ଓଡିଶା

ପୁଅକୁ ଗିରଫ କରିବା ପାଇଁ କାନ୍ଦି କାନ୍ଦି ଆକୁଳ ନିବେଦନ କରୁଛି ମା ‘

ବାଙ୍କୀ : ଶୁଣିଲେ ତ କିଭଳି ଛାତି ଫଟାଇ କାନ୍ଦୁଛି ଏଇ ମା’ ଜଣକ । ମାଆ ଆଖିରୁ ଶୁଖୁନି ଲୁହ । ଶୁଣି ହେଉନି ତାଙ୍କ କୋହ ଭରା କଣ୍ଠର ଏଇ ଦୁଃଖ କଥା । ବିବାହର ଦୀର୍ଘ ଦିନ ପରେ ଜନ୍ମ ହୋଇଥିଲା ପୁଅ ତେଣୁ ବାପା ମା’ଙ୍କ ପାଦ ଖୁସିରେ ତଳେ ଲାଗୁନଥିଲା । କିନ୍ତୁ ସେ କ’ଣ ଜାଣିଥିଲେ ଯେଉଁ ପୁଅ ପାଇଁ ଦିନ ରାତି ଭଗବାନଙ୍କୁ ପ୍ରାର୍ଥନା କରି ପାଇଥିଲେ ସେହି ତାଙ୍କୁ ଏ ଦିନ ଦେଖାଇବ ବାପା ମାଆଙ୍କ ସ୍ନେହ ଓ ପରିଶ୍ରମକୁ ଭୁଲି ଏଭଳି ଅତ୍ୟାଚାର କରିବ ।

କେମିତି ଏତେ ନିର୍ଦ୍ଦୟ ହୋଇପାରେ ଗୋଟିଏ ସନ୍ତାନ । ନିଜ ଜନ୍ମକଲା ବାପା ମା ସହ ଏମିତି କରିପାରେ । ଯୋଉ ପୁଅକୁ ମା’ ୧୦ ମାସ ଗର୍ଭରେ ଧରି ଜନ୍ମ ଦେଇଥିଲା ଆଜି ସେହି ପୁଅକୁ ଗିରଫ କରିବା ପାଇଁ କାନ୍ଦି କାନ୍ଦି ଆକୁଳ ନିବେଦନ କରୁଛି ମା ‘ ।

ହଁ ଆଜ୍ଞା, ଗାଈ କ୍ଷୀର ବିକ୍ରି କରି ପୁଅକୁ ଉଚ୍ଚ ଶିକ୍ଷା ପାଇଁ କଲେଜରେ ପାଠ ପଢାଇଥିଲେ ବାପା ମାଆ । ହେଲେ ପୁଅ ବଡ଼ ହୋଇଯିବା ପରେ ବୃଦ୍ଧ ବୟସରେ ମାଆ ବାପାଙ୍କୁ ମାଡ ମାରି ଘରୁ ବାହାରକୁ ତଡ଼ି ଦେଉଛି । ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲାର ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗାଁ ମନ୍ଦିର ସାହି ରେ ଦେଖିବାକୁ ମିଳିଛି । ଗୋପୀ ପ୍ରଧାନଙ୍କର ଗୋଟିଏ ପୁଅ ଯୋଗେଶ ପ୍ରଧାନ । ବୟସ ୨୬ବର୍ଷ ହେବ । ରାତି ପାହିଲେ ମାକୁ ଟଙ୍କା ମାଗେ ଟଙ୍କା ନ ଦେଲେ ଖାଇବାକୁ ମାଗେ । କେଉଁଠୁ ଆଣିବେ କହି ଚୁଡ଼ା ଖାଇବାକୁ ଦେବାରୁ ଚୁଡ଼ା ଫୋପାଡି ମା’କୁ ମାଡ ମାରେ । ପୁଅ ମାଡ଼ ଭୟରେ ଅନ୍ୟ ପିଣ୍ଡା ରେ ଯାଇ ବସେ ମା । ବୃଦ୍ଧ ବାପା ଚାଲି ପାରୁ ନ ଥିବା ବେଳେ ଯା କାମ କରି ଟଙ୍କା ଆଣେ ତାକୁ ବି ଛଡ଼ାଇ ନେଇଯାଏ ଆଉ ମାଡ଼ ମାରେ । ଯେଉଁ ବୟସ ରେ ବାପାକୁ ପୁଅ ରୋଜଗାର କରି ଆଣି ଦେବା କଥା, ଏଠି କିନ୍ତୁ ଓଲଟା ପୁଅ ଟଙ୍କା ପାଇଁ ବାପାଙ୍କୁ ମାଡ ମାରୁଛି । ସେ ମାଡ ମାରୁଥିବା ବେଳେ ଗ୍ରାମର ଯଦିଓ କେହି ପ୍ରତିବାଦ କରନ୍ତି ତାଙ୍କୁ ବି ଗାଳି ଗୁଲଜ କରେ ପୁଅ ।

ତେବେ ଆପଣ ଭାବୁଥିବେ ପୁଅ ବୋଧେ ମାନସିକ ସ୍ତରରେ ଠିକ୍‌ ନାହିଁ । ନା ଆଜ୍ଞା, ଯୋଗେଶ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଠିକ୍ ଅଛି । ସେ ପାଗଳ ନୁହେଁ କି ସେ ଲକ୍ଷଣ ନ ଥିବାର ଗ୍ରାମବାସୀ ମାନେ କହିଛନ୍ତି । ଖାଲି ଫୁଟାଣି ବୋଲି ଲୋକେ କହିଛନ୍ତି । ତୁରନ୍ତ ପୋଲିସ ଦ୍ବାରା ତାକୁ ଗିରଫ କରି କୋର୍ଟ ଚାଲାଣ କରିବାକୁ ନିଜ ମାଆ ନିବେଦନ କରିଛନ୍ତି । ନ ଖାଇବୁ ପଛେ । ଉପାସ ଶୋଇବୁ କିନ୍ତୁ ପୁଅ ର ଅତ୍ୟାଚାର ଆଉ ସହିପାରିବୁନୁ । ଯଦିଓ କେହି ଆମକୁ ନୃଶଂସ ପୁଅ କବଳରୁ ବଞ୍ଚାଇବେ ନାହିଁ ତେବେ ପୁଅର ମାଡ଼ ଅତି ଅସହ୍ୟ ହେଲେ ବାଧ୍ୟ ହୋଇ ଦୁଇ ଜଣ ବୃଦ୍ଧ ସ୍ଵାମୀ ସ୍ତ୍ରୀ ଜୀବନ ହାରି ଦେବୁ । ଭଗଵାନ ଏଭଳିଆ ପୁଅ କାହାକୁ ବି ଦିଅନ୍ତୁ ନାହିଁ । ବଞ୍ଚିବା ଅପେକ୍ଷା ମରିଯିବା ଉଚିତ ବୋଲି ମାଆ କହିଛନ୍ତି । ପୁଅ ଜନ୍ମ କରି ଭୁଲ କରିଦେଲୁ । ଏ ସମ୍ପର୍କ ରେ ପୋଲିସ କୌଣସି ପ୍ରତିକ୍ରିୟା କ୍ୟାମେରା ସମ୍ମୁଖରେ ରଖି ନ ଥିଲେ ମଧ୍ୟ କିନ୍ତୁ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଙ୍କୀ ଏସ, ଡି, ପି, ଓ, କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button