ଓଡିଶା

ପୁତୁରାର ଜୁଇ ପାଖରେ ଟଳି ପଡିଲେ ବଡବାପା: ଶବ ସହ ଯାଇଥିଲେ, ଶବ ହୋଇ ଫେରିଲେ – Utkal Mail



କେନ୍ଦ୍ରାପଡା: ପୁତୁରା ହେଲେ ବି ପୁଅଠାରୁ ଥିଲା ଅଧିକ । ଖୁବ ଭଲ ପାଉଥିଲେ । ଯେଉଁ ହାତରେ କୋଳେଇ କାଖେଇ ମଣିଷ କରିଥିଲେ ସେ ହାତରେ ତାର ରକ୍ତାକ୍ତ ଶରୀର ଯେତେବେଳେ ଉଠାଇ ଆଣିଥିଲେ ତାଙ୍କ ଛାତି ଫାଟି ଯାଉଥିଲା  । ତଥାପି ଭଗବାନଙ୍କ ନିର୍ଦ୍ଦେଶକୁ ମାନି ଶେଷକୃତ୍ୟ କରୁଥିଲେ । ହେଲେ ଯେତେବେଳେ ତାଙ୍କର ଅତିପ୍ରିୟ ପୁତୁରାର ଶରୀର ଜଳି ପାଉଁଶ ହୋଇ ଯାଉଥିବା ଦେଖିଲେ ଆଉ ସହି ପାରି ନ ଥିଲେ । ସେହିଠାରେ ଟଳି ପଡିଥିଲେ । ଡାକ୍ତରଖାନା ନେଲାବେଳକୁ ବଡବାପାଙ୍କ ପ୍ରାରବାୟୁ ଉଡି ଯାଇଥିଲା । ଏମିତି ଦୁଃଖଦ ଖବର ଆସିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଲିଝରୀ ଗାଁର ରୁଦ୍ର ପ୍ରସାଦ ମହାନ୍ତିଙ୍କ ମୃତ ଦେହ ଗତ ୧୬ ତାରିଖ ଦିନ କୋରାପୁଟ-ଜୟପୁରର ଜରଟି ରେଳ ଷ୍ଟେସନରୁ ମିଳିଥିଲା । କ୍ଷତାକ୍ତ ଅବସ୍ଥାରେ ମରି ପଡିଥିଲେ ରୁଦ୍ର । ରୁଦ୍ରଙ୍କ ନିଜ ପିଉସୀଙକ ଘରେ  କୋରାପୁଟରେ ରହୁଥିଲେ ଏବଂ ସେଠାରେ  ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ବିଏସ୍‌ସି ପଢ଼ୁଥିଲେ।

ଖବର ପାଇ  ରୁଦ୍ରଙ୍କ ବାପା ଗଗନ ବିହାରୀ ମହାନ୍ତି, ବଡ଼ବାପା ତ୍ରୈଲୋକ୍ୟ ମହାନ୍ତି ଓ ଦାଦା ଓ ଗାଁର କିଛି ଲୋକ କୋରାପୁଟ୍‌ ଯାଇଥିଲେ। ରୁଦ୍ରଙ୍କ ଅଚାନକ ମୃତ୍ୟୁ ସାରା ପରିବାରକୁ ସ୍ତବ୍ଧ କରି ଦେଇଥିଲା । ବିଶେଷକରି ବଡବାପା ତ୍ରୈଲୋକ୍ୟ ମହାନ୍ତି ବହୁତ ଭାଙ୍ଗି ପଡିଥିଲେ । କାରଣ ସେ ରୁଦ୍ରଙ୍କୁ ଖୁବ ଭଲ ପାଆନ୍ତି । ଏପରିକି ନିଜ ପୁଅ-ଝିଅଙ୍କଠାରୁ ବି ଅଧିକ ।

ତଥାପି ଧୈର୍ଯ୍ୟଧରି ଶବର  ବ୍ୟବଚ୍ଛେଦ କରିଥିଲେ ।  ରୁଦ୍ରଙ୍କ ମୃତଦେହକୁ ଧରି ଆଜି ଭୋରରେ ପୁରୀ ସ୍ୱର୍ଗଦ୍ୱାର ଆସିଥିଲେ ଅନ୍ତିମ ସତ୍କାର ପାଇଁ ।  ଲୁହ,କୋହକୁ ଚାପି  ରୁଦ୍ରଙ୍କ ଜୁଇରେ ଅଗ୍ନି ସଂଯୋଗ କରାଯାଇଥିଲା।  ଆଖି ଆଗରେ ଜଳିଯାଉଥିଲା ଅତି ପ୍ରିୟ ପୁତୁରା ।  ପୁତୁରାର ମୃତଦେହ ଜଳୁଥିବା ଦେଖି ଧୈର୍ଯ୍ୟ ଧରି ପାରିଲେ ନାହିଁ ତ୍ରୈଲୋକ୍ୟ । ଚେତା ହରାଇ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ପୁରୀ ମେଡ଼ିକାଲ୍‌ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁତୁରାର ଶେଷକୃତ୍ୟ ସାରିବା ପରେ ବଡବାପାଙ୍କ ମୃତଦେକୁ ଧରି ପୁଣି ଗାଁକୁ ଫେରିଲେ ପରିବାର ଲୋକେ । ଏପରି ମୃତ୍ୟୁ ଖବରରେ ଖାଲି ପରିବାର ନୁହେଁ,ସାରା ଗାଁରେ ଖେଳି ଯାଇଛି ଶୋକର ଲହରୀ । ପୁତୁରାର ଶବ ସ୍ୱର୍ଗଦ୍ୱାରରେ ଜଳୁଥିବାବେଳେ ବଡ ବାପାଙ୍କ ଶବ ଜଳୁଥିଲା ଗାଁ ମଶାଣିରେ ।




Related Articles

Leave a Reply

Your email address will not be published. Required fields are marked *

Back to top button