ପ୍ରଶାନ୍ତ ନନ୍ଦଙ୍କ କେବଳ ଗୋଟିଏ ସିନେମାରେ ସଙ୍ଗୀତ ନିର୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି – Utkal Mail
ଭୁବନେଶ୍ୱର: ଓଡ଼ିଆ ସିନେମାକୁ ଆଗେଇନେବାରେ ପ୍ରାଥମିକ ପର୍ଯ୍ୟାୟରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ଅବଦାନକୁ କେହି ଅସ୍ବୀକାର କରିପାରିବେ ନାହିଁ। ସେମାନଙ୍କ ଭିତରୁ ଦୁଇ ଦିଗଗଜ ହେଲେ ଅକ୍ଷୟ ମହାନ୍ତି ଓ ପ୍ରଶାନ୍ତ ନନ୍ଦ। ପ୍ରଥମଜଣକ ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା ଓ ଆରଜଣକ ସୋ’ମ୍ୟାନ୍। ଉଭୟେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।
ଆଜି ହେଉଛି ଚିରସବୁଜ ଗାୟକ, ଗୀତିକାର, ସଙ୍ଗୀତକାର ସାହିତ୍ୟିକ, ଅଭିନେତା ଓ ନିର୍ଦେଶକ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ। ଅକ୍ଷୟ ବହୁ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି। ଏଣେ ପ୍ରଶାନ୍ତ ବି କେତେକକ ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା ଛବିର ନିର୍ଦେଶକ। ହେଲେ ସଙ୍ଗୀତକାର ଭାବେ ଅକ୍ଷୟ ମହାନ୍ତି ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶିତ କେବଳ ଗୋଟିଏ ଓଡ଼ିଆ ଛବିରେ କାମ କରିଥିଲେ। ଏହି ସିନେମା ହେଲା ୧୯୮୩ରେ ମୁକ୍ତିଲାଭ କରିଥିବା ‘ସ୍ୱପ୍ନ ସାଗର’। ଏଥିରେ ଗୀତ ରଚନା କରିଥିଲେ ନିଜେ ଅକ୍ଷୟ ମହାନ୍ତି ଓ ଦେବଦାସ ଛୋଟରାୟ।
ଏଥିରେ ଥିବା ୫ଟିଯାକ ଗୀତ ସୁପରହିଟ୍ ହୋଇଥିଲା। ଏହି ଗୀତଗୁଡ଼ିକ ହେଲା ଏ ପାଣିରେ ପାଣିରେ ପାଣି ଚାଲଯିବା ଆଣି…, ବାଟୋଇ ଭାଇ ଯାଉଛ କାହିଁ…, ଶିକାରୀ ଶିକାରୀ ତୁ…, ସେଇ ଦ୍ବୀପ ଅଛି ସେଇ ଫୁଲ ଅଛି…, ଚିଠି ମୋର ଟିକି ଚଢ଼େଇ….। ଅକ୍ଷୟ ମହାନ୍ତି, ଅନୁରାଧା ଓ ଲୀଳା ଏହି ଗୀତଗୁଡ଼ିକରେ କଣ୍ଠଦାନ କରିଥିଲେ। ଏହି ଗୀତଗୁଡ଼ିକୁ ଯେଉଁଭଳି ସଫଳତା ମିଳିଥିଲା, ତାହା କ୍ବଚିତ୍ ଘଟିଛି ଅନ୍ୟ ଓଡ଼ିଆ ସିନେମା କ୍ଷେତ୍ରରେ। କିନ୍ତୁ ଏହାପରେ ଅକ୍ଷୟ ମହାନ୍ତି ଓ ପ୍ରଶାନ୍ତ ନନ୍ଦ ଏକାଠି ଅନ୍ୟ କୌଣସି ସିନେମାରେ ଏକାଠି କାମ କରିନାହାନ୍ତି।
ଏହା ଅବଶ୍ୟ ଭିନ୍ନ କଥା ଯେ ଅକ୍ଷୟ ମହାନ୍ତି ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶିତ ‘ମା’ଓ ମମତା’ (୧୯୮୦)ରେ କଣ୍ଠଦାନ କରିବା ସହ ଗୀତ ରଚନା କରିଥିଲେ। ଏହାଛଡ଼ା ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶିତ ‘ପୂଜା’ (୧୯୮୧)ରେ ବି ହିପ୍ ହିପ୍ ହୁରରେ, ଗାଡ଼ିଯାଏ ଗଡ଼ିରେ… ଗୀତରେ ବି କଣ୍ଠଦାନ କରିଥିଲେ। ‘ମା’ଓ ମମତା’ର ସ୍ବରକାର ଥିଲେ ଭୁବନ-ହରି ଓ ‘ପୂଜା’ ର ସ୍ବରସଂଯୋଜକ ଥିଲେ ପ୍ରପୁଲ୍ଲ କର।