ଓଡିଶା

ବନ୍ଧାହେଲା ବ୍ଲାକ୍‌ମେଲର୍‌ ପ୍ରେମିକ ଲକ୍ଷେ ନେଇଥିଲା, ଆଉ ୭୦ ହଜାର ମାଗୁଥିଲା

ଭୁବନେଶ୍ବର: ୧୭ ତାରିଖ ରାତିରେ ନୂଆପଲ୍ଲୀ ଗଡ଼ସାହିସ୍ଥିତ ଏକ ଭଡ଼ାଘରୁ ଜଗତସିଂହପୁର କୁରଟାଲ ଗାଁର ରଶ୍ମିତା ଦାସଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଥିଲା। ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। କିନ୍ତୁ ତାଙ୍କ ଆତ୍ମହତ୍ୟା ପଛରେ ଥିଲା ଧୋକାବାଜ ପ୍ରେମିକ ଅଜିତ ଦାସର ବ୍ଲାକ୍ମେଲିଂ। ନୂଆପଲ୍ଲୀ ଥାନା ପୁଲିସ ଏହି ମାମଲାର ଖୋଳତାଡ଼ କରୁକରୁ ବ୍ଲାକ୍ମେଲର୍ ଅଜିତ କଥା ଜଣାପଡ଼ିଛି।

ବ୍ଲାକ୍ମେଲ୍ କରି ଲକ୍ଷେ ଟଙ୍କା ହାତେଇବା ପରେ ଶଠ ଅଜିତ ଆହୁରି ୭୦ ହଜାର ଟଙ୍କା ଦାବି କରିବାରୁ ରଶ୍ମିତା ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଥିଲା। ଖୋଦ ଅଜିତର ମୋବାଇଲ୍ ଫୋନ୍ରୁ ଏସବୁର ବଳିଷ୍ଠ ପ୍ରମାଣ ମିଳିବା ପରେ ପୁଲିସ ଆଜି ତାକୁ କୋର୍ଟ ଚାଲାଣ କରିଛି। ଜାମିନ ଖାରଜ ହେବାରୁ ତାକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇଦିଆଯାଇଛି।

ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ପାଖାପାଖି ୨ଗାଁର ରଶ୍ମିତା ଓ ଅଜିତ ପ୍ରାୟ ୫ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲେ। ଏମିତିକି ସେମାନେ ବିବାହ ବନ୍ଧନରେ ବାନ୍ଧିହେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଅଜିତ ଛଳନା କରୁଥିଲା ବୋଲି ରଶ୍ମିତା ବୁଝିପାରି ନଥିଲେ। କିଛି ମାସ ପୂର୍ବେ ଅଜିତ ଆସାମରେ ଏକ ଘରୋଇ କମ୍ପାନିରେ ଚାକିରି ପାଇ ସେଠାକୁ ଚାଲିଯାଇଥିଲା। ରଶ୍ମିତା ଭୁବନେଶ୍ବରସ୍ଥିତ ଏକ ସଫ୍ଟୱେୟାର୍ କମ୍ପାନିରେ ଚାକିରି ପାଇଥିଲେ। ଆସାମ ଯିବା ପରେ ଅଜିତ ବିଭିନ୍ନ ବାହାନା କରି ରଶ୍ମିତାଙ୍କୁ ଟଙ୍କା ମାଗୁଥିଲା। ରଶ୍ମିତା ମନାକରି ନ ପାରି ତାକୁ ଲକ୍ଷେ ଟଙ୍କା ଦେଇସାରିଥିଲେ। ମାତ୍ର ଅଜିତ ପୁଣି ତାଙ୍କୁ ୭୦ ହଜାର ଟଙ୍କା ମାଗିଥିଲା। ଏଥର ରଶ୍ମିତା ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରି ମନା କରିଦେଇଥିଲେ। ଏଣୁ ଅଜିତର ଖେଳ ଆରମ୍ଭ ହୋଇଯାଇଥିଲା। ଟଙ୍କା ଝଡ଼ାଇବାକୁ ସେ ବ୍ଲାକ୍ମେଲ୍ର ସାହାରା ନେଇଥିଲା। ବନ୍ଧୁତା ବେଳର କିଛି ଆପତ୍ତିଜନକ ଫଟୋ ଓ ଭିଡିଓଗୁଡ଼ିକୁ ଭାଇରାଲ୍ କରିବ ବୋଲି ଧମକ ଦେଇଥିଲା।

ଏହା ଶୁଣିବା ପରେ ରଶ୍ମିତାଙ୍କ ମୁଣ୍ଡରେ ଆକାଶ ଛିଡ଼ିପଡ଼ିଥିଲା। ଯାହାକୁ ମନପ୍ରାଣ ଦେଇ ଭଲ ପାଉଥିଲେ, ସେ ଜଣେ ଧୋକାବାଜ ବୋଲି ଜାଣିବା ପରେ ତାଙ୍କ ମାନସିକସ୍ଥିତି ବିଗିଡ଼ିଯାଇଥିଲା। ଦଶହରା ଛୁଟିରେ ରଶ୍ମିତା ଗାଁକୁ ଯାଇଥିଲେ। ଅଜିତ ମଧ୍ୟ ଗାଁକୁ ଆସିଥିଲା। ମାତ୍ର ସେମାନଙ୍କ ମଧ୍ୟରେ କୌଣସି ଆପୋସ ସମାଧାନ ହୋଇପାରିନଥିଲା। ତେଣୁ ୧୭ ତାରିଖ ସକାଳୁ ରଶ୍ମିତା ଭୁବନେଶ୍ବର ଫେରିଆସିଥିଲେ। ସେଦିନ ଦିନସାରା ଅଜିତ ତାଙ୍କୁ ବାରମ୍ବାର ଫୋନ୍ କରିଥିଲା ଏବଂ ୭୦ ହଜାର ଟଙ୍କା ଦାବି କରିକରି ହଇରାଣ କରିଥିଲା। ତେଣୁ ରାଗରେ ରଶ୍ମିତା ତାଙ୍କ ମୋବାଇଲକୁ ତଳେ କଚାଡ଼ି ଭାଙ୍ଗି ଦେଇଥିଲେ ଏବଂ ବେକରେ ଓଢ଼ଣି ବାନ୍ଧି ଫ୍ୟାନ୍ରେ ଝୁଲିପଡ଼ିଥିଲେ। ରଶ୍ମିତାଙ୍କ ବାପା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୋବାଇଲ୍ ଟ୍ରାକ୍ କରି ଅଜିତକୁ ଠାବ କରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button