ଆଜି ବସୁଛି ରଥଯାତ୍ରା ସମନ୍ବୟ ବୈଠକ, ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି

ପୁରୀ : ଆଜି ବସୁଛି ରଥଯାତ୍ରା ସମନ୍ବୟ ବୈଠକ । ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟାରେ ପୁରୀ ପୌରସଦନରେ ବସିବ ବୈଠକ। ଆଇନମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହେବ ଦ୍ୱିତୀୟ ରଥ ସମନ୍ୱୟ କମିଟି ବୈଠକ।
ଏଥିରେ ବିଭାଗୀୟ ଅଧିକାରୀ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ କରିବେ । ରଥନିର୍ମାଣ ଠାରୁ ଆରମ୍ଭ କରି ରଥଯାତ୍ରା କିଭଳି ଶୃଙ୍ଖଳିତ ହୋଇପାରିବ, ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଆଇନ ବ୍ୟବସ୍ଥା ଓ ରଥଯାତ୍ରା ବ୍ୟବସ୍ଥା ନେଇ ଆଲୋଚନା ହେବ। ବୈଠକରେ ଜିଲ୍ଲାପାଳ, ଏସପି, ବିଧାୟକ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସେବାୟତ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିବେ।
ସେପଟେ ଦିନକ ପରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ରତ୍ନବେଦୀ ଛାଡି ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ। ଆଜି ତ୍ରୟୋଦଶ ତିଥିରେ ଦଇତାପତି ସେବକ ମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ରଥଯାତ୍ରା ଶେଷ ପର୍ଯ୍ୟନ୍ତ ନୀତିକାନ୍ତି ସମ୍ପାଦିତ କରିବେ। ସ୍ନାନପୂର୍ଣ୍ନିମାରେ ପହଣ୍ଡି ପୂର୍ବରୁ ଦଇତାପତି ସେବାୟତ ମାନେ ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ସେନାପଟା ଲାଗି ଓ ବାହୁଟକଣ୍ଟ ନୀତି ସମ୍ପାଦିତ କରିବା ପରେ ପହଣ୍ଡି ହୋଇ ସ୍ନାନମଣ୍ଡପକୁ ଆସିବେ ଚତୁର୍ଦ୍ଧାବିଗ୍ରହ।