ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି
ତପ୍ତପାଣି, ଗଞ୍ଜାମ ଓ ଗଜପତି ଜିଲ୍ଲା ସୀମାରେ ଥିବା ଏକ ଉଷ୍ଣପ୍ରସ୍ରବଣ।ବ୍ରହ୍ମପୁର ସହର ଠାରୁ ଏହାର ଦୂରତ୍ୱ ପ୍ରାୟ ୫୦ କିମି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଥିବା ଏହି ଉଷ୍ଣପ୍ରସ୍ରବଣଟି ଧଣ୍ଡାମରା ଏବଂ ସାନଖେମୁଣ୍ଡି ପାହାଡ଼ର ପାଦ ଦେଶରେ ଅବସ୍ଥିତ।
ଔଷଧିୟ ଗୁଣ: ତପ୍ତପାଣିର ଉଷ୍ଣ ଜଳରେ ସଲଫର୍ ଓ ଅନ୍ୟ ରାସାୟନିକ ଖଣିଜଦ୍ରବ୍ୟ ଭରି ରହିଥିବାରୁ, ଏହାର ଔଷଧିୟ ଗୁଣ ଅଧିକ। ଚର୍ମ ରୋଗୀଙ୍କ ପାଇଁ ଏହି ପାଣିରେ ଗାଧୋଇବା ଲାଭପ୍ରଦ ହୋଇଥାଏ।
କିମ୍ବଦନ୍ତୀ: ତପ୍ତପାଣିକୁ ସ୍ଥାନୀୟ ଆଦିବାସୀମାନେ ମା’ କନ୍ଧୁଣୀ ଦେବୀ ଭାବରେ ପୂଜାର୍ଚ୍ଚନା କରିଥାନ୍ତି। ପାଣି ଝରଣା ମଝିରେ ଦେବୀଙ୍କର ପ୍ରତୀକାତ୍ମକ ପଥର ମୂର୍ତ୍ତି ରହିଛି। ପ୍ରତି ସୋମବାର ଓ ସଂକ୍ରାନ୍ତି ତିଥିରେ ଶ୍ରଦ୍ଧାଳୁମାନେ ଉଷ୍ମପ୍ରସ୍ରବଣରୁ ଦଉଡି କିମ୍ବା ଅଙ୍କୁଶ ସାହାଯ୍ୟରେ ଗୁଆ ଖୋଜନ୍ତି। ଲୋକ ବିଶ୍ୱାସ ମୃତାବକ ଏହି ଗୁଆ ଯାହାକୁ ମିଳେ, ତାର ମାନସିକ ପୂରଣ ହୁଏ। ଏଇ ଗୁଆକୁ ପୂର୍ବରୁ ଭକ୍ତମାନେ ଦେବୀଙ୍କୁ ଅର୍ପଣ କରିଥାନ୍ତି।
ଓଡ଼ିଶା ସରକାରଙ୍କ ଦ୍ୱାରା ତପ୍ତପାଣି ଠାରେ ପାନ୍ଥନିବାସର ବ୍ୟବସ୍ଥା କରାଯାଇଛି। ତେଣୁ ପର୍ଯ୍ୟଟକ ଚାହିଁଲେ ଏଠାରେ ସମୟ ବିତାଇ ପାରିବେ।
ତପ୍ତପାଣିର ଅନ୍ୟାନ୍ୟ ଆକର୍ଷଣ:- ପାହାଡ଼ ଓ ଜଙ୍ଗଲ ଭରା ତପ୍ତପାଣିର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପରିବେଶ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ। ଆଦିବାସୀମାନଙ୍କର ଜୀବନଯାତ୍ରାକୁ ମଧ୍ୟ ଏଠାରେ ଅନୁଭବ କରିହୁଏ । ତପ୍ତପାଣି ପାନ୍ଥନିବାସ ଠାରୁ ଅଳ୍ପଦୂରରେ ଥିବା ମୃଗ ବିହାର ଏହି ସ୍ଥାନର ଅନ୍ୟତମ ଆକର୍ଷଣ। ବର୍ତ୍ତମାନ ସମୟରେ ଏହା ଗଞ୍ଜାମ ଜିଲ୍ଲାର ଏକମାତ୍ର ବିଧିବଦ୍ଧ ମୃଗ ଉଦ୍ୟାନ ଅଟେ।