ବିଶ୍ବକପ୍ : ମିଚେଲଙ୍କ ଶତକ, ଭାରତ ଆଗରେ ୨୭୪ ରନର ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ – Utkal Mail
ଧର୍ମଶାଳା : ଧର୍ମଶାଳାଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଆରମ୍ଭରୁ ୨ଟି ଓ୍ବିକେଟ ହରାଇ ସଂକଟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ୧୯ ରନ ହୋଇଥିବାବେଳେ ଦଳ ଦୁଇ ଓପନର ଦେଓ୍ବନ କନଓ୍ବେ ଓ ଓ୍ବିଲ ୟଙ୍ଗଙ୍କ ଓ୍ବିକେଟ ହରାଇଥିଲା । କିନ୍ତୁ ଭାରତୀୟ ବଂଶୋଦ୍ଭବ ରାଚିନ ରବୀନ୍ଦ୍ର ଓ ଡାରିଲ ମିଚେଲ ଲଢୁଆ ବ୍ୟାଟିଂ କରି ଦଳକୁ ସଂକଟରୁ ଉଦ୍ଧାର କରିବା ସହ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ମିଚେଲ ବିସ୍ଫୋରକ ବ୍ୟାଟିଂ କରି ୧୩୦ ରନ କରିଥିଲେ ଓ ଶେଷ ଓଭରରେ ମହମ୍ମଦ ସମିଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି ରବୀନ୍ଦ୍ର ୭୫ ରନ କରିଥିଲେ ।
ତେବେ ଭାରତୀୟ ବୋଲରମାନେ ଭଲ ପ୍ରତ୍ୟାବର୍ତ୍ତନ କରି ନ୍ୟୁଜିଲାଣ୍ଡର ମଧ୍ୟକ୍ରମ ଓ ନିମ୍ନକ୍ରମକୁ ସହଳ ଆଉଟ କରିବାରେ ସଫଳ ହୋଇଥିଲେ । ଫଳରେ ନ୍ୟୁଜିଲାଣ୍ଡର ସ୍କୋର ୩୦୦ ଟପିପାରିନଥିଲା ଓ ୨୭୩ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ମହମ୍ମଦ ସମୀ ୫ଟି ଓ୍ବିକେଟ ନେଇଥିଲେ । ସେହିପରି କୂଳଦୀପ ଯାଦବ ୨ଟି ଏବଂ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।