ସପ୍ତସତୀ ଚଣ୍ଡି ବିଶ୍ୱଶାନ୍ତି ମହାଯଜ୍ଞରେ ଦୁଲୁକିଲା ବଡ଼ମଙ୍ଗଳପୁରର ଗ୍ରାମ ଦେବତୀ ମା’ କରଞ୍ଜେଇଙ୍କ ମନ୍ଦିର

ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ଗ୍ରାମ ଦେବତୀ । କୌଣସି ଶୁଭ କାର୍ଯ୍ୟ ଅବା ଅନିଷ୍ଟ ଦେଖାଦେଲେ ଗ୍ରାମ ଦେବତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । କାହିଁ କେଉଁ ଆବାହମାନ କାଳରୁ ଏଭଳି ପରମ୍ପରା ରହିଆସିଛି । ଏହି କ୍ରମରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚୋରମୁହାଁ ପଞ୍ଚାୟତ ବଡମଙ୍ଗଳପୁର ଗ୍ରାମର ଗ୍ରାମ ଦେବତୀ ମା’ କରଞ୍ଜେଇଙ୍କ ମନ୍ଦିର ପରିସରରେ ସପ୍ତସତୀ ଚଣ୍ଡି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।
ପ୍ରାତଃ ସମୟରେ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ପବିତ୍ର ଜଳ ଅଣାଯାଇ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା । କଳସ ଯାତ୍ରା ଯିବା ସମୟରେ ଗ୍ରାମବାସୀ ମାନେ ରାସ୍ତାରେ ନୂତନ ଶାଢ଼ୀ ବିଛାଇ ସ୍ୱାଗତ କରିବା ବେଶ ଭାବବିହ୍ଵଳ ପରିବେଶ ସୃଷ୍ଟି କରିଥିଲା । ପରେ ଘଟ ସ୍ଥାପନା କରାଯାଇ ସୂର୍ଯ୍ୟ ପୂଜା, ଗୋ ପୂଜା, ଯଜ୍ଞକାର୍ଯ୍ୟ ଆଦି ରୀତିନୀତି ଅନୁଯାୟୀ ଆରମ୍ଭ କରାଯାଇଥିଲା । ପଣ୍ଡିତ ବିଜୟ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ବ୍ରାହ୍ମଣ ପଣ୍ଡିତ ମାନେ ଉପସ୍ଥିତ ଯଜ୍ଞ କାର୍ଯ୍ୟ ସଂଚାଳନ କରିଥିଲେ ।
ଏହି ଅବସରରେ ମା’ଙ୍କର ମହାସ୍ନାନ କରାଯିବା ସହ ଷୋଡ଼ଶ ଉପଚାରରେ ପୂଜା କରାଯାଇଥିଲା । ଯାହାକୁ ନେଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ସମୟରେ ମା’ଙ୍କୁ ଦର୍ଶନ କରିବା ପାଇଁ ବଡ଼ମଙ୍ଗଳପୁର ଗ୍ରାମବାସୀଙ୍କ ସମେତ ଆଖପାଖ ଗ୍ରାମରୁ ବହୁ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ରାତିରେ ଯଜ୍ଞ କାର୍ଯ୍ୟ ସମାପନ ସହ ପୂର୍ଣ୍ଣାହୁତି ଦିଆଯାଇଥିଲା । ଏଥିରେ ବଡ଼ମଙ୍ଗଳପୁର ଗ୍ରାମର ଆବାଳ ବୃଦ୍ଧ ବନୀତା ସାମିଲ ହେବା ସହ ଯୁବକ ମାନେ ପରିଚାଳନାରେ ସହଯୋଗ କରିଥିଲେ ।
ମା’ କରଞ୍ଜେଇଙ୍କ ମହିମା କହିଲେ ନସରେ । ଯାଜପୁର ଜିଲ୍ଲା ବଡମଙ୍ଗଳପୁର ଗ୍ରାମର ଗ୍ରାମ ଦେବତୀ ଭଗବତୀ ମା’ କରଞ୍ଜେଇ ଦେବୀଙ୍କ ପୀଠରେ ସପ୍ତସତୀ ଚଣ୍ଡି ବିଶ୍ୱଶାନ୍ତି ମହାଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶହଶହ ମହିଳା ପୁରୁଷ ଏକାଠି ହୋଇଥିଲେ ଏବଂ ମା’ ଆଶିର୍ବାଦ ନେଇଥିଲେ ।


