ଦେଶ ବିଦେଶ

ହରଦୀପ ନିଜାର ହତ୍ୟା ପଛରେ ଚୀନ୍? ବଡ଼ ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ବ୍ଲଗର – Utkal Mail


ନ୍ୟୁୟର୍କ: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟାରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି)ର ଏଜେଣ୍ଟମାନେ ସମ୍ପୃକ୍ତ ଥିବା ଅଭିଯୋଗ କରି ସ୍ୱାଧୀନ ବ୍ଲଗର ଜେନିଫର ଜେଙ୍ଗ କହିଛନ୍ତି ଯେ ଚୀନ୍‌ର ଉଦ୍ଦେଶ୍ୟ ହେଉଛି ଭାରତ ଓ ପାଶ୍ଚାତ୍ୟ ମଧ୍ୟରେ ମତଭେଦ ସୃଷ୍ଟି କରି ଭାରତକୁ ଫସାଇବା। ତାଇୱାନକୁ ନେଇ ସି ଜିନପିଙ୍ଗଙ୍କ ସାମରିକ ରଣନୀତି ଅନୁଯାୟୀ ବିଶ୍ୱରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ସିସିପିର ‘ଇଗ୍ନିସନ୍ ପ୍ଲାନ୍’ (ନିଆଁଲଗା ଯୋଜନା)ର ଏହା ଏକ ଅଂଶ ବୋଲି ସେ ଅଭିଯୋଗ କରିଛନ୍ତି।

ଜେନିଫର ଜେଙ୍ଗ ଜଣେ ଚୀନ୍ ଜନ୍ମିତ ମାନବାଧିକାର କର୍ମୀ ଓ ସାମ୍ବାଦିକ, ଯିଏ ବର୍ତ୍ତମାନ ଆମେରିକାରେ ରହୁଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଜେଙ୍ଗ ନିଜାରଙ୍କ ହତ୍ୟା ସମ୍ପର୍କରେ ବର୍ଣ୍ଣନା କରି କହିଛନ୍ତି, ‘ଆଜି କାନାଡାରେ ଶିଖ୍ ଧାର୍ମିକ ନେତା ହରଦୀପ ସିଂହ ନିଜାରର ହତ୍ୟା ବିଷୟରେ ଆଶ୍ଚର୍ଯ୍ୟଜନକ ଖୁଲାସା ସିସିପି ଭିତରୁ ସାମ୍ନାକୁ ଆସିଛି। ସିସିପି ଏଜେଣ୍ଟଙ୍କ ଦ୍ୱାରା ଏହି ହତ୍ୟାକାଣ୍ଡ କରାଯାଇଥିବା ଅଭିଯୋଗ ହୋଇଛି।’୧୮ ଜୁନ୍ ୨୦୨୩ରେ ବ୍ରିଟିସ କଲମ୍ବିଆର ସରେସ୍ଥିତ ଗୁରୁ ନାନକ ଶିଖ୍ ଗୁରୁଦ୍ୱାରାର ପାର୍କିଂ ସ୍ଥଳରେ ଭାରତରେ ଆତଙ୍କବାଦୀ ଭାବେ ଘୋଷିତ ହରଦୀପ ନିଜାରକୁ ଗୁଳି କରି ହତ୍ୟା କରାଯାଇଥିଲା। ସ୍ୱାଧୀନ ବ୍ଲଗର୍ ଚୀନ୍ ଲେଖକ ତଥା ୟୁଟ୍ୟୁବର ଲାଓ ଡେଙ୍ଗଙ୍କଠାରୁ ଏହି ସୂଚନା ପାଇଥିବା ଦାବି କରିଛନ୍ତି, ଯିଏ କି ତାଙ୍କ କହିବା ଅନୁଯାୟୀ ବର୍ତ୍ତମାନ କାନାଡାରେ ରହୁଛନ୍ତି।

ଲାଓ କହିଛନ୍ତି ଯେ, ଚଳିତ ବର୍ଷ ଜୁନ୍ ପ୍ରାରମ୍ଭରେ ସିସିପିର ରାଷ୍ଟ୍ରୀୟ ସୁରକ୍ଷା ମନ୍ତ୍ରଣାଳୟ ‘ଇଗ୍ନିସନ୍ ପ୍ଲାନ୍’ର ଏକ ଅଂଶ ଭାବରେ ଆମେରିକାର ସିଏଟଲକୁ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପଠାଇଥିଲା। ସେଠାରେ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଭାରତ ଏବଂ ପାଶ୍ଚାତ୍ୟ ମଧ୍ୟରେ ସମ୍ପର୍କକୁ ଖରାପ କରିବା। କାନାଡାର ଶିଖ୍ ନେତା ହରଦୀପ ସିଂହ ନିଜାରଙ୍କୁ ହତ୍ୟା କରିବା ପାଇଁ ଏଜେଣ୍ଟମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ବୈଠକ ପରେ ସିସିପି ଏଜେଣ୍ଟମାନେ ହତ୍ୟା ଯୋଜନାକୁ ସତର୍କତାର ସହ କାର୍ଯ୍ୟକାରୀ କରିଥିଲେ। ସ୍ୱାଧୀନ ବ୍ଲଗର୍ ସେମାନଙ୍କ କାର୍ଯ୍ୟଶୈଳୀ ବିଷୟରେ ବର୍ଣ୍ଣନା କରି ଅଭିଯୋଗ କରିଛନ୍ତି, ଜୁନ୍ ୧୮ ତାରିଖରେ ଏଜେଣ୍ଟମାନେ ନିଜାରକୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ନିଜାରର କାରରେ ଥିବା କ୍ୟାମେରାକୁ ନଷ୍ଟ କରିଦେଇଥିଲେ। ପରଦିନ ସେମାନେ କାନାଡାରୁ ବିମାନରେ ପଳାଇ ଯାଇଥିଲେ। ହତ୍ୟାକାରୀମାନେ ଉଦ୍ଦେଶ୍ୟମୂଳକ ଭାବେ ଭାରତୀୟ ଇଂରାଜୀ ଉଚ୍ଚାରଣ ମଧ୍ୟ ଶିଖିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ହରଦୀପ ସିଂହ ନିଜାରକୁ ହତ୍ୟା କରିବାରେ ଭାରତର ଭୂମିକା ଥିବା ଅଭିଯୋଗ କରି କାନାଡା ସରକାର ଜଣେ ବରିଷ୍ଠ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ଖରାପ ହୋଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button