ଓଡିଶା

ଭରତପୁର ଥାନା ମାମଲା: ସତ କାଢ଼ିବ ସାଇଣ୍ଟିଫିକ୍‌ ଟେଷ୍ଟ

ଭୁବନେଶ୍ବର: ସତରେ ସେଦିନ ରାତିରେ ଭରତପୁର ଥାନାରେ ଘଟିଥିଲା କ’ଣ? ରାତି ଅଧରେ ଅଭିଯୋଗ କରିବାକୁ ଆସିଥିବା ଜଣେ ଯୁବତୀ ଓ ସାଙ୍ଗରେ ଥିବା ଭାରତୀୟ ସେନାର କ୍ୟାପ୍ଟେନ୍ଙ୍କୁ ପୁଲିସ ନିର୍ଯାତନା ଦେଲା ଏବଂ ପୀଡ଼ିତାଙ୍କୁ କୋର୍ଟ ଚାଲାଣ କରିଥିଲା। କ୍ୟାପ୍ଟେନ୍ଙ୍କୁ ନୋଟିସ୍ ଦେଇ ଛାଡ଼ିଥିଲେ ହେଁ କିଛି ସମୟ ପାଇଁ ତାଙ୍କୁ ପୁଲିସ ଥାନା ହାଜତରେ ରଖିଥିବା ଅଭିଯୋଗ ହୋଇଛି।

ଏହି ମାମଲାରେ ଓଡ଼ିଶା ହାଇକୋର୍ଟ କ୍ଷୁବ୍ଧ ହୋଇଥିବା ବେଳେ ଭାରତୀୟ ସେନା ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛି। କିନ୍ତୁ କମିସନରେଟ୍ ପୁଲିସ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ପୀଡ଼ିତା ଓ କ୍ୟାପ୍ଟେନ୍ଙ୍କ ଉପରେ ଦୋଷ ଲଦିଛନ୍ତି। ତେଣୁ କିଏ ସତ କହୁଛି? ଏହି ପ୍ରଶ୍ନ ଏବେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। ମାମଲାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଚାଲିଛି ଏବଂ ରାଜ୍ୟ ସରକାର ନ୍ୟାୟିକ ତଦନ୍ତ ପାଇଁ ମଧ୍ୟ ସୁପାରିସ କରିଛନ୍ତି। ନ୍ୟାୟିକ ତଦନ୍ତ ଆରମ୍ଭ ହୋଇନାହିଁ। କିନ୍ତୁ ଏହା ଭିତରେ କ୍ରାଇମ୍ବ୍ରାଞ୍ଚ୍ ପ୍ରକୃତ ସତ ପଦାକୁ ଆଣିବା ଲାଗି ସାଇଣ୍ଟିଫିକ୍ ପ୍ରକ୍ରିୟାରେ ଯାଞ୍ଚ କରିବାକୁ ପ୍ରସ୍ତୁତ ହୋଇସାରିଛି। କୋର୍ଟ ଅନୁମତି ଓ ପକ୍ଷଙ୍କ ସମ୍ମତିକ୍ରମେ ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ମିଛଧରା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। କେବଳ ସେତିକି ନୁହେଁ, ଗୁଜରାଟରେ ଦୀନକୃଷ୍ଣଙ୍କର ନାର୍କୋ ଟେଷ୍ଟ, ବ୍ରେନ୍ ମ୍ୟାପିଂ ଓ ମିଛଧରା (ଲାଏ ଡିଟେକ୍ସନ୍) ପରୀକ୍ଷା କରାଯିବ। ଏହି ସାଇଣ୍ଟିଫିକ୍ ପରୀକ୍ଷାରୁ କ୍ଷୀର ଓ ପାଣି ଅଲଗା ହୋଇଯିବ ବୋଲି ଚର୍ଚ୍ଚା ଜୋର୍ ଧରିଛି। କେବଳ ଆଇଆଇସି ନୁହନ୍ତି, ନିଲମ୍ବିତ ହୋଇଥିବା ଅନ୍ୟ ୪ ପୁଲିସ କର୍ମଚାରୀଙ୍କୁ ମଧ୍ୟ ମିଛଧରା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ଏଥିପାଇଁ ଆଜି କ୍ରାଇମ୍ବ୍ରାଞ୍ଚ କୋର୍ଟରେ ଆବେଦନ କରିଛି।

ଏହି ଟେଷ୍ଟ ସମୟରେ ପକ୍ଷଙ୍କଠାରେ ସୋଡିୟମ୍ ପେଣ୍ଟାଥଲ୍ ନାମକ ଏକ ଡ୍ରଗ୍ସ ଇଞ୍ଜେକ୍ଟ କରାଯାଇଥାଏ। ପକ୍ଷଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଯାଇ ଜଣେ ନିଶ୍ଚେତକ ବିଶେଷଜ୍ଞ ଇଞ୍ଜେକ୍ଟ କରନ୍ତି। ଥରକ ପାଇଁ ୫ ଏମ୍ଏଲ୍ରୁ ୧୫ଏମ୍ଏଲ୍ ପର୍ଯ୍ୟନ୍ତ ଇଞ୍ଜେକ୍ଟ କରାଯାଇଥାଏ। ଇଞ୍ଜେକ୍ଟ ହେବାର କିଛି ସମୟ ଭିତରେ ପକ୍ଷ ସଚେତନ ଅବସ୍ଥାରୁ ଅବଚେତନ ଅବସ୍ଥାକୁ ଚାଲିଆସନ୍ତି। ସେହି ଅବସ୍ଥାରେ ତାଙ୍କୁ ଯେଉଁ ପ୍ରଶ୍ନ ପଚରାଯାଏ, ସେ ସତ ହିଁ ଉଗାରିପକାନ୍ତି। କାରଣ ସେତେବେଳେ ବ୍ୟକ୍ତି ଉତ୍ତରକୁ ଅଲଗା ରୂପ ଦେବା ଅବସ୍ଥାରେ ନଥାଏ। ଫଳରେ ସତ ବାହାରି ଆସିଥାଏ।

ଏହା ଏକ ଗୁରୁତ୍ବପୂର୍ଣ୍ଣ ସାଇଣ୍ଟିଫକ୍ ଟେଷ୍ଟ। ମଣିଷର ବ୍ରେନ୍ରେ ସାଇତି ହୋଇରହିଥିବା ଘଟଣାବଳିଗୁଡ଼ିକର ପୁନଃ ଉପସ୍ଥାପନ କରିବା ହେଉଛି ଏହି ପରୀକ୍ଷାର ଲକ୍ଷ୍ୟ। ଏହି ପ୍ରକ୍ରିୟାରେ ଦୁଇଟି ଟେଷ୍ଟ ଅବଲମ୍ବନ କରିଯାଇଥାଏ। ଗୋଟିଏ ଅଡିଓ ଏବଂ ଅନ୍ୟଟି ଭିଡିଓ। ଅଡିଓ ଟେଷ୍ଟ ବେଳେ ପକ୍ଷଙ୍କୁ ଘଟଣାର ବିବରଣୀ ଶୁଣିବାକୁ ଦିଆଯାଏ। ବିଭିନ୍ନ ପ୍ରଶ୍ନ କରାଯାଏ। ଏତିକିବେଳେ ପକ୍ଷଙ୍କ ବ୍ରେନ୍ରେ ସ୍ବତଃ ଏକ କମ୍ପନ ସୃଷ୍ଟି ହୁଏ ଏବଂ ତାହା ଗ୍ରାଫ୍ରେ ପ୍ରଦର୍ଶିତ ହୋଇଥାଏ। ଏହି ଗ୍ରାଫ୍କୁ ଦେଖି ଫୋରେନ୍ସିକ୍ ସାଇକୋଲୋଜିଷ୍ଟ(ମନୋବିଜ୍ଞାନୀ) ସତ ମିଛର ମାତ୍ରା କଷିପାରନ୍ତି। ସେହିଭଳି ଭିଡିଓ ଟେଷ୍ଟ। ଏଥିରେ ପକ୍ଷଙ୍କୁ ଘଟଣାବଳିର ଭିଡିଓ ଦେଖିବାକୁ ଦିଆଯାଏ ଏବଂ ତାଙ୍କ ବ୍ରେନ୍ର କମ୍ପନ ବା ପ୍ରତିକ୍ରିୟା ଗ୍ରାଫ୍ରୁ ସତ ମିଛର ମାତ୍ରା ଧରାପଡ଼ିଯାଏ।

ଲାଏ ଡିଟେକ୍ସନ୍ ଟେଷ୍ଟ

ଜଣେ ବ୍ୟକ୍ତି ସତ ଲୁଚାଇବାକୁ ଉଦ୍ୟମ କଲାବେଳେ ଶରୀରରେ ବିଭିନ୍ନ ଅଂଗରେ ଫିଜିକାଲ୍ ଆକ୍ଟିଭିଟିରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଲ। ମିଛ କହିବାକୁ ଉଦ୍ୟମ କଲାବେଳେ ନିଶ୍ବାସ, ପ୍ରଶ୍ବାସର ବେଗ, ହୃଦ୍ସ୍ପନ୍ଦନର ମାତ୍ରାରେ ପରିବର୍ତ୍ତନ ଦେଖାଯିବ। ସେହିଭଳି ବ୍ୟକ୍ତିଙ୍କ ରକ୍ତଚାପ ମଧ୍ୟ ପ୍ରଭାବିତ ହେବ। ମିଛ କହିବାବେଳେ ଶରୀର ଥରିବ, ପାଟି ଖନି ବାଜିବ ଓ ଶରୀରରେ କିଛି ଅସ୍ବାଭାବିକ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ। ପାଖାପାଖି ୫ପ୍ରକାର ଶାରୀରିକ ପ୍ରତିକ୍ରିୟା ଜାଣିବା ପାଇଁ ପକ୍ଷଙ୍କ ଶରୀରରେ ୫ ପାରାମିଟର ଲଗାଯାଇଥାଏ। ଫୋରେନ୍ସିକ୍ ଏକ୍ସପର୍ଟ ଏସବୁ ପ୍ରତିକ୍ରିୟାରୁ ସତ ମିଛ ପରିମାଣ ଆକଳନ କରନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button