ଏଥିପାଇଁ ୪୫୦ ଜଣ ପୁଲିସ କର୍ମଚାରୀଙ୍କ ସହ ଡିନର କରିବେ ମୋଦୀ – Utkal Mail
ନୂଆଦିଲ୍ଲୀ: ଦିଲ୍ଲୀରେ ଜି -୨୦ ଶିଖର ସମ୍ମିଳନୀ ସଫଳତାର ସହ ସମ୍ପନ୍ନ ହେବା ପରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦିନରାତି ପରିଶ୍ରମ କରିଥିବା ଲୋକଙ୍କୁ ସ୍ୱତନ୍ତ୍ର ଭୋଜି ଦେବାକୁ ଯୋଜନା କରିଛନ୍ତି | ବାସ୍ତବରେ ଜି-୨୦ ଶିଖର ସମ୍ମିଳନୀକୁ ସୁଚାରୁ ରୂପେ ସମ୍ପନ୍ନ କରିବାରେ ଦିଲ୍ଲୀ ପୁଲିସର କର୍ମଚାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ସୁରକ୍ଷା ବ୍ୟବସ୍ଥା ପରିଚାଳନା ସହ ଦିଲ୍ଲୀର ଟ୍ରାଫିକ ପରିଚାଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଏବେ ସେମାନଙ୍କୁ ସମ୍ମାନ ଜଣାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ପୁଲିସ କର୍ମଚାରୀଙ୍କ ସହ ରାତ୍ରୀଭୋଜନ ବା ଡିନର କରିବେ | ଏହି ରାତ୍ରୀ ଭୋଜନରେ ଅଂଶଗ୍ରହଣ କରିବାକୁ ଥିବା କର୍ମଚାରୀଙ୍କର ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି | ଦିଲ୍ଲୀ ପୁଲିସ କମିଶନର ସଞ୍ଜୟ ଆରୋରାଙ୍କୁ ତାଲିକା ପ୍ରସ୍ତୁତ କରି ଦେବାକୁ କୁହାଯାଇଛି |
ଜି -୨୦ ସମ୍ମିଳନୀ ସମୟରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ସେହି କର୍ମଚାରୀମାନଙ୍କ ନାମ ପୁଲିସ କମିଶନରଙ୍କୁ ପ୍ରସ୍ତୁତ କରିବାକୁ କୁହାଯାଇଛି | ଆଉ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପୁଲିସ କମିଶନର ସଞ୍ଜୟ ଆରୋରାଙ୍କ ସମେତ ୪୫୦ ଜଣ ପୁଲିସ କର୍ମଚାରୀ ଏହି ରାତ୍ରୀ ଭୋଜନରେ ଯୋଗଦେବେ। ଭାରତ ମଣ୍ଡପମ୍ ଠାରେ ଏହି ରାତ୍ରୀ ଭୋଜନ ଆୟୋଜନ କରାଯିବ | ଇନ୍ସପେକ୍ଟର ଠାରୁ ଆରମ୍ଭ କରି ପୁଲିସ କନଷ୍ଟେବଳ ସମସ୍ତେ ଏହି ରାତ୍ରୀ ଭୋଜନରେ ଯୋଗ ଦେବେ | କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଜି -୨୦ ଶିଖର ସମ୍ମିଳନୀ ପାଇଁ ଏକ ସୁଗମ, ବୃତ୍ତିଗତ ଏବଂ ସଠିକ୍ ଢଙ୍ଗରେ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଥିଲା | ଦିଲ୍ଲୀ ପୁଲିସର ପ୍ରତିବଦ୍ଧତା ଏବଂ ଅବଦାନ ଦ୍ୱାରା ଏହା ସମ୍ଭବ ହୋଇଥିଲା।