ସ୍ୱାସ୍ଥ୍ୟସେବାରେ ଭଦ୍ରକ ଜିଲ୍ଲାର ବିକଳ ଚିତ୍ର, ୬୨% ଡାକ୍ତର ପଦବି ଖାଲି

ଭଦ୍ରକ, ୨୮/୦୮ : ଏ କେଉଁ ଦୁର୍ଗମ ବା ଉପାନ୍ତ ଅଞ୍ଚଳ ନୁହଁ । ବିକଶିତ ଓଡ଼ିଶାର ଉପକୂଳବର୍ତ୍ତି ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଯେଉଁଠି ଅଧାରୁ ଅଧିକ ଅର୍ଥାତ ୬୨ ପ୍ରତିଶତ ଡାକ୍ତର ପଦ ଖାଲି । କେବଳ ଡାକ୍ତର ନୁହଁ, ଚିକତ୍ସାଳୟରେ ନିୟୋଜିତ ଅନ୍ୟ କର୍ମଚାରୀଙ୍କ ପଦବୀ ବି ବହୁ ନଗଣ୍ୟ ରହିଛି । ପଦବି ଅଛି, ପଦାଧିକାରୀ ନାହାନ୍ତି ।
ଚେୟାର ପଡ଼ିଛି, କର୍ମଚାରୀଙ୍କ ଅଭାବ ଦେଖାଦେଇଛି । ତାରି ଭିତରେ ଚାଲିଛି ଜିଲ୍ଲା ସ୍ୱାସ୍ଥ୍ୟ ସେବା । ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ଆଖ୍ୟା ଦିଆଯାଇଛି । ହେଲେ ଜନସଂଖ୍ୟା ବଢୁଥିବା ବେଳେ ଅଧିକ ଡାକ୍ତର ପଦବି ସୃଷ୍ଟି ହେଉନି । ଯେତିକି ପଦବି ରହିଛି ତା’ ପୂରଣ ନ ହେବା ସ୍ୱାସ୍ଥ୍ୟ ସେବାର ପାରିବା ପଣିଆକୁ ଦର୍ଶାଉଛି । ଯଦି ଉପକୂଳ ଓଡ଼ିଶାର ଭଦ୍ରକ ଭଳି ଜିଲ୍ଲାରେ ଏଭଳି ବିକଳ ଚିତ୍ର ସ୍ୱାସ୍ଥ୍ୟ ସେବାରେ ଦେଖିବାକୁ ମିଳୁଛି, ତାହାହେଲେ ଦୁର୍ଗମ ବା ବିଚ୍ଛିର୍ଣ୍ଣାଞ୍ଚଳ ହେଉ କି କେବିକେ ଅଞ୍ଚଳ, ସେଠାକାର ସ୍ଥିତି କେମିତି ଥିବ, ତାହା ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସେବାର ସ୍ଥିତି ପରଖିଲେ ଜଳ ଜଳ ଦିଶୁଛି ।
ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସେବାରେ ଡାକ୍ତର ସଙ୍କଟ ଲାଗି ରହିଛି । ଜିଲ୍ଲା ପାଇଁ ୩୫୦ ଡାକ୍ତର ଓ ମେଡିକାଲ ଅଫିସର ପଦବି ରହିଥିଲା ବେଳେ ରହିଛନ୍ତି ମାତ୍ର ୧୩୪ ଜଣ । ଜିଲ୍ଲାରେ ୨୧୬ ଡାକ୍ତର ନାହାନ୍ତି । ଅର୍ଥାତ ସମୁଦାୟ ପଦବିର ୩୮ ପ୍ରତିଶତ ଡାକ୍ତର ରହିଥିବା ବେଳେ ବାକି ୬୨ ପ୍ରତିଶତ ଡାକ୍ତର ପଦ ଫାଙ୍କା ପଡ଼ିଛି । ଏହି ୩୮ ପ୍ରତିଶତ ପଦରୁ ବି କିଛି ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଯାଇଥିବା ବେଳେ ଆଉ କିଛି ବିଭିନ୍ନ କାରଣ ପାଇଁ ଅନୁପସ୍ଥିତ ରହୁଛନ୍ତି । ୧୩୪ ଡାକ୍ତରଙ୍କ ମଧ୍ୟରୁ ୮ ଜଣ ଯୋଗ ନ ଦେଇ ଅନେକ କାରଣ ପାଇଁ ଅନୁପସ୍ଥିତ ରହିଛନ୍ତି । ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କେବଳ ଡାକ୍ତର ନାହାନ୍ତି କହିଲେ ହେବନି । ଖୋଦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ଅନେକ ମୁଖ୍ୟ ପଦବି ଫାଙ୍କା ପଡ଼ିଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୪୧ ଡାକ୍ତର ପଦ ମଧ୍ୟରୁ ଅଛନ୍ତି ମାତ୍ର ୪୬ ଜଣ । ୯୫ଟି ଡାକ୍ତର ପଦବି ଫାଙ୍କା ପଡ଼ିଛି । ଜିଲ୍ଲା ମୁଖ୍ୟ ଦପ୍ତରର ଏତେ ସଂଖ୍ୟକ ଡାକ୍ତର ପଦ ଫାଙ୍କା ପଡ଼ିବା ଯୋଗୁଁ ରୋଗୀ ସେବାରେ ବାଧା ଉପୁଜିଛି । ଯେଉଁଥିପାଇଁ ଅଧିକାଂଶ ସମୟରେ ସାମାନ୍ୟ ରୋଗୀଙ୍କୁ କଟକ ପଠାଯାଉଥିବା ଅଭିଯୋଗ ହେଉଛି । ସେହିଭଳି ନର୍ସିଂ ଅଫିସର କ୍ଷେତ୍ରରେ ତାଜୁବ ସ୍ଥିତି ଦେଖିବାକୁ ମିଳିଛି । ଜିଲ୍ଲା ପାଇଁ ୧୩୮ ପଦବି ଥିବା ବେଳେ ଅଛନ୍ତି ମାତ୍ର ୧୦୦ ଜଣ ନର୍ସ । ବାକି ୩୮ଟି ପଦବି ଖାଲି ଥିବା ଜଣାପଡ଼ିଛି ।
ସେହିଭଳି ଫାର୍ମାସିଷ୍ଟ ୭୮ ପଦବି ମଧ୍ୟରୁ ଏବେ ସୁଦ୍ଧା ୫୭ ଜଣ କାର୍ଯ୍ୟରତ ଥିବା ବେଳେ ୨୧ ଜଣ ନାହାନ୍ତି । ଲାବୋରଟୋରୀ ଟେକ୍ନିସିଆନ ୪୨ ପଦବୀରୁ ୨୯ ଜଣ କାର୍ଯ୍ୟରତ ଥିବା ବେଳେ ୧୩ ପଦ ଅନେକ ବର୍ଷ ହେଲା ପୂରଣ ହେଉନି । ଜିଲ୍ଲା ପାଇଁ ୧୦ ଜଣ ରେଡିଓଗ୍ରାଫର ଆବଶ୍ୟକ ଥିବା ବେଳେ ଏବେ ୬ ଜଣ କାର୍ଯ୍ୟରତ ରହିଛନ୍ତି । ସେହିଭଳି ମଲ୍ଟି ପରପୋଜ ହେଲ୍ଥ ୱାର୍କର(ମହିଳା) ପଦବୀ ୨୫୪ ଥିବା .ବେଳେ ଏବେ ୧୯୮ ଜଣ କାର୍ଯ୍ୟରତ ରହିଛନ୍ତି । ୫୬ ପଦବି ଦୀର୍ଘ ଦିନ ହେଲା ଫାଙ୍କା ପଡ଼ିଛି । ପୁରୁଣା କର୍ମଚାରୀଙ୍କ ପଦ ୧୬୩ ଥିବା ବେଳେ ଅଛନ୍ତି ୧୧୬ । ସେହିଭଳି ମାଷ୍ଟର ଇନ ଫିଜିକାଲ ହେଲଥ ସାଇନସ (ମହିଳା) ପଦ ୩୧ ଥିବା ବେଳେ ୨୩ ଜଣ କାର୍ଯ୍ୟରତ ରହିଛନ୍ତି । ଏହି ବିଭାଗର ପୁରୁଷ ପଦବି ୪୮ରୁ ୩୩ ଜଣ ଅଛନ୍ତି । ଅପଥାଲ୍ମିକ୍ ଆସିଷ୍ଟାଣ୍ଡ କ୍ଷେତ୍ରରେ ସ୍ଥିତି ଉଦବେଗଜନକ ରହିଛି । ଜିଲ୍ଲା ପାଇଁ ୬ଟି ପଦବିରୁ ରହିଛନ୍ତି ମାତ୍ର ଜଣେ । ଜିଲ୍ଲାର ସ୍ୱାସ୍ଥ୍ୟ ସେବା ପରିଚାଳନାରେ ସିଡିଏମଓ, ୱିଙ୍ଗ ଅଫିସର ଆଦି ପାଇଁ ଥିବା ୮ ପଦବୀରୁ ୫ ଜଣ ରହିଥିବା ବେଳେ ୩ଟି ପଦରେ କେହି ନାହାନ୍ତି ।
ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଖୋଲିଥିବା ଟ୍ରମା କେୟାର ଅବସ୍ଥା ବି ତଦ୍ରୁପ ରହିଛି । ଆଇସିୟୁ ପାଇଁ ୩ ଜଣ ଡାକ୍ତର ରହିବାକୁ ପଦବି ଥିବା ବେଳେ କେହି ନାହାନ୍ତି । ସମୁଦାୟ ୯ ଡାକ୍ତରଙ୍କ ମଧ୍ୟରୁ ୪ ଜଣ ରହିଛନ୍ତି । ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଡାକ୍ତର ସମେତ ଅନ୍ୟାନ୍ୟ ପଦାଧିକାରୀ ୩୨ ପଦବୀରୁ ୧୫ ଖାଲି ଥିବା ବେଳେ ବାସୁୂଦେବପୁର ଡାକ୍ତରଖାନାରେ ୧୪୧ ପଦରୁ ୪୬ ଜଣ ଅଛନ୍ତି । ବାକି ୯୨ ଜଣ ଡାକ୍ତର ସମେତ ଅନ୍ୟ କର୍ମଚାରୀ ନାହାନ୍ତି । ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ର କେନ୍ଦ୍ର ପାଇଁ ଡାକ୍ତର ସମେତ ଅନ୍ୟ ପଦ ୨୭ଟି ଥିବା ବେଳେ ୯ ଜଣରେ ସେଠାରେ ସେବା ଚାଲିଛି । ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୮ ପଦରୁ ୧୨ ଜଣ ଥିବା ବଳେ ୧୬ ପଦବୀ ଅନେକ ଦିନ ହେଲା ପୂରଣ ହୋଇପାରୁନି । ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୮ ଜଣରୁ ୧୨ ଜଣ ରହିଥିବା ବେଳେ ୧୬ ପଦ ପୂରଣ ହୋଇପାରୁନି । ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୮ ପଦରୁ ୧୧ ଜଣ ଥିବା ବେଳେ ୧୭ ପଦବି ଖାଲି । ଜିଲ୍ଲାର ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବାକୁ ହେଲେ ତୁରନ୍ତ ଡାକ୍ତର ପଦ ସହ ଅନ୍ୟ ପଦ ପଦବି ପୂରଣ କରିବାକୁ ଦାବି ହେଉଛି ।