ଓଡିଶା

ଦାରିଙ୍ଗବାଡ଼ି: ଖସୁଛି ପାରଦ, ବଢୁଛି ଥଣ୍ଡା ଓ କୁହୁଡ଼ି

ଫୁଲବାଣୀ: ଓଡ଼ିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତ ତାର କାୟା ବିସ୍ତାର କରି ଚାଲିଛି। ଯେଉଁଠି ପାରଦ ଖସୁଛି ସେଠି ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି।‌ସତେ ଯେମିତି କୁହୁଡ଼ି ଚାଦର ତଳେ ଛାଇ ହୋଇ ରହୁଛି ଦାରିଙ୍ଗବାଡ଼ି। ବିଳମ୍ବିତ ରାତିରୁ ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖାଯିବା ସହ କାକର ପରିଲକ୍ଷିତ ହେଉଛି। ତାପମାତ୍ରା ଦିନକୁ ଦିନ ଖସି ଏବେ ୧୦ ଡିଗ୍ରୀ ପାଖାପାଖି ପହଞ୍ଚିଲାଣି। ଶୁକ୍ରବାର ଗୋଟିଏ ରାତିରେ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ ହ୍ରାସ ପାଇବା ଏହାର ନଜିର। ଗତ ୨୦ ତାରିଖରେ ପାରଦ ଖସି ଚଳିତ ବର୍ଷର ଏଯାବତ୍ ସର୍ବନିମ୍ନ ୧୦ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ଆଗକୁ ପାରଦ ଆହୁରି କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଲୋକେ ଦିନ ରାତିର ଅଧିକାଂଶ ସମୟ ଶୀତବସ୍ତ୍ରରେ ନିଜକୁ ଘୋଡାଇ ରଖୁଛନ୍ତି।

ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ଦେଶ ବିଦେଶର ପର୍ଯ୍ୟଟକମାନେ କନ୍ଧମାଳ ବିଶେଷ କରି ଦାରିଙ୍ଗବାଡି ଶୀତର ମଜା ନେବାକୁ ଛୁଟି ଆସିବା ଆରମ୍ଭ କରିଲେଣି। ଦାରିଙ୍ଗବାଡ଼ିର ହିଲ୍‌ ଭିୟୁ ପାର୍କ, ନେଚର୍ ପାର୍କ, କଫି ବଗିଚା, ମିଡିୟୁବାନ୍ଦା ଜଳପ୍ରପାତ, ନିକଟବର୍ତ୍ତୀ କିରିକୁଟିର ଲଭର୍ସ ପଏଣ୍ଟ, ଏମୁ ପକ୍ଷୀ ପାର୍କ, ଗ୍ରୀନ୍‌ବାଡ଼ିର ସନ୍‌ସେଟ୍ ପଏଣ୍ଟ୍ ଭଳି ପର୍ଯ୍ୟଟନସ୍ଥଳୀରେ ପରିଭ୍ରମଣକାରୀଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ମାସ ପହିଲାରୁ ଆରମ୍ଭ ହେବାକୁ ଯାଉଥିବା ଇକୋ ରିଟ୍ରିଟ୍ ଟୁରିଷ୍ଟ ସଂଖ୍ୟାକୁ ବେଶ୍ ବୃଦ୍ଧି କରିବା ଆଶା କରାଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦାରିଙ୍ଗବାଡ଼ି ହିଲ୍‌ ଭିୟୁ ଛକ ନିକଟରେ ୨୫ ଗୋଟି ତମ୍ବୁ ନିର୍ମାଣ କରାଯାଉଛି। ଆକର୍ଷଣୀୟ ବିଶାଳ ତୋରଣ, ସ୍ବାଗତ କକ୍ଷ, ପାନୀୟ ଜଳ- ରାସ୍ତା କାମ- ବିଦ୍ୟୁତ୍ ସଂଯୋଗ ଆଦି ବ୍ୟବସ୍ଥା କରାଯାଉଛି। ପୂର୍ବ ଦୁଇ ବର୍ଷରେ ଆୟୋଜିତ ଇକୋ ରିଟ୍ରିଟ୍ ବେଶ୍ ସଂଖ୍ୟାରେ ଆଗନ୍ତୁକଙ୍କୁ ଆକୃଷ୍ଟ କରିଥିଲା। ଚଳିତ ବର୍ଷ ସେଥିରେ କିଛି ନୂତନତ୍ବ ଅଣାଯାଉଛି। ଚାରି ପଟେ ପାହାଡ଼ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ସମସ୍ତଙ୍କ ଅପେକ୍ଷା। ତିନି ମାସ ପାଇଁ ଅର୍ଥାତ୍ ଫେବୃଆରୀ ମାସ ପର୍ଯ୍ୟନ୍ତ ହେବାକୁ ଥିବା ଇକୋ ରିଟ୍ରିଟ୍ ପାଇଁ ଅନ୍‌ଲାଇନରେ ବୁକିଂ କରିହେବ।

Related Articles

Leave a Reply

Your email address will not be published. Required fields are marked *

Back to top button