ଓଡିଶା

୬୧ ବର୍ଷରେ ୫୧ ନିର୍ଦ୍ଦେଶକ: ବିଭାଗକୁ ନବୁଝୁଣୁ ବଦଳି ଯାଉଛନ୍ତି ଅଧିକାରୀ

ଭୁବନେଶ୍ବର: ନୂଆ ସରକାର ବୁଧବାର ଆଇଏଏସ୍‌ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏହିକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏଙ୍କର ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ରାଜସ୍ବ ପର୍ଷଦ ସଚିବ ଭାବେ କାର୍ଯ୍ୟ କରୁଥିବା ୨୦୦୦ ବ୍ୟାଚ୍‌ ଆଇଏଏସ୍‌ ବିଜୟକେ‌ତନ ଉପାଧ୍ୟାୟଙ୍କୁ ଦାୟିତ୍ବ ମିଳିଛି।

ଏଥିସହ ବିଭାଗର ସ୍ବତନ୍ତ୍ର ସଚିବ ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଶ୍ରୀ ଦାଶଙ୍କ ସ୍ଥାନରେ ସରକାର ନିଯୁକ୍ତି ଦେଇ ନଥିବାରୁ ଖାଲି ପଡ଼ିଛି। ତେବେ କର୍ମଚାରୀ ସଙ୍କଟ, ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବାରମ୍ବାର ବଦଳି ବିଭାଗକୁ ପଛକୁ ଟାଣୁଛି ବୋଲି ଚର୍ଚ୍ଚା ହେଉଛି।

ଓଡ଼ିଆ ଅସ୍ମିତା ନାରା ଦେଇ ଓଡ଼ିଶାରେ ବିଜେପି ଦଳ ସରକାର ଗଢ଼ିଛି। ସରକାରକୁ ଆସିବା ପରେ ଓଡ଼ିଆରେ ପ୍ରଶାସନିକ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ବାସ୍ତବରେ ପରିଣତ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବଡ଼ ଦାୟିତ୍ବ ରହିଛି। ସେହିପରି ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଦୃଷ୍ଟିରୁ ବିଭାଗ ଉପରେ ମଧ୍ୟ ଗୁରୁ ଦାୟିତ୍ବ ରହିଛି। ହେଲେ ବିଭାଗର ମୁଖ୍ୟ ଅଙ୍ଗ କୁହାଯାଉଥିବା ଏକାଡେମୀ ଓ ପ୍ରତିଷ୍ଠାନ ଗୁଡ଼ିକ ଅଚଳ ପ୍ରାୟ। କାରଣ ବିଭାଗ ଅଧୀନରେ ଥିବା ‘ଓଡ଼ିଶା ସାହିତ୍ୟ ଏକାଡେମୀ’, ‘ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ’, ‘ ଓଡ଼ିଶା ଲଳିତ କଳା ଏକାଡେମୀ’ ଓ ‘ଓଡ଼ିଶା ଉର୍ଦ୍ଦୁ ଏକାଡେମୀ’ର ଗୁରୁତ୍ବପୂର୍ଣ୍ଣ ପଦବି ଖାଲି ପଡ଼ିଛି। କେବଳ କାମ ଚଳାଇବା ପାଇଁ ବିଭାଗୀୟ ଅଧିକାରୀ ଦାୟିତ୍ବରେ ଅଛନ୍ତି। ଏହି ପଦବୀ ଗୁଡ଼ିକର ନିଯୁକ୍ତି କିପରି ହେବ ତାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିଲେ ହେଁ ଏ ସମ୍ପର୍କରେ ନୂଆ ସରକାର କିଛି ସ୍ପଷ୍ଟ କରି ନାହାନ୍ତି। ଆଶ୍ଚର୍ଯ୍ୟର କଥା, ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର କାର୍ଯ୍ୟକାଳ ବର୍ଷେରୁ ଅଧିକ ସମୟ ହେବ ସରିଥିଲେ ବି ଏଯାଏ ତାହା ଗଠନ ହୋଇ ପାରୁନାହିଁ। ଫଳରେ ସାହିତ୍ୟ ଏକାଡେମୀ ପୁରସ୍କାର ଠାରୁ ଆରମ୍ଭ କରି ଅନେକ ଗୁରୁତ୍ବପୂର୍ଣ୍ଣ କାମ ଅଧାରେ ରହିଛି। ସେହିପରି ଓଡ଼ିଆ ଭାଷାର ବ୍ୟବହାରରେ ମୁଖ୍ୟ ଭୂମିକା ଥିବା ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ଲକ୍ଷ୍ୟଠାରୁ ବହୁଦୂରରେ। ଭାରପ୍ରାପ୍ତ ମୁଖିଆ ଓ ଠିକା କର୍ମଚାରୀରେ ପ୍ରତିଷ୍ଠାନ କେମିତି ଚାଲିଛି ତାହା ସରକାରଙ୍କୁ ଜଣା।

ସୂଚନାନୁସାରେ ୧୯୬୩ ମସିହାରେ ବି. ଭେଙ୍କଟରମଣଙ୍କ ଠାରୁ ଦିଲ୍ଲୀପ ରାଉତରାୟଙ୍କ ପର୍ଯ୍ୟନ୍ତ ୬୧ ବର୍ଷରେ ୫୧ ଜଣ ନିର୍ଦ୍ଦେଶକ ରହି ସାରିଛନ୍ତି। ତେବେ ୩ ମେ ୨୦୨୩ରେ ଶ୍ରୀ ରାଉତରାୟ ଭାର ଗ୍ରହଣ କରିଥିଲେ। ମାତ୍ର ୧୫ ମାସର ବ୍ୟବଧାନରେ ସରକାର ତାଙ୍କୁ ବଦଳି କରିଛନ୍ତି। ଶ୍ରୀ ରାଉତରାୟଙ୍କ ପୂର୍ବରୁ ରଂଜନ କୁମାର ଦାସଙ୍କର ୨ ବର୍ଷ ବ୍ୟବଧାନରେ ବଦଳି ହୋଇଥିଲେ। ତାଙ୍କ ପୂର୍ବରୁ ବିଜୟ କୁମାର ନାୟକ ମଧ୍ୟ ୨ ବର୍ଷରୁ କମ୍‌ ସମୟ ରହି ବଦଳି ହୋଇଥିଲେ। ସେହିପରି ବର୍ତ୍ତମାନ ବିଭାଗର ସଚିବ ଶାଲିନୀ ପଣ୍ଡିତ ସ୍ବାସ୍ଥ୍ୟ ସଚିବ ମଧ୍ୟ ଅଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ ପରେ ତାଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଉଚ୍ଚ ପଦସ୍ତ ଅଧିକାରୀଙ୍କ ବାରମ୍ବାର ବଦଳି, କର୍ମଚାରୀ ଅଭାବ ବିଭାଗକୁ ଦିନକୁ ଦିନ ଦୁର୍ବଳ କରିଛି। ଅନ୍ୟପଟେ ଓଡ଼ିଶାର ବିଜେପି ସରକାର ଏହି ବିଭାଗ ଜରିଆରେ ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାକୁ ଲକ୍ଷ୍ୟ ରଖିଛି। ଏହା କେମିତି ସମ୍ଭବ ତାକୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି। ତେବେ ନୂଆ ନିର୍ଦ୍ଦେଶକଙ୍କ ଉପରେ ବଡ଼ ଦାୟିତ୍ବ ରହିଛି। ଦୁର୍ବଳ ଭିତ୍ତିଭୂମି ଉପରେ ବସି ନିର୍ଦ୍ଦେଶକଙ୍କ କିଭଳି ସରକାରଙ୍କ ଉଦ୍ଦେଶ୍ୟକୁ ସଫଳ କରିବେ ତାହା ସମୟ କହିବ

Related Articles

Leave a Reply

Your email address will not be published. Required fields are marked *

Back to top button