ବେଙ୍ଗାଲୁରୁ ଦଳାଚକଟା: ପୁଲିସର ଚେତାବନୀ ସତ୍ତ୍ୱେ ବିଜୟ ଉତ୍ସବ ପାଳିଥିଲେ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ପୁଲିସ ବିଭାଗର ବିଫଳତାକୁ କଂଗ୍ରେସ ନେତୃତ୍ୱାଧୀନ ରାଜ୍ୟ ସରକାର ଫୋକସ୍ କରୁଥିବା ବେଳେ ବରିଷ୍ଠ ପୁଲିସ ଅଧିକାରୀ ବିଜୟ ଉତ୍ସବ ପୂର୍ବରୁ ପତ୍ର ଲେଖି ସରକାରଙ୍କୁ ଏଭଳି ସମାରୋହ ଜଟିଳ ସ୍ଥିତି ସୃଷ୍ଟି କରିପାରେ ବୋଲି ଚେତାବନୀ ଦେଇଥିଲେ। ଜୁନ୍ ୪ ତାରିଖରେ ଏହି ଚିଠି କାର୍ମିକ ଓ ପ୍ରଶାସନିକ ସଂସ୍କାର ବିଭାଗ (ଡିପିଏଆର୍) ମୁଖ୍ୟ ସଚିବଙ୍କୁ ପଠାଯାଇଥିଲା। କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ଆସୋସିଏସନ୍ (କେଏସ୍ସିଏ) ଏବଂ ଡିପିଏଆର୍ ଅଣ୍ଡର ସେକ୍ରେଟାରୀଙ୍କ ସମାରୋହ ସଂକ୍ରାନ୍ତ ଚିଠି ଉପରେ ଡିସିପି ଏମ୍ ଏନ୍ କରିବାସାବନା ଗୌଡ଼ା ତାଙ୍କ ତିନି ପୃଷ୍ଠାର ଉତ୍ତରରେ ସମାରୋହ ଆୟୋଜନ ନକରିବା ପାଇଁ ପରାମର୍ଶ ଦେବା ସହ ଖୁବ୍ କମ୍ ସମୟ ମଧ୍ୟରେ ପ୍ରସ୍ତୁତି ହୋଇପାରିବ ନାହିଁ ବୋଲି କହିଥିଲେ। ତେବେ ପୁଲିସର ଚେତାବନୀ ପତ୍ର ସତ୍ତ୍ୱେ କର୍ଣ୍ଣାଟକ ସରକାର ଆର୍ସିବି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଏବଂ ଦଳଚକଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା।
ଡିସିପି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଆର୍ସିବି ପ୍ରଶଂସକମାନେ ଲକ୍ଷାଧିକ ସଂଖ୍ୟାରେ ପହଞ୍ଚିବା ସମ୍ଭାବନା ରହିଛି। ବିଧାନ ସୌଧ ନିକଟରେ ତରବରିଆ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ କର୍ମଚାରୀ ଓ ଅଧିକାରୀଙ୍କ ଅଭାବ ଯୋଗୁଁ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ହୋଇପାରିବ ନାହିଁ ଏବଂ ପରିସ୍ଥିତି ଜଟିଳ ବି ହୋଇପାରେ। ଚିଠିରେ ଉଲ୍ଲେଖ କରାଯାଇଛି, ବିଧାନ ସୌଧ ଭବନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ। ବିଲ୍ଡିଂ ସମ୍ମୁଖରେ ସିସିଟିଭି କ୍ୟାମେରା ଲଗାଇବାକୁ ଅନୁରୋଧ କରାଯାଇଥିଲେ ହେଁ ତାହା ଏପର୍ଯ୍ୟନ୍ତ ଲଗାଯାଇନାହିଁ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାରେ ବାଧା ଉପୁଜିବାର ଆଶଙ୍କା ରହିଛି। । ଆଇନଶୃଙ୍ଖଳା ଓ ଟ୍ରାଫିକ୍ ଡିଭିଜନ୍ ସହ ଜଡ଼ିତ ଶାଖା ମଧ୍ୟରେ ସମନ୍ୱୟର ଅଭାବ ରହିଛି ଏବଂ ଖୁବ୍ ଶୀଘ୍ର ଏଥିରେ ସୁଧାର ହୋଇପାରିବ ନାହିଁ ବୋଲି ମଧ୍ୟ ପତ୍ରରେ କୁହାଯାଇଥିଲା। ତେବେ ଏସବୁ ଚିନ୍ତା ସତ୍ତ୍ୱେ ସମାରୋହ ଯଥାରୀତି ଆୟୋଜନ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ ଓ ପରାମର୍ଶକୁ ଅଣଦେଖା କରି କାର୍ଯ୍ୟକ୍ରମ ହୋଇଥିଲା।