ରାୟଗଡା : ୧୬ ଫୁଟର ଗାନ୍ଧୀ ପ୍ରତିମୂର୍ତ୍ତି ଉନ୍ମୋଚନ

ରାୟଗଡା : ରାୟଗଡ଼ା ପୌର ପରିଷଦ ଆନୁକୂଲ୍ୟରେ ପୌର ପରିଷଦ ସ୍ଥିତ ଜିସିଡ଼ି ହାଇସ୍କୁଲ ସମ୍ମୁଖରେ ଥିବା ଗାନ୍ଧୀ ପାର୍କରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୬ ଫୁଟର ପ୍ରତିମୂର୍ତ୍ତି ଓ ଦାଣ୍ଡି ଯାତ୍ରା ଅଭିଯାନ ପ୍ରତିମୂର୍ତ୍ତିର ଉନ୍ମୋଚନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି | ଏଥିରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିମୂର୍ତ୍ତି ଗୁଡିକୁ ଉନ୍ମୋଚନ କରିଥିଲେ | ଏହି ସମାରୋହ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାୟଗଡ଼ା ବିଧାୟକ କାଡ୍ରକା ଆପଲାସ୍ୱାମୀ, ନଗର ଅଧ୍ୟକ୍ଷ ପି. ମହେଶ ପଟ୍ଟନାୟକ,ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ସମେତ କାଉନସିଲର ସନ୍ତୋଷ ଦଳେଇ, ଗୋପୀନାଥ ଗଉଡ, ମଞ୍ଜୁଳା ମିଣିୟାକାଙ୍କ ସମେତ ପରିଷଦର ସମସ୍ତ ପରିଷଦ ବର୍ଗ ତଥା ସମସ୍ତ ପୌର କର୍ମଚାରୀ ଉପସ୍ଥିତ ରହିଥିଲେ | ଏହି ଅବସରରେ ରାୟଗଡ଼ାକୁ ଏକ ସୁନ୍ଦର ସହର ଭାବେ ଗଢି ତୋଳିବା ପାଇଁ ଏବଂ ଏହାର ବିକାଶରେ ଯଦି କିଛି ଆବଶକ୍ୟ ଥାଏ ତେବେ ବିଧାୟକ, ସାଂସଦ ସମସ୍ତେ ସହଯୋଗର ହାତ ବଢ଼େଇବାକୁ ପ୍ରସ୍ତୁତ ଅଛୁ ବୋଲି କହିବା ସହ ରାୟଗଡ଼ାକୁ ଏକ ସ୍ମାର୍ଟ ସିଟିର ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରିବୁ | ଯଦି ସରକାରଙ୍କ ପକ୍ଷରୁ କିଛି ଅନୁଦାନ ଆସେ ତେବେ ରାୟଗଡ଼ା ପୌର ପରିଷଦ ଆହୁରି ବିକଶିତ ହେବ ବୋଲି ସାଂସଦ ସପ୍ତଗିରି ପ୍ରକାଶ କରିଛନ୍ତି |