ରାଜନୀତି

ଅନାସ୍ଥା ନୋଟିସ୍‌ ନେଇ ପ୍ରବଳ ହଟ୍ଟଗୋଳ: ରାଜ୍ୟସଭା ମୁଲତବୀ, ବିରୋଧୀଙ୍କୁ ଘେରିଲେ ରିଜିଜୁ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ନୋଟିସ୍‌ ନେଇ ଆଜି ଗୃହରେ ପ୍ରବଳ‌ ହଟ୍ଟଗୋଳ ହୋଇଛି। ପୂର୍ବାହ୍ନ ୧୧ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ଲଗାତାର ହଙ୍ଗାମା ଯୋଗୁଁ ଗୃହକୁ ମୁଲତବୀ ରଖାଯାଇଥିଲା। କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଏନେଇ ବିରୋଧୀ ଦଳମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିରୋଧୀ ଦଳ ନେତାମାନେ ଉପରାଷ୍ଟ୍ରପତିଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣି କେବଳ ଅନର୍ଥ ସୃଷ୍ଟି କରିବା ଏବଂ ଗୃହକାର୍ଯ୍ୟ କରାଇ ନଦେବାକୁ ଯୋଜନା କରିଛନ୍ତି ବୋଲି ରିଜିଜୁ କହିଛନ୍ତି। ଏଥିସହ ବିଲିୟନେୟାର ନିବେଶକ ଜର୍ଜ‌୍ ସୋରୋସ୍‌ଙ୍କ ସହ କଂଗ୍ରେସର କ’ଣ ସମ୍ପୃକ୍ତି ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ରିଜିଜୁ କହିଛନ୍ତି, ୭୨ ବର୍ଷ ମଧ୍ୟରେ ଜଣେ କୃଷକଙ୍କ ପୁଅ ଉପରାଷ୍ଟ୍ରପତି ହେଲେ। ସେ ସଂସଦ ଏବଂ ସମ୍ବିଧାନର ସମ୍ମାନ ରକ୍ଷା‌ କରିଛନ୍ତି। ସାରା ଭାରତ ଦେଖୁଛି ଉପରାଷ୍ଟ୍ରପତି କିଭଳି ସଂସଦର ସମ୍ମାନ ରକ୍ଷା କରିଛନ୍ତି।

ଆପଣମାନେ (ବିରୋଧୀ ଦଳ ସାଂସଦ) କେବଳ ଉପରାଷ୍ଟ୍ରପତିଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ କରୁଛନ୍ତି। ଯଦି ଆପଣମାନେ ଆସନକୁ ସମ୍ମାନ ଦେଇପାରୁନାହାନ୍ତି ତେବେ ଆପଣମାନଙ୍କର ସଂସଦ ସଦସ୍ୟ ହେବାର ଯୋଗ୍ୟତା ନାହିଁ। ରିଜିଜୁ କହିଛନ୍ତି, ଆମେ କେବଳ ସୋନିଆ ଗାନ୍ଧୀଙ୍କର ସୋରୋସଙ୍କ ସହ ସମ୍ପୃକ୍ତି ଥିବା କଥା କହୁନୁ, ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟ ଏକଥା କହୁଛି। ଦେଶ ବିରୋଧରେ ଯିଏ କାର୍ଯ୍ୟ କରୁଛି ତା’ ସହ ସମ୍ପୃକ୍ତି ପାଇଁ ଆପଣମାନଙ୍କୁ ଲଜ୍ଜା ଲାଗିବା ଉଚିତ।‌ ସୋରୋସ ଭଳି ଆପଣ ମଧ୍ୟ ସମାନ ଭାଷା ବ୍ୟବହାର କରୁଛନ୍ତି। ଭାରତ ବିରୋଧୀ ଗୋଷ୍ଠୀ ସହ କାର୍ଯ୍ୟ କରୁଛନ୍ତି। ମନ୍ତ୍ରୀ ରିଜିଜୁ କହିଛନ୍ତି, କଂଗ୍ରେସ କ୍ଷମା ମାଗିବା ଉଚିତ। ସୋରୋସ ଏବଂ କଂଗ୍ରେସ ମଧ୍ୟରେ ସମ୍ପର୍କ କ’ଣ । ଯଦି ଆପଣମାନେ ଉପରାଷ୍ଟ୍ରପତି ପଦବି ଉପରେ ଆକ୍ରମଣ କରିବେ ଆମେ ଏହାକୁ ସୁରକ୍ଷା ଦେବୁ। ଆପଣମାନଙ୍କୁ ଆମେ ସଫଳ ହେବାକୁ ଦେବୁନି। ଆପଣମାନେ ଗଣତନ୍ତ୍ରର ହତ୍ୟା କରିଛନ୍ତି ବୋଲି ରିଜିଜୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ବିରୋଧୀଙ୍କ ଉପରେ ବର୍ଷିଥିଲେ। ଫଳରେ ଜୋରଦାର ହୋହଲ୍ଲା ହୋଇଥିଲା ଏବଂ ଗୃହ ଅପରାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପୁଣିଥରେ ଗୃହକାର୍ଯ୍ୟ ଆରମ୍ଭ ହେବାପରେ ମଧ୍ୟ ସମାନ ସ୍ଥିତି ଲାଗି ରହିବାରୁ କୌଣସି କାର୍ଯ୍ୟ ହୋଇପାରି ନଥିଲା।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button