ଯୋନି ସଫା ରଖିବା ପାଇଁ ସର୍ବୋତ୍ତମ ଜିନିଷ କଣ ?
ସୁସ୍ଥ ଜୀବନଶୈଳୀ ବଜାୟ ରଖିବାକୁ ହେଲେ ମହିଳାମାନେ ଯୋନିକୁ ସଫା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କାରଣ ଏହାଦ୍ବାରା ମହିଳାଙ୍କ ଶରୀରରେ ଅନେକ ରୋଗ ପ୍ରବେଶ କରିପାରେ । ଯୋନିକୁ ସଫା ରଖିବା ସହ ଯୋନିର ପିଏଚ ସ୍ତର ମଧ୍ୟ ବଜାୟ ରଖିବା ଅତ୍ୟନ୍ତ ଜରୁରୀ । କାରଣ ଯୋନିର ପିଏଚ ସ୍ତର ଅସନ୍ତୁଳିତ ହେଲେ ମଧ୍ୟ ଯୋନିରେ ଅନେକ ସମସ୍ଯା ଦେଖା ଦେଇପାରେ । ତେବେ ଯୋନି ଏବଂ ଭଲଭାକୁ କିପରି ସଫା ରଖିବେ ଆସନ୍ତୁ ଜାଣିବା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରଶ୍ମୀ ରଞ୍ଜନ ଦାଶଙ୍କ ଠାରୁ ।
ଆଜିକାଲି ଯୋନି ସଫା ରଖିବା ପାଇଁ ବଜାରରେ ଅନେକ ସାମଗ୍ରୀ ଉପଲବ୍ଧ ହେଉଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଡାକ୍ତରଙ୍କ ମତରେ ଯୋନି ସଫା ରଖିବା ପାଇଁ ସର୍ବୋତ୍ତମ ଜିନିଷ ହେଉଛି ପାଣି । ଦିନକୁ ଦୁଇରୁ ତିନି ଥର ସଫା ପାଣିରେ ଯୋନିକୁ ଭଲଭାବେ ଧୋଇବା ସବୁଠୁ ଉତ୍ତମ ଅଟେ । ଏଥିରେ କୌଣସି ଖର୍ଚ୍ଚ ହୁଏ ନାହିଁ ଏବଂ ଯୋନିର ପିଏଚ ସ୍ତର ବଜାୟ ରଖିବାରେ ମଧ୍ୟ ଏହା ଭଲ ହୋଇଥାଏ ।
ଯୋନିର ଏକ ନିର୍ଦ୍ଦିଷ୍ଟ ପିଏଚ ସ୍ତର ରହିଥାଏ, ଯାହାକି ଅଧିକ ପିଏଚ ଯୁକ୍ତ ସାବୁନ ବା ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ଦ୍ଵାରା ନଷ୍ଟ ହୋଇଯାଏ । ଯୋନିର ପିଏଚ ସ୍ତର ନଷ୍ଟ ହେବା ଦ୍ଵାରା ଆପଣଙ୍କୁ ବାରମ୍ବାର ଯୋନି ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । ତେବେ ଯୋନି ସଫା କରିବା ପାଇଁ ଯେଉଁ ସାମଗ୍ରୀ ସବୁ ବଜାରରେ ମିଳୁଛି ତାହା ମଧ୍ୟ ଆପଣ ଚାହିଁଲେ ବ୍ୟବହାର କରିପାରିବେ ।
କିନ୍ତୁ ଦୁଇଟି କଥା ମନେରଖନ୍ତୁ ସାଧାରଣ ଗାଧୁଆ ସାବୁନ କେବେ ମଧ୍ୟ ଯୋନିରେ ବ୍ୟବହାର କରିବେ ନାହିଁ ଏବଂ ପାଣି ଦ୍ଵାରା ଯୋନି ସଫା କରିବା ସବୁଠୁ ଅଧିକ ସୁରକ୍ଷିତ ହୋଇଥାଏ । ଯଦି ଆପଣଙ୍କର କିଛି ସଂକ୍ରମଣ ରହିଛି ଏବଂ ଡାକ୍ତର କିଛି ଔଷଧ ଲେଖିଛନ୍ତି ତେବେ ତାହା ନିୟମିତ ଭାବେ ବ୍ୟବହାର କରନ୍ତୁ । ଯୋନି ସଂକ୍ରମଣ ହେବାର ଏକ ମୁଖ୍ୟ କାରଣ ହେଉଛି ଅନେକ ସମୟରେ ଆମକୁ ସାଧାରଣ ଥଣ୍ଡା, ଜ୍ଵର ହେଲେ ଆମେ ମେଡ଼ିସିନ ଦୋକାନରୁ ଆଣ୍ଟି- ବାୟୋଟିକ ଆଣି ଖାଇ ଦେଇଥାଉ ।
ଯାହା ଆମ ଶରୀରରେ ଯୋନିରେ ଥିବା ଫ୍ଲୋରା ବା ଭଲ ବ୍ୟକ୍ଟେରିଆଙ୍କୁ ନଷ୍ଟ କରି ଦେଇଥାଏ । ଯେଉଁଥି ପାଇଁ ଯୋନିରେ ବିଭିନ୍ନ ପ୍ରକାରର ସଂକ୍ରମଣ ହୋଇଥାଏ । ତେଣୁ ଡାକ୍ତରଙ୍କୁ ପରାମର୍ଶ ନକରି କୌଣସି ମେଡ଼ିସିନ ବା ଆଣ୍ଟି-ବାୟୋଟିକ ଖାଇବା ଉଚିତ ନୁହେଁ ।
ଯେଉଁମାନଙ୍କୁ ଡାଇବେଟିସ ଥାଏ ସେମାନଙ୍କ କ୍ଷେତ୍ରରେ ଯୋନି ସଂକ୍ରମଣ ଅଧିକ ମାତ୍ରାରେ ଦେଖା ଦେଇଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଉପଯୁକ୍ତ ଭାବେ ଡାଏଟ କଣ୍ଟ୍ରୋଲ କରି ଏବଂ ମେଡ଼ିସିନ ସେବନ କରି ବ୍ଲଡ଼ ସୁଗାରକୁ ନିୟନ୍ତ୍ରଣରେ ରଖିବା ଦ୍ଵାରା ଯୋନି ସଂକ୍ରମଣ ହୋଇ ନଥାଏ ।ଏହା ବ୍ଯତୀତ ଶାରୀରିକ ସମ୍ବନ୍ଧ ରଖିବା କାରଣରୁ ଯଦି କିଛି ସଂକ୍ରମଣ ଦେଖାଦେଉଛି ତେବେ ମଧ୍ୟ ଡାକ୍ତରଙ୍କ ପରାମର୍ଶ କରି ଆପଣଙ୍କ ଆବଶ୍ୟକ ଅନୁସାରେ ଆଣ୍ଟି-ଫଙ୍ଗାଲ କିମ୍ବା ଆଣ୍ଟି-ବ୍ୟାକ୍ଟେରିଆ ଔଷଧ ଖାଇଲେ ସଂକ୍ରମଣରୁ ଆପଣ ମୁକ୍ତି ପାଇବେ ।