ଦେଶ ବିଦେଶ

ଅର୍ଥନୈତିକ ସର୍ଭେ ରିପୋର୍ଟ: ଦେଶର ଅଭିବୃଦ୍ଧି ହାର ୬‌ ରୁ ୬.୮ ପ୍ରତିଶତ ରହିପାରେ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ‌। ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଅର୍ଥନୈତିକ ସର୍ଭେ ରିପୋର୍ଟରେ ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬ ରୁ ୬.୮ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ତେବେ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ବିକାଶ ହାର ୭ ପ୍ରତିଶତ ରହିବ।

ଗତ ବର୍ଷ ଅର୍ଥନୈତିକ ସର୍ଭେରେ ୨୦୨୨-୨୩ ପାଇଁ ଅଭିବୃଦ୍ଧି ହାର ୮ ରୁ ୮.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ୨୦୨୨ରେ ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଏବଂ ବିଶ୍ବ ଅର୍ଥନୈତିକ ସଙ୍କଟ ଯୋଗୁଁ ଆର୍ଥିକ ଅଭିବୃଦ୍ଧି ହାର ଆଶା ଠାରୁ କମ୍ ହୋଇପାରେ । ୨୦୨୧-୨୨ ରେ ଦେଶର ଜିଡିପି ୮.୭ ପ୍ରତିଶତ ଥିଲା।

ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ, ଅଭିବୃଦ୍ଧିର ସକାରାତ୍ମକ ଆକଳନ ପଛରେ ଅନେକ କାରଣ ଅଛି । ଘରୋଇ କ୍ଷେତ୍ରରେ ସ୍ଥିତି ଉତ୍ସାହଜନକ ରହିଛି ଯାହା ଦ୍ୱାରା ଉତ୍ପାଦନ କାର୍ଯ୍ୟ ବୃଦ୍ଧି ପାଇଛି । ପୁଞ୍ଜିଗତ ବ୍ୟୟ ପାଇଁ ଅଧିକ ଅର୍ଥ ବରାଦ ବ୍ୟବସ୍ଥା କରାଯାଇଛି । ବ୍ୟାପକ ଟିକାକରଣର ସୁଫଳ ମିଳିଛି । ଲୋକମାନେ ବର୍ତ୍ତମାନ ରେଷ୍ଟୁରାଣ୍ଟ, ହୋଟେଲ, ସପିଂ ମଲ୍ ଏବଂ ସିନେମା ପରି କଣ୍ଟାକ୍ଟ ବେସଡ୍ ସେବାରେ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏହାଛଡ଼ା ପ୍ରବାସୀ ଶ୍ରମିକମାନେ ସହରର ନିର୍ମାଣ କ୍ଷେତ୍ରକୁ ଫେରୁଛନ୍ତି । ଯାହା ଫଳରେ ହାଉସିଂ ମାର୍କେଟରେ ଇନଭେଣ୍ଟରୀରେ ହ୍ରାସ ଘଟିଛି । ଯଦି କର୍ପୋରେଟ୍ ମାନଙ୍କର ବାଲାନ୍ସ ସିଟରେ ସୁଧାର ଆସିଥିବା ବେଳେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ପାଖରେ ପର୍ଯ୍ୟାପ୍ତ ପୁଞ୍ଜି ଅଛି ଯାହା ଦ୍ୱାରା ସେମାନେ ଅଧିକ ଋଣ ଦେବାକୁ ପ୍ରସ୍ତୁତ । ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ ମଜବୁତ ବିନିଯୋଗ ଯୋଗୁଁ ଭାରତରେ ନିଯୁକ୍ତି ସ୍ଥିତିରେ ଉନ୍ନତି ଆସିଛି । କିନ୍ତୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଘରୋଇ ପୁଞ୍ଜି ବିନିଯୋଗର ଆବଶ୍ୟକତା ରହିଛି।

ଡଲାର ତୁଳନାରେ ଟଙ୍କାର ଦୁର୍ବଳତା ନେଇ ମଧ୍ୟ ଅର୍ଥନୈତିକ ସର୍ଭେରେ ଚିନ୍ତା ପ୍ରକଟ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ବିଶ୍ବର ଅନ୍ୟ ମୁଦ୍ରା ତୁଳନାରେ ଟଙ୍କା ଡଲାର ତୁଳନାରେ ଭଲ ପ୍ରଦର୍ଶନ କରିଛି, କିନ୍ତୁ ଯଦି ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ସୁଧ ହାର ଆହୁରି ବଢ଼ଇଦିଏ ତେବେ ଟଙ୍କା ଆହୁରି ଦୁର୍ବଳ ହୋଇପାରେ। ତେଣୁ ସତର୍କତା ମୂଳକ ପଦକ୍ଷେପ ନେବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button