ଦେଶ ବିଦେଶ

ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ଗୋବର୍ଦ୍ଧନର ଶୋକ

ପ୍ରଭୁ ଶ୍ରୀରାମ ଥିଲେ ସମଦୃଷ୍ଟିସଂପନ୍ନ। ଜୀବଠାରୁ ଜଡ଼ ପର୍ଯ୍ୟନ୍ତ ପ୍ରତ୍ୟେକେ ଥିଲେ ତାଙ୍କ ଦୃଷ୍ଟିରେ ସମାନ। ଯେତେବେଳେ ପ୍ରଭୁ ବରୁଣଦେବଙ୍କ ପ୍ରସ୍ତାବରେ ଓ ନଳ ନୀଳଙ୍କ ସହଯୋଗରେ ସମୁଦ୍ର ମଧ୍ୟରେ ବନ୍ଧ ବାନ୍ଧିବାକୁ ଯୋଜନା ହେଲା, ସୁଗ୍ରୀବଙ୍କ ବାନରସେନା ସମଗ୍ର ଭୂଭାରତରୁ ଉଚ୍ଚ ଉଚ୍ଚ ପର୍ବତ, ଚଟାଣ, ଶିଳାଖଣ୍ଡ, ବିଶାଳ ବିଶାଳ ବୃକ୍ଷଲତା ବୋହିଆଣି ସମୁଦ୍ରକୂଳରେ ଜମା କଲେ।

ସେତୁବନ୍ଧ ବନ୍ଧା ଆରମ୍ଭ ଏବଂ ସମାପନ ହେଲା। ହନୁମାନ ହିମାଳୟ ଯାଇ ବିଶାଳ ପର୍ବତମାନ ବୋହି ଆଣୁଥିଲେ। ସେହି ସମୟରେ ଗିରିରାଜ ନାମକ ଏକ ବିଶାଳ ପର୍ବତକୁ ହିମାଳୟରୁ ଆଣି ମଥୁରା ମଣ୍ଡଳରେ ରଖି କାମ କେତେବାଟ ଗଲା ଦେଖିବାକୁ ହନୁମାନ ଚାଲି ଆସିଲେ। କାମ ଶେଷ ହୋଇଥିବାରୁ ସେତେବେଳେ ଯେଉଁ ପର୍ବତ ଓ ପଥରଖଣ୍ଡ ବଳକା ରହିଲା, ତାହାକୁ ପୁନର୍ବାର ସ୍ୱସ୍ଥାନରେ ସ୍ଥାପନ କରି ଆସିବା ପାଇଁ ରାମଚନ୍ଦ୍ର ବାନରମାନଙ୍କୁ ଆଦେଶ ଦେଲେ; ଯାହା ଫଳରେ ସେଥିରେ ନିବାସ କରୁଥିବା ପଶୁପକ୍ଷୀମାନେ ନିଜ ସ୍ଥାନରେ ଆନନ୍ଦରେ ରହିପାରିବେ।

ହନୁମାନ ଯେତେବେଳେ ଏହା ଜାଣିଲେ, ସେ ଫେରିଆସି ଗିରିରାଜଙ୍କୁ ହିମାଳୟରେ ନେଇ ସ୍ଥାପନ କରିବାପାଇଁ ବାହାରିଲେ। ଏଥିରେ ଶୋକାଭିଭୂତ ହୋଇ ଗିରିରାଜ କ୍ରନ୍ଦନ କରିବାକୁ ଲାଗିଲେ। ହନୁମାନ ସେହି କ୍ରନ୍ଦନର କାରଣ ପଚାରିବାରୁ ଗିରିରାଜ କହିଲେ, “ମୁଁ ହିମାଳୟରୁ ଆପଣଙ୍କ ସହିତ ଆସିଥିଲି ପ୍ରଭୁଙ୍କୁ ଦର୍ଶନ କରି ଏବଂ ତାଙ୍କ କାର୍ଯ୍ୟରେ ସହଯୋଗ କରି ନିଜକୁ କୃତାର୍ଥ କରିବାକୁ। ହେଲେ ମୋର କୌଣସି ଇଚ୍ଛା ପୂର୍ଣ୍ଣ ହେଲା ନାହିଁ।” ହନୁମାନ ଆସି ଏହା ରାମଚନ୍ଦ୍ରଙ୍କୁ ଜଣାଇଲେ। ଏହା ଶୁଣି ରାମଚନ୍ଦ୍ର କହିଲେ, “ଗିରିରାଜ ଯେଉଁଠାରେ ଅଛନ୍ତି ସେହିଠାରେ ଥାଆନ୍ତୁ। ତାଙ୍କୁ କହିଆସ, ସେ ଶୋକ ପରିହାର କରନ୍ତୁ। ଏ ଜନ୍ମରେ ନୁହେଁ, ଦ୍ୱାପର ଯୁଗରେ ସେ ମୋର ଦର୍ଶନ ପାଇବେ ଏବଂ ଲୀଳା ସହଚର ମଧ୍ୟ ହେବେ। ତାଙ୍କର ନାଆଁ ଅନୁସାରେ ମୋର ନାଆଁ ହେବ ଗିରିଧର। ଗୋପାଳ ଓ ଗୋବତ୍ସାଙ୍କର ରକ୍ଷାକର୍ତ୍ତା ହେତୁ ତାଙ୍କର ନାମ ହେବ ଗୋବର୍ଦ୍ଧନ। ତାଙ୍କର ଏହି ସହଯୋଗ ପାଇଁ ଯୁଗ ଯୁଗ ଧରି ଭକ୍ତମାନେ ତାଙ୍କୁ ପୂଜା କରିବେ। ଖାଲି ସେତିକି ନୁହେଁ, ମୁଁ ତାଙ୍କୁ ମୋର ହସ୍ତରେ ଧାରଣ କରିବି।”

ଏହା ଶୁଣି ଆନନ୍ଦରେ ଶୋକ ପରିତ୍ୟାଗ କରି ଗିରିରାଜ ଗୋବର୍ଦ୍ଧନ ଯମୁନା ତଟଦେଶରେ ଦ୍ୱାପର ଯୁଗକୁ ଅପେକ୍ଷା କରି ରହିଲେ। ନିଜର ଐକାନ୍ତିକ ଭକ୍ତି ଓ ଶ୍ରଦ୍ଧା ହେତୁ ତ୍ରେତୟା ଓ ଦ୍ୱାପର ଅତିକ୍ରାନ୍ତ ହେଲା ପରେ ମଧ୍ୟ କଳିଯୁଗରେ ଆଜି ବି ସେ ପୂଜନୀୟ ହୋଇ ରହିଛନ୍ତି।
-ଡକ୍ଟର ତୁଳସୀ ଓଝା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button