ଓଡିଶା

ଗଞ୍ଜାମରେ ମାସେ ବ୍ୟାପୀ ବ୍ଲକ୍‌ସ୍ତରୀୟ ମିଶନ୍ ଶକ୍ତି ଋଣ ମେଳା: ମହିଳା ହେଉଛନ୍ତି ଆର୍ଥିକ ସଶକ୍ତ ଓ ସ୍ବାବଲମ୍ବୀ

ବ୍ରହ୍ମପୁର : ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ଗଢ଼ି ଉଠିଛି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ବା ଏସ୍ଏଚ୍‌ଜି। ଏମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସରକାରଙ୍କ ପ୍ରୋତ୍ସାହନରେ ଋଣ ଯୋଗାଇ ଦିଆଯାଉଛି। ତାହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରି ଲାଭବାନ ହେବା ସଙ୍ଗେସଙ୍ଗେ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଓ ସ୍ବାବଲମ୍ବୀ ହୋଇ ଦେଶ ଗଠନରେ ସାମିଲ ହୋଇପାରୁଛନ୍ତି ମହିଳା ଗୋଷ୍ଠୀ। ଫଳରେ ସେମାନଙ୍କ ସାମାଜିକ ସ୍ଥିତି ମଧ୍ୟ ମଜବୁତ ହୋଇପାରୁଛି। ରାଜ୍ୟ ଓ ଦେଶର ଆର୍ଥିକ ସ୍ଥିତିକୁ ଗତିଶୀଳ କରାଇବାରେ ଏମାନେ ନିର୍ବାହ କରୁଛନ୍ତି ଏକ ପ୍ରମୁଖ ଭୂମିକା। ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଗଞ୍ଜାମ ଜିଲ୍ଲାରେ ଆୟୋଜିତ ହୋଇଛି ମାସେବ୍ୟାପୀ ବ୍ଲକ୍‌ସ୍ତରୀୟ ମିଶନ୍ ଶକ୍ତି ଋଣ ମେଳା। ନଭେମ୍ବର ୧୯ ତାରିଖରୁ ଡିସେମ୍ବର ମାସ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକ୍‌ରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେଉଥିବା ମିଶନ୍ ଶକ୍ତି ଋଣ ମେଳାରେ କେବଳ ଯେ ହଜାର ହଜାର ମହିଳାଙ୍କ ସମାଗମ ହେଉଛି ତାହା ନୁହେଁ, ଏଥିସହ ସେମାନଙ୍କୁ କୋଟି କୋଟି ଟଙ୍କା ଋଣ ପ୍ରଦାନ କରାଯାଉଛି। ଶହ ଶହ ମହିଳା ଗୋଷ୍ଠୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଇ ସେମାନଙ୍କ ସ୍ଥିତିକୁ ଅଧିକ ଶକ୍ତ ଓ ସ୍ବାବଲମ୍ବୀ କରିବାରେ ଲାଗିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ମିଶନ୍ ଶକ୍ତି ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ପ୍ରଥମ କରି ଗତ ୧୯ ତାରିଖରେ ଭଞ୍ଜନଗର, ୨୦ ତାରିଖରେ ଜଗନ୍ନାଥପ୍ରସାଦ, ୨୨ ତାରିଖରେ ଖଲିକୋଟ, ୨୫ ତାରିଖରେ ରଙ୍ଗେଇଲୁଣ୍ଡା ଠାରେ ଏହି ମେଳାର ଆୟୋଜନ କରାଯାଇ ଥିବା ବେଳେ ସୋମବାର ହିଞ୍ଜିଳିକାଟୁ ଠାରେ ଏହି ମେଳା ଅନୁଷ୍ଠିତ ହୋଇଯାଇଛି। ବୃନ୍ଦାବନ ବିଦ୍ୟାଳୟ ମିନି ଷ୍ଟାଡିଅମ୍ ଠାରେ ଅନୁଷ୍ଠିତ ବ୍ଲକ୍‌ସ୍ତରୀୟ ଋଣ ମେଳାରେ ଦେଖିବାକୁ ମିଳିଥିଲା ଦଶ ହଜାରରୁ ଊର୍ଦ୍ଧ୍ୱ ଏସ୍ଏଚ୍‌ଜି ସଦସ୍ୟାଙ୍କ ସମାଗମ। ୪୦୫ ଗୋଟି ଏସ୍ଏଚ୍‌ଜିଙ୍କୁ ସମୁଦାୟ ୧୭ କୋଟି ୭୮ ଲକ୍ଷ ୧୯ ହଜାର ୭୫୩ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ଏହାପୂର୍ବରୁ ଭଞ୍ଜନଗର ଠାରେ ୫୧୭ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ପ୍ରଦାନ କରାଯାଇ ଥିଲା ୧୪ କୋଟି ୧୩ ଲକ୍ଷ ୯୫ ହଜାର ଟଙ୍କା। ଜଗନ୍ନାଥପ୍ରସାଦ ବ୍ଲକ୍‌ର ୪୪୨ ମହିଳା ଗୋଷ୍ଠୀ ଏଭଳି ମେଳା ଜରିଆରେ ବିକାଶ ଧାରାରେ ସାମିଲ ହୋଇପାରିଛନ୍ତି। ଖଲ୍ଲିକୋଟ ମେଳାରେ ୭୨୧ ଗୋଟି ଏସ୍ଏଚ୍‌ଜିକୁ ଦିଆଯାଇ ଥିଲା ସମୁଦାୟ ୧୪ କୋଟି ୨୯ ଲକ୍ଷ ୩୨ ହଜାର ଟଙ୍କା। କନିଷି ଠାରେ ଆୟୋଜିତ ରଙ୍ଗେଇଲୁଣ୍ଡା ବ୍ଲକ୍‌ସ୍ତରୀୟ ମେଳାରେ ୨୧ କୋଟିରୁ ଅଧିକ ଟଙ୍କାର ଋଣ ଗ୍ରହଣ କରିଥିଲେ ମୋଟ ୭୬୭ ଏସ୍ଏସଜି। ଆଗକୁ ମଧ୍ୟ ଜିଲ୍ଲାର ବଳକା ସମସ୍ତ ବ୍ଲକ୍‌ରେ ମିଶନ୍ ଶକ୍ତି ଆନୁକୂଲ୍ୟରେ ଏଭଳି ଋଣ ମେଳା ଆୟୋଜିତ ହେବାକୁ ଯାଉଛି। ଜିଲ୍ଲାରେ ନାରୀ ଶକ୍ତି ଜରିଆରେ ଆର୍ଥିକ ପ୍ରଗତିକୁ ତ୍ବରାନ୍ବିତ କରିବାକୁ ଏହି ସଫଳ ପ୍ରୟାସ ଉଚ୍ଚ ପ୍ରଶଂସିତ ହେବାରେ ଲାଗିଛି।

କେବଳ ଏତିକି ନୁହେଁ ଏହି ମେଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ ଉଦ୍‌ବୋଧନ ଦେଇ ଆମ ରାଜ୍ୟର ନାରୀ ଶକ୍ତିକୁ ଉତ୍ସାହିତ କରି ଆସୁଛନ୍ତି। ମା’ ମାନଙ୍କ ଆର୍ଥିକ ବିକାଶ ଆମର ଲକ୍ଷ୍ୟ। ମହିଳାମାନେ ଆର୍ଥିକ କ୍ଷେତ୍ରରେ ସଶକ୍ତ ହେଲେ ଆମ ରାଜ୍ୟର ଆର୍ଥିକ ବିକାଶ ଘଟିବ। ଦେଶ ବିଦେଶରେ ଆମ ମା’ମାନଙ୍କ ନୂଆ ପରିଚୟ ସୃଷ୍ଟି ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ଥାନୀୟ ପ୍ରଶାସକ, ଜନପ୍ରତିନିଧି,‌ ବ୍ୟାଙ୍କ୍ ପ୍ରତିନିଧି, ମହିଳା ଗୋଷ୍ଠୀର କର୍ମକର୍ତ୍ତା ଉପସ୍ଥିତ ରହି ଆର୍ଥିକ ବିକାଶର ଆଉ ଏକ ମାଇଲ୍‌ଖୁଣ୍ଟ ସ୍ଥାପନ ଦିଗରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଶକ୍ତି, ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ମେଳାରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ସକାଶେ ଏସ୍ଏଚ୍‌ଜିଙ୍କୁ ପୁରସ୍କୃତ କରାଯାଉଛି। ମହାସଂଘ, ଶ୍ରେଷ୍ଠ ମହିଳା ଗୋଷ୍ଠୀ, ଏମ୍‌ବିକେ, ସିଆର୍‌ପି, ଗୋଷ୍ଠୀ ସଙ୍ଗଠକ ପୁରସ୍କୃତ ହୋଇ ପ୍ରେରଣା ପାଉଛନ୍ତି। ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରିବଟାର ବ୍ୟବସ୍ଥା କରାଯାଉଛି।

ମହିଳାମାନଙ୍କ ଆର୍ଥିକ ବିକାଶ ଘଟିଲେ ସାମାଜିକସ୍ତରରେ ସେମାନେ ସୁଦୃଢ଼ ହେବେ। ସେମାନଙ୍କ ସାମାଜିକ ସଶକ୍ତୀକରଣରେ ମିଶନ୍ ଶକ୍ତିର ଭୂମିକା ମହତ୍ତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ସେଥିପାଇଁ ଜିଲ୍ଲାରେ ଏହି ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ଲକ୍‌ସ୍ତରରେ ହିଁ ମହିଳା ଏସ୍ଏଚ୍‌ଜିଙ୍କ ସମାବେଶ କରାଇ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ରାଜ୍ୟ ସରକାରଙ୍କ ମିଶନ୍ ଶକ୍ତି ଏବେ ଏକ ଆନ୍ଦୋଳନର ରୂପ ନେଇଥିବା ମତପ୍ରକାଶ ପାଉଛି। ଉଲ୍ଲେଖନୀୟ ଭାବେ ରଙ୍ଗେଇଲୁଣ୍ଡା କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ କହିଥିଲେ ଯେ ମିଶନ୍ ଶକ୍ତିର ଜଣେ ମା’ ଲୋକସଭାରେ (ଆସିକା ସାଂସଦ) ପ୍ରତିନିଧୃତ୍ଵ କରିଛନ୍ତି। ଓଡ଼ିଶାର ମା’ଟିଏ ଆଜି ଦେଶର ରାଷ୍ଟ୍ରପତି। ମା’ମାନଙ୍କ ଆର୍ଥିକ ମେରୁଦଣ୍ଡ ଯେପରି ସୁଦୃଢ଼ ହେବ ସେଥିପାଇଁ ଜିରୋ ପର୍ସେଣ୍ଟ ରଣ ତିନି ଲକ୍ଷରୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ବିଚାର କରୁଥିବା ସୂଚାଇଥିଲେ ସେ। ମୋଟାମୋଟି ଭାବେ ଏଥିରୁ ଗୋଟିଏ କଥା ଅତ୍ୟନ୍ତ ସ୍ପଷ୍ଟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳରେ ରାଜ୍ୟର ନାରୀ ଶକ୍ତି ଏକ ଦ୍ରୁତ ପ୍ରଗତିଶୀଳ ଆର୍ଥିକ ଓ ସାମାଜିକ ଗତିରେ ପରିଣତ ହୋଇ ଦେଶ ବିଦେଶରେ ପ୍ରଶଂସିତ ହେବାକୁ ଲାଗିଛି। ସେଥିପାଇଁ ତ ମହିଳା ଏସ୍ଏଚଜିମାନେ ଏବେ ଧାନ ମଣ୍ଡି ପରିଚାଳନାରୁ ଆରମ୍ଭ କରି ମାଛ ଚାଷ, ପରିମଳ ଅଥବା ଆହାର କେନ୍ଦ୍ର ପରିଚାଳନା ଆଦି ଉଣାଅଧିକେ ସମସ୍ତ କ୍ଷେତ୍ରରେ ପାରଦର୍ଶିତା ହାସଲ କରି ସାରା ଦେଶରେ ଓଡ଼ିଶାକୁ ଏକ ମଡେଲ ରାଜ୍ୟରେ ପରିଣତ କରାଇବା ଦିଗରେ ଅଗ୍ରସର ହେଉଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button