ଓଡିଶା

ଗଙ୍ଗବଂଶ ରାଜତ୍ୱ କାଳରୁ ଦେବଗିରି ପାହାଡ଼ରେ ପୂଜା ପାଇଁ ଆସୁଛନ୍ତି ବାବା ନୀଳକଣ୍ଠେଶ୍ବର

ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ଉପକଣ୍ଠରେ ରହିଛି ପ୍ରସିଦ୍ଧ ଶୈବପୀଠ ନୀଳକଣ୍ଠେଶ୍ବର । ଦେବଗିରି ପାହାଡ଼ରେ ବିଦ୍ୟମାନ ଏହି ପ୍ରାଚୀନ ଶୈବପୀଠ ସମ୍ପର୍କରେ ଅନେକ ଲୋକକଥା ରହିଛି । ମହାଭାରତ ଯୁଦ୍ଧ ଚାଲିଥିବା ବେଳେ ବଳରାମ ଏହି ଅଞ୍ଚଳର ଦେଇ ଗସ୍ତ କରିଥିଲେ । ସାଙ୍ଗରେ ଥିବା ସୈନ୍ୟସାମନ୍ତଙ୍କୁ ପାଣି ଦେବାପାଇଁ ନିଜ ଲଙ୍ଗଳ ମୁନରେ ଲାଙ୍ଗୁଳି ନଦୀ ସୃଷ୍ଟି କରିଥିଲେ । ଏବେ ଏହା ନାଗାବଳି ନାମରେ ପରିଚିତ । ସେତେବେଳେ ସେ ଦେବଗିରି ପାହଡ ଉପରେ ସ୍ପଟିକରେ ନିର୍ମିତ ୫ଟି ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ ।

ଇତିହାସରୁ ଜଣାଯାଏ, ଗଙ୍ଗବଂଶ ରାଜତ୍ବ କାଳରୁ ଦେବଗିରି ପାହାଡ଼ରେ ନୀଳକଣ୍ଠେଶ୍ବର ପୂଜା ପାଇ ଆସୁଛନ୍ତି । ସମୂଦ୍ର ପତନ ଠାରୁ ୩୯୪ ଫୁଟ ବା ୧୨୦ମିଟର ଉଚ୍ଚରେ ପଥର ଗୁମ୍ଫାରେ ପୂଜା ପାଉଛନ୍ତି ନୀଳକଣ୍ଠେଶ୍ବର ମହାଦେବ । ପାହାଡର ପାଦଦେଶରୁ ଉପରକୁ ଯିବା ପାଇଁ ୪୮୦ଟି ପାହାଚ ରହିଛି । ଏହି ପାହାଚଗୁଡିକ ଭିତରେ ୨୦ ରୁ ୩୦ ଫୁଟ ଓସାରର ୭ଟି ରହିଛି । ୧୭୫୮ରେ ଜୟପୁର ରାଜାଙ୍କ ଅଧୀନସ୍ଥ ସ୍ବୀକାର କରିଥିଲେ ତତ୍କାଳନୀ କଲ୍ୟାଣସିଂପୁର ରାଜା କୃଷ୍ଣଚନ୍ଦ୍ର ଦେବ । ଜୟପୁର ରାଜା ପ୍ରଥମ ବିକ୍ରମ ଦେବ ବାବା ପାତାଳେଶ୍ବରଙ୍କ ଅଭିଷେକ କରିଥିଲେ ।

ନିଜ ରାଜ୍ୟରେ ପାତାଳେଶ୍ବରଙ୍କ ଅଭିଷେକ ହେଉଥିଲେ ମଧ୍ୟ କୃଷ୍ଣଚନ୍ଦ୍ର ଦେବଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ଶିବଭକ୍ତ କୃଷ୍ଣଚନ୍ଦ୍ର ଦେବ ଦୁଃଖରେ ଭାଙ୍ଗି ପଡିଥିଲେ । ସ୍ବପ୍ନାଦେଶ ପରେ ଦେବଗିରିର ପାହାଡ ଶିଖରରେ ଅବସ୍ଥାନ କରୁଥିବା ନୀଳକଣ୍ଠେଶ୍ବରଙ୍କୁ ରାଜା ପାଇଥିଲେ । କୃଷ୍ଣଚନ୍ଦ୍ର ଦେବ ଅପୁତ୍ରିକ ଥିଲେ। ଉତ୍ତରାଧିକାରୀକୁ ନେଇ ସେ ଚିନ୍ତିତ ଥିଲେ । ବାବା ନୀଳକଣ୍ଠେଶ୍ବରଙ୍କ ପୂଜାର୍ଚ୍ଚନା କରି ରାଜା କୃଷ୍ଣଚନ୍ଦ୍ର ଦେବ ପୁତ୍ର ସନ୍ତାନ ଲାଭ କରିଥିଲେ । ପରେ ରାଜା ପ୍ରଭୁଙ୍କୁ ନିୟମିତ ପୂଜା କରିବା ପାଇଁ ବ୍ରହ୍ମଣମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହି ଦିନଠାରୁ ପ୍ରଭୁଙ୍କୁ ନିୟମିତ ପୂଜାର୍ଚ୍ଚନା କରାଯାଉଛି ।

ପହାଡର ଉପରେ ଗଙ୍ଗା, ଯମୁନା, ସରସ୍ବତୀ, ଇନ୍ଦ୍ରଦ୍ୟୁମ୍ନ ଓ ଭାର୍ଗବୀ ନାମରେ ୫ଟି କୁଣ୍ଡ ରହିଛି । ଏହି କୁଣ୍ଡରେ ଗାଧୋଇଲେ ଅପୁତ୍ରିକ ପୁତ୍ର ଲାଭ କରିନ୍ତି ବୋଲି ବିଶ୍ବାସ ରହିଆସିଛି । ଶିବରାତ୍ରୀ ପ୍ରଭୁ ନୀଳକଣ୍ଠେଶ୍ବରଙ୍କ ବଡ଼ ପର୍ବ । ଏହା ୭ ଦିନ ଧରି ପାଳନ କରାଯାଏ । ଶ୍ରାବଣ ମାସରେ ଦୂର ଦୁରାନ୍ତରୁ ମାନସିକଧାରୀମାନେ ଏଠାକୁ ଆସି ପ୍ରଭୁଙ୍କୁ ଜଳଲାଗି କରିଥାନ୍ତି । ମନ୍ଦିର ପରିଚାଳନା କମିଟି ତରଫରୁ ଭକ୍ତମାନଙ୍କୁ ମାଗଣାରେ ପ୍ରସାଦ ବିତରଣ କରାଯାଇଥାଏ । ରାୟଗଡା ସହର ଠାରୁ ଦେବଗିରିର ଦୂରତା ୫୦ କିଲୋମିଟର । ନିୟମିତ ବସ୍ ଚଳାଚଳ କରୁଛି । ଟ୍ରେନ ଯୋଗେ ରାୟଗଡା ଆସି ନୀଳକଣ୍ଠେଶ୍ବରଙ୍କ ପୀଟକୁ ଯାଇ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button