ଆମେରିକାରେ ଅପ୍ରବାସୀ ଦେଶାନ୍ତର ଅଭିଯାନକୁ ବିରୋଧ: ୨ହଜାର ନ୍ୟାସନାଲ୍ ଗାର୍ଡ ମୁତୟନ

ୱାସିଂଟନ୍ ଡିସି: ଆମେରିକାରେ ବେଆଇନ ଭାବେ ରହିଥିବା ଅପ୍ରବାସୀଙ୍କ ଧରପଗଡ଼ ଅଭିଯାନ ଜୋରଦାର ଚାଲିଛି। ଆଜି ଦ୍ବିତୀୟ ଦିନରେ ଲସ୍ ଏଞ୍ଜେଲେସ୍ରେ ଅପ୍ରବାସୀ ଧରପଗଡ଼ ଅଭିଯାନକୁ ବିରୋଧ କରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିରୋଧକୁ ଦମନ କରିବା ନିମନ୍ତେ ଟ୍ରମ୍ପ ପ୍ରଶାସନ କାଲିଫର୍ଣ୍ଣିଆ ନ୍ୟାସନାଲ୍ ଗାର୍ଡକୁ ନିଜ ନିୟନ୍ତ୍ରଣକୁ ନେବା ସହ ୨ହଜାର ଯବାନଙ୍କୁ ମୁତୟନ କରିଛି। ଏହାକୁ ନେଇ କାଲିଫର୍ଣ୍ଣିଆ ଗଭର୍ଣ୍ଣର ଓ ରାଷ୍ଟ୍ରପତି ଟ୍ରମ୍ପ ମୁହାଁମୁହିଁ ହୋଇଛନ୍ତି।
ଆମେରିକାର ଅପ୍ରବାସୀ ଓ ବହିଃଶୁଳ୍କ ପ୍ରବର୍ତ୍ତନ ସଂସ୍ଥା (ଆଇସିଇ) ପକ୍ଷରୁ ଜାରି ସୂଚନାନୁସାରେ, ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଧରପଗଡ଼ ଅଭିଯାନରେ ୧୧୮ଜଣକୁ ଗିରଫ କରାଯାଇଛି। ଗୋଟିଏ ପଟେ ଅପ୍ରବାସୀମାନେ ଜାଲ ନଥିପତ୍ର ଜରିଆରେ ଆମେରିକାରେ ରହୁଥିବା ସରକାରଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ ଅନ୍ୟପଟେ ବିକ୍ଷୋଭକାରୀମାନେ ବିଭାଗର କଠୋର ପଦକ୍ଷେପ ଓ ପୁଲିସର ମାତ୍ରାଧିକ ବଳ ପ୍ରୟୋଗକୁ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମରେ କାଲିଫର୍ଣ୍ଣିଆ ରାଜ୍ୟପାଳ ଓ ଲସ୍ ଏଞ୍ଜେଲେସ୍ ମେୟରଙ୍କୁ ବିଗୁଡ଼ୁଥିବା ଆଇନଶୃଙ୍ଖଳା ପରିସ୍ଥିତି ନିମନ୍ତେ ଦାୟୀ କରି ରାଷ୍ଟ୍ରପତି ଟ୍ରମ୍ପ ଲେଖିଛନ୍ତି, ଗଭର୍ଣ୍ଣର ଗାଭିନ୍ ନିଉଜ୍ରୁମ୍ ଓ ମେୟର କାରେନ୍ ବାସ୍, ସେମାନଙ୍କ କର୍ତ୍ତବ୍ୟ କରିପାରୁନାହାନ୍ତି।
ଏଣୁ ସମସ୍ୟାର ସମାଧାନ ନିମନ୍ତେ କେନ୍ଦ୍ର ସରକାର ପଦକ୍ଷେପ ନେବ ଓ ସମାଧାନ କରିବ। ଦଙ୍ଗା ଓ ଲୁଟ୍, ଏହି ମାଧ୍ୟମରେ ହିଁ ସମାଧାନ ହେବ। ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟର କିଛି କ୍ଷଣ ପରେ ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲିଭିଟ୍ ଏକ ପ୍ରେସ୍ ବିବୃତିରେ କହିଛନ୍ତି, ଅରାଜକତା ବୃଦ୍ଧି ପାଇବାକୁ ସୁଯୋଗ ଦିଆଯାଇଛି। ଏହାର ସମାଧାନ ନିମନ୍ତେ ରାଷ୍ଟ୍ରପତି ଟ୍ରମ୍ପ ୨ହଜାର ନ୍ୟାସନାଲ୍ ଗାର୍ଡ ମୁତୟନ କରିବାକୁ ଅନୁମୋଦନ ଦେଇଛନ୍ତି। ନ୍ୟାସନାଲ୍ ଗାର୍ଡ ମୁତୟନକୁ କାଲିଫର୍ଣ୍ଣିଆର ଗଭର୍ଣ୍ଣର ଗାଭିନ୍ ନିଉଜ୍ମ୍ୟାନ୍ ତୀବ୍ର ନିନ୍ଦା କରିଛନ୍ତି।