ଓଡିଶା

ଭାରତୀୟ ଦଳରେ ଯୋଗଦେଲେ ବାପି

ଭୁବନେଶ୍ବର: ଡେଙ୍ଗୁରୁ ସୁସ୍ଥ ହେବା ପରେ ଓଡ଼ିଶାର ଯୁବ ଧାବକ ବାପି ହାଁସ୍ଦା ମଙ୍ଗଳବାରଠୁ ଲିମାରେ ଆୟୋଜିତ ହେବାକୁ ଥିବା ୨୦ ବର୍ଷରୁ କମ୍ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ଯୋଗ ଦେଇଛନ୍ତି। ୩ ଦିନ ତଳେ ଡେଙ୍ଗୁ ଯୋଗୁଁ ତାଙ୍କ ବିନା ଭାରତୀୟ ଦଳ ଲିମା ଗସ୍ତ କରିଥିଲା। ହେଲେ ସେ ସୁସ୍ଥ ହୋଇଥିବାରୁ ତାଙ୍କୁ ଦଳରେ ସାମିଲ କରାଯାଇଛି।

ବାପି ଏହି ପ୍ରତିଯୋଗିତାରେ ୪୦୦ ମିଟର ଓ ୪୦୦ ମିଟର ରିଲେରେ ଭାଗ ନେବେ। ବାପିଙ୍କ ସହ ଭାରତୀୟ ରିଲେ ଦଳ ଅଙ୍କୁଲ, ରିହାନ ଚୌଧୁରୀ, ଅବିରାମ ପ୍ରମୋଦ ଓ ଜୟ କୁମାର ରହିଛନ୍ତି। ଭିସା ସମସ୍ୟା ପାଇଁ ସେ ଚଳିତ ବର୍ଷ ଦୁବାଇରେ ଆୟୋଜିତ ହୋଇଥିବା ୨୧ତମ ଏସୀୟ ୨୦ ବର୍ଷରୁ କମ୍ ଦୌଡ଼କୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରି ନଥିଲେ। ଡେଙ୍ଗୁ ଯୋଗୁଁ ବିଶ୍ବ ପ୍ରତିଯୋଗିତାରୁ ବାଦ୍ ପଡ଼ିବା ପରେ ପୁଣି ସାମିଲ ହେବା ତାଙ୍କ ଖୁସିକୁ ଦ୍ବିଗୁଣିତ କରିଛି।

ବାଲେଶ୍ବର ଜିଲ୍ଲା ବସ୍ତାର ବାପି ୨୦୧୯ରେ କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥ୍ଲେଟିକ୍ସ ଉଚ୍ଚ ଗୁଣବତ୍ତା କେନ୍ଦ୍ରରେ ଯୋଗ ଦେଇଥିଲେ। ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ ଓୱେନ୍ସଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ନେଉଥିବା ବାପି ଆରମ୍ଭରୁ ୮୦୦ ମିଟରରେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ପରବର୍ତ୍ତୀ ସମୟରେ ସେ ଓୱେନ୍ସଙ୍କ ପରାମର୍ଶରେ ୪୦୦ ମିଟର ବାଧାଦୌଡ଼ ଓ ଦୌଡ଼ରେ ଖେଳିଥିଲେ। ଗତ ବର୍ଷ ମାର୍ଚ୍ଚରେ ଉଡୁପିରେ ଆୟୋଜିତ ହୋଇଥିବା ଅଷ୍ଟାଦଶ ଜାତୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତାରେ ସେ ୪୦୦ ମିଟର ବାଧାଦୌଡ଼ରେ ବିଜେତା ହୋଇଥିଲେ। ହିଟ୍ରେ ୫୧.୯୦ ସେକେଣ୍ଡ ଓ ଫାଇନାଲ୍ରେ ୫୧.୯୫ ସେକେଣ୍ଡରେ ରେସ୍ ଶେଷ କରିଥିଲେ। ଏହା ପର ମାସରେ ସେ ପ୍ରଥମ ଭାରତୀୟ ଭାବେ ୨୦୨୩ ଏସୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତା (ଉଜବେକିସ୍ତାନ)ରେ ରୌପ୍ୟ ଜିତି ଇତିହାସ ରଚିଥିଲେ। ପୋର୍ଟ ଅଫ୍ ସ୍ପେନ୍ରେ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ୪୦୦ ମିଟର ବାଧାଦୌଡ଼ ଫାଇନାଲ୍ରେ ପହଞ୍ଚିଥିଲେ। ଚଳିତ ବର୍ଷ ଲକ୍ଷ୍ନୌରେ ଆୟୋଜିତ ୨୦ ବର୍ଷରୁ କମ୍ ଜାତୀୟ ଫେଡେରେସନ କପ୍ରେ ୪୦୦ ମିଟର ଦୌଡ଼ରେ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୪୬.୯୦ ସେକେଣ୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାପରେ ଜୁନ୍ରେ ଇଣ୍ଡିଆନ୍ ୧୮ ବର୍ଷରୁ କମ୍ ପ୍ରତିଯୋଗିତା (ବିଳାଶପୁର)ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button