କ୍ରାଇମ

ମୁହଁ ଖୋଲୁନି ଇରାନୀ ସ୍ବାମୀ: ବହୁରୂପୀ ଲେଡି ବ୍ଲାକମେଲର ଘଟଣା – Utkal Mail


ଭୁବନେଶ୍ବର: ବହୁରୂପୀ ଲେଡି ବ୍ଲାକମେଲର ମାମଲାରେ ଆଜିଠାରୁ ଦୁଇ ଦିନିଆ ରିମାଣ୍ଡରେ ଆସିଥିବା ଇରାନୀଙ୍କ ସ୍ବାମୀ ନିଶିକାନ୍ତ ପତ୍ର ଓରଫ ବାପିକୁ ତମାଣ୍ଡୋ ଥାନା ପୁଲିସ ମାରାଥନ ଜେରା କରିଛି। ସେ ଓ ତାଙ୍କ ପତ୍ନୀ ଇରାନୀ କେତେଜଣଙ୍କୁ ଫସାଇଛନ୍ତି, କେତେ ଲୋକଙ୍କ ଠାରୁ କେତେ ଟଙ୍କା ଲୁଟିଛନ୍ତି, ସେମାନଙ୍କୁ କିଏ ସୁରକ୍ଷା ଦେଉଥିଲା- ଏ ସମସ୍ତ ଦିଗକୁ ନେଇ ଜେରା ହୋଇଛି। ଆଶା କରାଯାଉଥିଲା ଯେ ବାପି ସତ ଓଗାଳିବ। କିନ୍ତୁ ସେଭଳି କିଛି ହେଲାନି। ସେମାନେ କେବଳ ୩ଜଣଙ୍କୁ ବ୍ଲାକମେଲ କରିଥିବା ସେ ସ୍ବୀକାର କରିଥିଲା। ଜଣଙ୍କ ପରେ ଜଣେ ଅଧିକାରୀ ଦିନ ତମାମ ଯେତେ ପଚରା ଉଚରା କରିଥିଲେ ବି ବାପି ଆଉ ମୁହଁ ଖୋଲି ନଥିଲା। ତା’ଠାରୁ କଥା ଆଦାୟ କରିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଛି। ତା’ କଥାର ଯାଞ୍ଚ ପାଇଁ ପୁଲିସ ଇରାନୀକୁ ମଧ୍ୟ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି। ଉଭୟଙ୍କ ବୟାନକୁ ନେଇ ତୁଳନା ଓ ତର୍ଜମା କରାଯିବ।

ଦରକାର ପଡ଼ିଲେ ବ୍ଲାକମେଲର ଶିକାର ହୋଇଥିବା ଲୋକଙ୍କ ସହିତ ସେମାନଙ୍କୁ ମୁହାଁମୁହିଁ କରାଯିବ। ଖାଲି ଏତିକି ନୁହେଁ, ପୁଲିସ ସେମାନଙ୍କ ସିଡିଆର ରିପୋର୍ଟ ଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ତଥ୍ୟକୁ ଯାଞ୍ଚ କରୁଛି। ସମସ୍ତ ଯାଞ୍ଚ ରିପୋର୍ଟ ଆସିବା ପରେ ସିଣ୍ଡିକେଟ୍‌ର ଗୁମର ଖୋଲିବ ବୋଲି ଜଣେ ଅଧିକାରୀ କହିଛନ୍ତି। ପ୍ରକାଶ ଥାଉ କି, ଗତ ୯ ତାରିଖରେ ଇରାନୀ ଦେହ ଅସୁସ୍ଥଥିବା କହି ଜଣେ ଡ଼ାକ୍ତରଙ୍କୁ ଘରକୁ ଡ଼ାକିବା ପରେ ତାଙ୍କୁ ବ୍ଲାକମେଲ କରି ଓ ମାଡ଼ମାରି ୧ଲକ୍ଷ ଟଙ୍କା ଓ ୯ଲକ୍ଷର ଚେକ୍‌ ନେବା ଘଟଣା ନେଇ ଥାନାରେ ଅଭିଯୋଗ ପରେ ପୁଲିସ ଇରାନୀ, ତା’ ସ୍ବାମୀ ଓ ସହଯୋଗୀକୁ ଗିରଫ କରିଥିଲା। ସେମାନେ ଏହି ଉପାୟରେ ଆହୁରି ଅନେକ ଲୋକଙ୍କୁ ଲୁଟିଥିବା ସନ୍ଦେହ କରା ଯାଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button