ରାଜନୀତି

ସରିଲା ତେଲେଙ୍ଗାନା ପ୍ରଚାର, ‘ବାଏ ବାଏ କେସିଆର’! – Utkal Mail


ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ମତଦାନକୁ ଆଉ ମାତ୍ର ଅଳ୍ପ କିଛି ସମୟ ବାକି ଥିବାବେଳେ ହେଭିୱେଟ ପ୍ରଚାର ଶେଷ ହୋଇଛି। ବହୁଦିନ ଧରି ଚାଲିଥିବା ପ୍ରଚାର ଶେଷ ହୋଇଥିବା ବେଳେ ମତଦାନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତଥା ବିଜେପିର ଅନ୍ୟ ପ୍ରମୁଖ ନେତା ଜୋରଦାର ପ୍ରଚାର କରିଛନ୍ତି। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ତେଲେଙ୍ଗାନାରେ ଲଗାତର ପ୍ରଚାରରେ ଲାଗି ପଡ଼ିଥିଲେ।

ଶାସକ ବିଆରଏସ ମଧ୍ୟ ନିଜର ସବୁ ଶକ୍ତି ଖଟାଇ ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରିଛି। ଏହି କ୍ରମରେ ବିଆରଏସକୁ କ୍ଷମତାରୁ ହଟାଇ ଶାସନକୁ ଆସିବାକୁ ଉଦ୍ୟମ କରୁଥିବା କଂଗ୍ରେସ ଭଳିକି ଭଳି ଚାଲ ଖେଳୁଛି।

ସେଥିମଧ୍ୟରୁ କ୍ୟାମ୍ପେନର ସବୁଠୁ ବଡ ପ୍ରସଙ୍ଗ ଭାବେ କଂଗ୍ରେସ ବାଏ ବାଏ କେସିଆରକୁ ନେଇ ମାହୋଲ ତିଆରି କରିଛି। କେସିଆରଙ୍କ ଦୁର୍ନୀତିକୁ ଅସ୍ତ୍ର କରି ପ୍ରଚାର କରୁଥିବା କଂଗ୍ରେସ ଏହି ନାରାକୁ ବ୍ୟାପକ କରାଉଛି ଓ ଲୋକଙ୍କ ମୁହଁରେ ମଧ୍ୟ ଉଚ୍ଚାରଣ କରାଉଛି।

ଯାହାକି ଦଳ ସପକ୍ଷରେ ଏକ ବଡ ବାତାବରଣ ତିଆରି କରିବାକୁ ସକ୍ଷମ ହୋଇଛି। ଏପରିକି ଏକ କାରକୁ ସଜାଯାଇ ସେଥିରେ ବାଏ ବାଏ କେସିଆର ଲେଖାଥିବା ଦେଖିବାକୁ ମିଳିଛି। ଯାହାକି ତେଲେଙ୍ଗାନାର କଂଗ୍ରେସ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି।

ଭୋଟରଙ୍କ ମଧ୍ୟରେ ଏହି ନାରାକୁ ବ୍ୟାପକ କରାଇବା ପାଇଁ ଦଳର ପ୍ରତ୍ୟେକ ହେଭିୱେଟ ନେତା ନିଜ ସମ୍ବୋଧନରେ ବାଏ ବାଏ କେସିଆର କହୁଥିବା ଦେଖିବାକୁ ମିଳୁଛି।

ଏପରିକି କଂଗ୍ରେସ ନେତାମାନେ ମଧ୍ୟ ଏହାକୁ ସଙ୍ଗୀତ ଆକାରରେ ତେଲେଙ୍ଗାନାବାସୀଙ୍କ ସମ୍ମୁଖରେ ପରିବେଷଣ କରୁଥିବା ଦେଖିବାକୁ ମିଳୁଛି। ଏହି କ୍ୟାମ୍ପେନର ମର୍ମକୁ ଦର୍ଶାଇବା ପାଇଁ କଂଗ୍ରେସ ପକ୍ଷରୁ ତେଲେଙ୍ଗାନାର ବେରୋଜଗାରୀ, ସ୍ୱାସ୍ଥ୍ୟ ପ୍ରସଙ୍ଗ, ଶିକ୍ଷା ତଥା ଦୁର୍ନୀତି ସମ୍ୱନ୍ଧରେ କୁହାଯାଉଛି।

ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରାଯାଉଛି। ଯାହାକି ବ୍ୟାପକ ଭାବେ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳୁଛି। ଏପରିକି କଂଗ୍ରେସ ନେତା ରାହୁଲ ଗାନ୍ଧୀ କେତେବେଳେ ଦୋସା ଦୋକାନରେ ଦୋସା ପ୍ରସ୍ତୁତ କରି ଲୋକଙ୍କୁ ଦେଉଥିବା ଦେଖିବାକୁ ମିଳୁଛି ତ କେତେବେଳେ ରାସ୍ତା କଡ଼ ଦୋକାନରେ ଚା ପିଇ ଦଳ ସପକ୍ଷରେ ମାହୋଲ ତିଆରି କରୁଥିବା ଚର୍ଚ୍ଚା ହେଉଛି।

ସେହିପରି ରାହୁଲ ପ୍ରଚାରର ଶେଷ ଦିନରେ ତେଲେଙ୍ଗାନା ରାସ୍ତାରେ ଅଟୋରିକ୍ସାରେ ବସି ବୁଲିବା ଦେଖିବାକୁ ମିଳିଥିଲା। ଯାହାକି ଚର୍ଚ୍ଚାର ଆଉ ଏକ ବଡ଼ ପ୍ରସଙ୍ଗ ପାଲଟିଛି।

ସେପଟେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କେସିଆର ଓ କଂଗ୍ରେସକୁ ତେଲେଙ୍ଗାନା ବିନାଶର ଅସଲି ପାପୀ ବୋଲି କହିଛନ୍ତି। ଏଥିସହିତ ଅନ୍ୟାନ୍ୟ ପ୍ରସଙ୍ଗ ଦ୍ୱାରା ସେ ବିଆରଏସ ଓ କଂଗ୍ରେସକୁ ଘେରିଛନ୍ତି।

ବିଆରଏସ ମଧ୍ୟ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଆସିଵାକୁ ତେଲେଙ୍ଗାନାବାସୀଙ୍କ ପ୍ରକୃତ ସାଥି ବୋଲି ଦେଖାଇବାକୁ ସବୁ ଉଦ୍ୟମ କରିଛି। ତେଣୁ ବର୍ତ୍ତମାନ ପ୍ରଚାର ମାଧ୍ୟମରେ ପ୍ରମୁଖ ଦଳ ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରିଥିବା ବେଳେ ଲୋକେ କାହାକୁ ଜିତାଇବେ ତା ଉପରେ ନଜର।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button