ଦେଶ ବିଦେଶ

ସିକିମ୍‌ରେ ବର୍ଷା, ଭୂସ୍ଖଳନ: ଫସି ରହିଛନ୍ତି ୧୫୦୦ ପର୍ଯ୍ୟଟକ, ଉତ୍ତର ପୂର୍ବ ରାଜ୍ୟରେ ବର୍ଷା ମୃତ୍ୟୁସଂଖ୍ୟା ୩୧ ଛୁଇଁଲା

ଗୌହାଟୀ: ଉତ୍ତର ସିକିମ୍‌ରେ ବର୍ଷା ବିପର୍ଯ୍ୟୟ କାରଣରୁ ଜଟିଳ ସ୍ଥିତି ଦେଖିବାକୁ ମିଳିଛି। ମଙ୍ଗନ ଜିଲ୍ଲାର ଲାଚେନ୍ ଓ ଲାଚୁଙ୍ଗ ଉପତ୍ୟକାରେ ପ୍ରାୟ ୧୫ ଶହ  ପର୍ଯ୍ୟଟକ  ଫସି ରହିଛନ୍ତି। ଲଗାଣ ବର୍ଷା, ଭୂସ୍ଖଳନ ଓ ତିସ୍ତା ନଦୀରେ ବଢୁଥିବା ପାଣି ଯୋଗୁଁ  ଅଣାୟତ୍ତ ସ୍ଥିତି ଉପୁଜିଛି। ଉଭୟ ଯାତାୟାତ ଓ ଉଦ୍ଧାର କାର୍ଯ୍ୟ ଠପ୍ ହୋଇଯାଇଛି। ରବିବାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ସ୍ଥିର ହୋଇଥିଲେ ହେଁ ପୁଣି ଥରେ ଭୂସ୍ଖଳନ  ଯୋଗୁଁ ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଗତ ୨୯ ତାରିଖରେ ମୁନ୍‌ସିଥାଙ୍ଗଠାରେ ତିସ୍ତା ନଦୀରେ ଗାଡ଼ି ଖସି ପଡ଼ିବା ପରେ ନିଖୋଜ ହୋଇଥିବା ୮ ଜଣ ପର୍ଯ୍ୟଟକଙ୍କୁ ଏପର୍ଯ୍ୟନ୍ତ ଠାବ କରାଯାଇପାରିନାହିଁ।

୨୦୨୩ ମସିହାରେ ପ୍ରଳୟଙ୍କରୀ ଗ୍ଲେସିଆଲ ହ୍ରଦ ବନ୍ୟା ପରେ ନବନିର୍ମିତ ଫିଡାଙ୍ଗ ବେଲି ବ୍ରିଜ୍‌ରେ ଜଳସ୍ତର ବୃଦ୍ଧି ଯୋଗୁଁ ଏହାର ମୂଳଭାଗରେ ଢାଞ୍ଚାଗତ କ୍ଷୟକ୍ଷତି ହୋଇଛି। ବିଚ୍ଛିନ୍ନ ଡୋଜଙ୍ଗୁ ନିର୍ବାଚନ ମଣ୍ଡଳୀକୁ ସଂଯୋଗ କରୁଥିବା ଏକ ଲାଇଫ୍ ଲାଇନ୍ ଭାବେ କାର୍ଯ୍ୟ କରୁଥିବା ଏହି ପୋଲ ଦେଇ  କୌଣସି ଯାନବାହନ ଚଳାଚଳ ସମ୍ଭବ ହେଉନାହିଁ।  ରାସ୍ତାଘାଟ ବିଚ୍ଛିନ୍ନ ହେବା ସହ ଯୋଗାଯୋଗ ବ୍ୟବସ୍ଥା ଠପ୍‌ ହୋଇଯାଇଥିବାରୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଆଗକୁ ବଢ଼ୁନାହିଁ।

ଅନ୍ୟପକ୍ଷରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଗତ ତିନି ଦିନ ମଧ୍ୟରେ ବନ୍ୟା, ଭୂସ୍ଖଳନ ଓ ବ୍ୟାପକ କ୍ଷୟକ୍ଷତିଜନିତ ମୃତ୍ୟୁସଂଖ୍ୟା ୩୧ରେ ପହଞ୍ଚିଛି।  ଗତ ୪୮ ଘଣ୍ଟା ମଧ୍ୟରେ ଆସାମ ଓ ଅରୁଣାଚଳ ପ୍ରଦେଶରୁ ୯ ଜଣ ଲେଖାଏଁ, ମେଘାଳୟରୁ ୬ ଜଣ, ମିଜୋରାମରୁ ୫ ଜଣ ଏବଂ ନାଗାଲାଣ୍ଡ ଓ ତ୍ରିପୁରାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।  ଅରୁଣାଚଳରେ ଏକ ଭୁସ୍ଖଳନ ଯୋଗୁଁ ଗାଡ଼ି ଗଭୀର ଖାଲକୁ ଖସି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ୨ ଜଣ ଗର୍ଭବତୀ ମହିଳା ଥିବା ବେଳେ ୨ଟି ପରିବାରର ବୋଲି ଜଣାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button