ଭଏସ୍ କମାଣ୍ଡ୍ ଦେଇ ୟୁପିଆଇରେ ପଠାଇହେବ ଟଙ୍କା – Utkal Mail
ନୂଆଦିଲ୍ଲୀ: ୟୁପିଆଇ ଆମ ଜୀବନକୁ ଆହୁରି ସହଜ କରିଦେଇଛି ଓ ଆମ ନୀତିଦିନିଆ ଜୀବନର ଏକ ଅଂଗ ପାଲଟିଛି । ଏବେ ୟୁପିଆଇରେ ଆଉ ଏକ ନୂଆ ଫିଚର ଆରମ୍ଭ ହେବାକୁ ଯାଉଛି, ତାହା ଟଙ୍କା ପ୍ରେରଣକୁ ଆହୁରି ସରଳ କରିବ । ଏହି ନୂଆ ଫିଚର ଜରିଆରେ ଆପଣ ଖୁବ୍ ଶୀଘ୍ର ଟେକ୍ସଟ୍ ଆଧାରିତ କମାଣ୍ଡ ପରିବର୍ତ୍ତେ ଭଏସ୍ ଆଧାରିତ ଇନପୁଟ୍ ବ୍ୟବହାର କରି ପେମେଣ୍ଟ କରିପାରିବେ।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନିକଟରେ ଗ୍ଲୋବାଲ ଫିନଟେକ୍ ଫେଷ୍ଟ ୨୦୨୩ ସମୟରେ ୟୁପିଆଇରେ ପେମେଣ୍ଟ ଭଳି ଅନେକ ନୂଆ ଫିଚର ଲଞ୍ଚ କରିଛନ୍ତି। ଏନପିସିଆଇ ଅନୁଯାୟୀ, ନେଣଦେଣକୁ ତ୍ୱରାନ୍ୱିତ କରିବା ପାଇଁ ଉପଭୋକ୍ତାମାନେ ଫଣ୍ଡ ଟ୍ରାନ୍ସଫର କରିବା ଏବଂ ୟୁପିଆଇ ପିନ୍ ଇନପୁଟ୍ କରିବା ପାଇଁ ଭଏସ୍ କମାଣ୍ଡ ଦେଇପାରିବେ ।
ନ୍ୟାସନାଲ ପେମେଣ୍ଟକର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ସେପ୍ଟେମ୍ବର ୬ ରେ ଜାରି କରାଯାଇଥିବା ଏକ ସର୍କୁଲାରରେ କୁହାଯାଇଛି ଯେ ୟୁପିଆଇରେ ଭଏସ୍ ପେମେଣ୍ଟ ସେବା ଦ୍ୱାରା ଉପଭୋକ୍ତାମାନେ ୟୁପିଆଇ ଆପ୍, ଟେଲିକମ୍ କଲ୍ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ (ଆଇଓଟି) ଡିଭାଇସ୍ ମାଧ୍ୟମରେ ଭଏସ୍-ଏନାବଲ୍ଡ ୟୁପିଆଇ ପେମେଣ୍ଟ୍ ସକ୍ଷମ କରିପାରିବେ।
ଅନ-କଲ୍ ସୁବିଧା ପାଇଁ ୟୁଜରମାନଙ୍କୁ ଏକ ନମ୍ବର ଡାଏଲ କରିବାକୁ ହେବ ଓ ତାପରେ ଆଇଭିଆର ମାଧ୍ୟମରେ ନିଜର ନେଣଦେଣ ସଂପୂର୍ଣ୍ଣ କରିପାରିବେ ।