ଘରେ ବଳକା ଥିବା ସୋନ ପାପଡିକୁ ନେଇ ଚିନ୍ତିତ କି, ତେବେ ସେଥିରେ ପ୍ରସ୍ତୁତ କରନ୍ତୁ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ

ଦୀପାବଳି ତଥା ବିଭିନ୍ନ ପର୍ବପର୍ବାଣି ଅବସରରେ ଘରକୁ ବହୁ ମିଠା ଆସିଥାଏ । ଘରକୁ ଆସୁଥିବା ଅତିଥି ମାନେ ନିଜ ସହ ମିଠା ଆଣିଥାନ୍ତି । କିନ୍ତୁ ଆଜିକାଲି ଲୋକେ ସୋନ ପାପଡି ମିଠା ନେବା ଆଣିବା କରିବାକୁ ବେଶି ପସନ୍ଦ କରୁଛନ୍ତି । ଏହାର ଏକ ବିଶେଷତ୍ୱ ହେଉଛି ଏହି ମିଠା ଶୀଘ୍ର ଖରାପ ହୋଇନଥାଏ । ଏହା ଏକ ଶୁଖିଲା ମିଠା ହୋଇଥିବାରୁ ନେବା ଆଣିବା କରିବାରେ ମଧ୍ୟ ବିଶେଷ ଅସୁବିଧା ହୋଇନଥାଏ । କିନ୍ତୁ ବେଳେ ବେଳେ ଅତ୍ୟଧିକ ମିଠା ଆସିବା କାରଣରୁ ସେଗୁଡିକ ଖାଇ ଶେଷ କରି ହୋଇନଥାଏ ବା ଏକା ପ୍ରକାରର ମିଠା ଖାଇ ଖାଇ ବିରକ୍ତ ଲାଗିଥାଏ । କିନ୍ତୁ ଜାଣନ୍ତି କି ଘରେ ବଳି ଯାଇଥିବା ଏହି ସୋନ ପାପଡୀକୁ ଆପଣ ଏକ ଭିନ୍ନ ସ୍ୱାଦ ଦେଇପାରିବେ । ତେବେ ଆସନ୍ତୁ ଏହି ବିଷୟରେ ଜାଣିବା:

ସୋନ ପାପଡି ବରଫି:
ପ୍ରଥମେ ସୋନ ପାପଡି ଭଲ ଭାବେ ଭାଙ୍ଗି ଏକ ପାଉଡର ପ୍ରସ୍ତୁତ କରିଦିଅନ୍ତୁ । ଏହି ପାଉଡରକୁ କ୍ଷୀରରେ ପକାଇ ଗାଢ଼ ହେବା ପର୍ଯ୍ୟନ୍ତ ଘାଟନ୍ତୁ । ଆପଣ ଚାହିଁବେ ତ ସ୍ୱାଦ ବଢାଇବା ପାଇଁ ଏଥିରେ କିଛି ଖୁଆ ମଧ୍ୟ ମିଶାଇ ପାରିବେ । ଏବେ ଏହି ମିଶ୍ରଣ ଟିକୁ ଏକ ଥାଳିରେ ଓଜାଡି ଅଧ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ଆପଣ ଏହାକୁ ନିଜ ପସନ୍ଦ ଅନୁସାରେ ବିଭିନ୍ନ ଆକାରରେ କାଟି ପାରିବେ । ଏହାକୁ ଫ୍ରିଜରେ ରଖି କିଛି ଦିନ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିପାରିବେ ।

ସୋନ ପାପଡୀ ଖିରି:
ବଳି ଥିବା ସୋନ ପାପଡୀ ସାହାଯ୍ୟରେ ସ୍ୱାଦିଷ୍ଟ ଖିରି ପ୍ରସ୍ତୁତ କରିପାରନ୍ତି । ସୋନ ପାପଡୀ ଭଲ ଭାବେ ଗୁଣ୍ଡ କରି କ୍ଷୀରରେ ପକାନ୍ତୁ ଓ ସେଥିରେ କିଛି ଡ୍ରାଏ ଫ୍ରୁଟସ ମଧ୍ୟ ଖଣ୍ଡ ଖଣ୍ଡ କରି ପକାଇ ପାରିବେ । ଦେଖିବେ ବଳିଥିବା ଜିନିଷରେ ଆପଣ କେତେ ସ୍ୱାଦିଷ୍ଟ ଖିରି ବନାଇ ପାରିବେ ।

ସୋନ ପାପଡୀ କଷ୍ଟାଡ:
ସୋନ ପପଡୀରୁ ଆପଣ କଷ୍ଟାଡ ମଧ୍ୟ ବନାଇ ପାରିବେ । ଏହାକୁ ବନାଇବା ପାଇଁ କିଛି ସୋନ ପାପଡି, ଆବଶ୍ୟକତା ଅନୁସାରେ, କିଛି ଫଳ ଓ ଅଳ୍ପ କଷ୍ଟାଡ ପାଉଡର ନିଅନ୍ତୁ । ଏହି ସବୁକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । କିନ୍ତୁ ଏହି ମିଶ୍ରଣରେ ଚିନି ପକାଇବା ଦରକାର ନାହିଁ । କାରଣ ସୋନ ପାପଡୀରେ ଆଗରୁ ଚିନି ମିଶିଥାଏ । ଆଉ ଅଧିକ ଚିନି ମିଶାଇଲେ ଏହା ଅଧିକ ମିଠା ହୋଇଯିବ ।
ମିଠା କଚୁଡ଼ି:
ଆପଣତ ପୂର୍ବରୁ ବହୁ ପ୍ରକାର କଚୁଡ଼ି ଖାଇଥିବେ ନିଶ୍ଚୟ । କିନ୍ତୁ ବଳିଥିବା ସୋନ ପାପଡୀରୁ ଘରେ ଏହି କଚୁଡ଼ି ପ୍ରସ୍ତୁତ କରି ନିଶ୍ଚିତ ଥରେ ଚାଖନ୍ତୁ । ଦେଖିବେ ଏହା ଆପଣଙ୍କୁ କିପରି ଏକ ଭିନ୍ନ ସ୍ୱାଦ ଦବ । ଏଥିପାଇଁ ଆପଣ ସୋନ ପପଡୀ, ଚିନି, ଡ୍ରାଏ ଫ୍ରୁଟସକୁ ଏକାଠି ଗ୍ରାଇଣ୍ଡରରେ ପେଷି ଦିଅନ୍ତୁ । ଏହି ମିଶ୍ରଣକୁ ଆପଣ ଅଟା ଗୁଳାରେ ଭର୍ତ୍ତି କରି ଗରମ ତେଲରେ ଛାଣି ଦିଅନ୍ତୁ । ଏବେ ଏହାକୁ ସାଙ୍ଗସାଥି ଓ ଘର ଲୋକଙ୍କୁ ଗରମ ଗରମ ପରସନ୍ତୁ । ଦେଖିବେ ଏହା ଆପଣଙ୍କୁ କିପରି ଏକ ଭିନ୍ନ ସ୍ୱାଦ ଦେବ ।



