲାରେ ଏହି ସର୍ବିୟା ତାରକା ୬-୦, ୬-୨, ୬-୩ ସେଟ୍ରେ ଫ୍ରାନ୍ସର ଆଲେକ୍ଜାଣ୍ଡର ମୁଲେରଙ୍କୁ ପରାସ୍ତ କରିଥିଲେ। ଦ୍ବିତୀୟ ରାଉଣ୍ଡରେ ସେ ବର୍ନାବ ଜାପାତା ମିରାଲେସଙ୍କୁ ଭେଟିବେ। ସପ୍ତମ ମାନ୍ୟତାପ୍ରାପ୍ତ ଷ୍ଟିଫାନସ ସିସିପାସ ମଧ୍ୟ ସହଜରେ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ଅଷ୍ଟ୍ରେଲିଆନ୍ ଓପନ୍ ଉପବିଜେତା ଏହି ଗ୍ରିସ ତାରକା ୬-୨, ୬-୩, ୬-୪ ସେଟ୍ରେ କାନାଡ଼ାର ମିଲୋସ ରାଓନିକଙ୍କୁ ହରାଇଥିଲେ। ସେହିଭଳି ପଞ୍ଚମ ମାନ୍ୟତାପ୍ରାପ୍ତ ନରୱେର କାସପର ରୁଡ୍ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିଥିଲା ବେଳେ ଚତୁର୍ଥ ମାନ୍ୟତାପ୍ରାପ୍ତ ଡେନମାର୍କର ହୋଲଗର ରୁନେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।
ପ୍ରାୟ ୩ ବର୍ଷ ପରେ ଗ୍ରାଣ୍ଡ ସ୍ଲାମ ପ୍ରତିଯୋଗିତାରେ ଭାଗନେଇଥିବା ପୂର୍ବତନ ଏକ ନମ୍ବର ମହିଳା ଖେଳାଳି କାରୋଲିନ ୱଜନିଆକିଙ୍କ ସଫଳ ପ୍ରତ୍ୟାବର୍ତ୍ତନ ହୋଇଛି। ନ୍ୟୁୟର୍କରେ ନିଜର ପ୍ରଥମ ରାଉଣ୍ଡ ମୁକାବିଲାରେ ୨ ଥରର ୟୁଏସ୍ ଓପନ୍ ଉପବିଜୟିନୀ ଏହି ଡେନ୍ମାର୍କ ମହିଳା ସିଧାସଳଖ ୬-୩, ୬-୨ ସେଟ୍ରେ ୧୯ ବର୍ଷୀୟା ରୁଷିଆର ତାତିଆନା ପ୍ରୋଜୋରୋଭାଙ୍କୁ ହରାଇଥିଲେ। ସନ୍ତାନ ଜନ୍ମ ଦେବା ଲାଗି ୨୦୨୦ରେ ସେ ଟେନିସରୁ ଅବସର ନେଇଥିଲେ। ୧୧ ଜୁନ୍ ୨୦୨୧ରେ ପ୍ରଥମ କନ୍ୟା ସନ୍ତାନର ମା’ ହେବାର ସୌଭାଗ୍ୟ ପାଇଥିଲେ। ଏହାପରେ ୨୪ ଅକ୍ଟୋବର ୨୦୨୨ରେ ସେ ଦ୍ବିତୀୟ ସନ୍ତାନ (ପୁତ୍ର)କୁ ଜନ୍ମ ଦେଇଥିଲେ। ଏହାପରେ ଚଳିତ ବର୍ଷ ଜୁନ୍ରେ ପୁଣି ଥରେ ଟେନିସକୁ ଫେରିଥିଲେ। ଅନ୍ୟ ମହିଳା ତାରକା ଖେଳାଳିଙ୍କ ମଧ୍ୟରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଏଲିନା ରିବାକିନା, ଷଷ୍ଠ ମାନ୍ୟତାପ୍ରାପ୍ତ କେକୋ ଗଫ, ଏକାଦଶ ମାନ୍ୟତାପ୍ରାପ୍ତ ପେଟ୍ରା କ୍ବିତୋଭା ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୨୦୨୨ ୱିମ୍ବଲଡନ୍ ବିଜୟିନୀ କାଜାଖସ୍ତାନର ରିବାକିନା ୬-୨, ୬-୧ ସେଟ୍ରେ ୟୁକ୍ରେନ୍ର ମାର୍ତା କୋସ୍ତ୍ୟୁକଙ୍କୁ, ଆମେରିକାର ଗଫ ୩-୬, ୬-୨, ୬-୪ ସେଟ୍ରେ ଜର୍ମାନିର ଲୌରା ସିଗମୁଣ୍ଡଙ୍କୁ ଏବଂ ଚେକ୍ଗଣରାଜ୍ୟର କ୍ବିତୋଭା ୬-୧, ୭-୬ ସେଟ୍ରେ ସ୍ପେନ୍ର କ୍ରିଷ୍ଟିନା ବୁସାଙ୍କୁ ହରାଇଥିଲେ।