କ୍ରୀଡା

‘ଗୁରୁ-ଶିଷ୍ୟ ସମ୍ପର୍କ ଗୁରୁତ୍ବପୂର୍ଣ୍ଣ’: ଗୁରୁକୁଳରେ କିଶୋରଙ୍କ ପ୍ରେରଣାଦାୟୀ ବକ୍ତୃତା – Utkal Mail


ମୁଖ୍ୟମନ୍ତ୍ରୀ ଦେଲେ ୫୦ ଲକ୍ଷ

ଭୁବନେଶ୍ବର: ଯେଉଁଠାରୁ ‌ଖେଳ ଜୀବନ ଆରମ୍ଭ କରି ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ପର୍ଯ୍ୟନ୍ତ ପହଞ୍ଚିଥ‌ିଲେ ଶନିବାର ସେହି ଗୁରୁକୁଳରେ ତାରକା ଜାଭଲିନ୍‌ ଖେଳାଳି କିଶୋର ଜେନା ପ୍ରେରଣାଦାୟୀ ବକ୍ତୃତା ଦେଇଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ ଭିତରେ ଥିବା ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରୁ ଖେଳ ଜୀବନ ଆରମ୍ଭ କରିଥିଲେ କିଶୋର। ଭଲିବଲ୍‌ ପ୍ରତିଭା ଭାବେ ଆସିଥିଲେ ମଧ୍ୟ ତତ୍‌କାଳୀନ ପ୍ରଶିକ୍ଷକ ନୀଳମାଧବ ଦେଓଙ୍କ ପରାମର୍ଶରେ ଜାଭଲିନ୍‌ ଶିଖିଥିଲେ। ଏବେ ସେ ସବୁ ଇତିହାସ ପାଲଟିଯାଇଛି। ସେଦିନର କିଶୋର ବୟସ୍କ କିଶୋର ଜେନା ଏବେ ତାରକା କିଶୋର କୁମାର ଜେନା। ଓଡ଼ିଶା କ୍ରୀଡ଼ାର କିଂବଦନ୍ତି ପାଲଟିବାକୁ ବି ଅଗ୍ରସର ହେଉଛନ୍ତି ଏହି ୨୮ ବର୍ଷୀୟ ବ୍ରହ୍ମଗିରି ଯୁବକ। ଦୀର୍ଘ ୨ ବର୍ଷ ପରେ ଓଡ଼ିଶା ଫେରିଥିବା କିଶୋର ଶନିବାର କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ଥିବା ଟେନିସ୍ ସେଣ୍ଟର୍ ଅଡିଟୋରିୟମ୍‌ରେ ପ୍ରାୟ ୧୫୦ ଯୁବ ଖେଳାଳିଙ୍କ ସହ ତାଙ୍କ ବିଶ୍ବ ପଦାର୍ପଣ ସଫଳତାର ଅଭିଜ୍ଞତା ବାଣ୍ଟିଥିଲେ।
‘ମୁଁ ଦିନେ କଳିଙ୍ଗ ଷ୍ଟାଡିୟମ୍‌ରେ ଅଭ୍ୟାସ କରୁଥିଲି। ତୁମ ଭଳି ପିଲାଙ୍କ ସହ ମିଶି ଖେଳୁଥିଲି। ଆଜି କେବଳ ତୁମ ଆଗରେ ବସିଛି। ଦେଓ ସାର (ନୀଳମାଧବ ଦେଓ) ଓ ରୁନି ମ୍ୟାମ୍‌ (ରୂପନ୍ବିତା ପଣ୍ଡା)ଙ୍କଠାରୁ ଖେଳ ଶିଖିଥିଲି। ତୁମମାନଙ୍କୁ କେବଳ ଗୋଟିଏ କଥା କହିବି ପରିଶ୍ରମ କର ଏବଂ ଗୁରୁ-ଶିଷ୍ୟ ସମ୍ପର୍କକୁ ଅତୁଟ ରଖ। ଗୁରୁମାନେ ସର୍ବଦା ତୁମ ମଙ୍ଗଳ ଚିନ୍ତା କରନ୍ତି। ତାଙ୍କ ପରାମର୍ଶ ନିହାତି ମାନିବା ଆବଶ୍ୟକ।’’ ବୋଲି କିଶୋର ଯୁବ ପ୍ରତିମାନଙ୍କୁ ତାଙ୍କ ଭାଷଣରେ କହିଥିଲେ। ବୁଦାପେଷ୍ଟ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଭିସା ସମସ୍ୟା ଦେଖାଦେବା ପରେ ମୁଁ ପ୍ରାୟ ୩ ଦିନ (ଅଗଷ୍ଟ ୧୬ ରାତିରୁ ୧୯ ତାରିଖ ରାତି ଯାଏଁ) ଶୋଇ ପାରିନଥିଲି। ଏୟାରପୋର୍ଟ ପହଞ୍ଚିବା ପରେ ନୂଆ ଭିସା ଅପ୍‌ଡେଟ୍‌ ହୋଇନଥିବାରୁ ମଧ୍ୟ ସେମାନେ ଅଟକାଇ ଦେଇଥିଲେ। କିନ୍ତୁ ଏକାଗ୍ରତା ହରାଇନଥିଲି କି ଭାଙ୍ଗି ପଡ଼ିନଥିଲି। ବୁଦାପେଷ୍ଟରେ ମୁଁ ଯୋଗ୍ୟତା ପର୍ଯ୍ୟାୟ ବେଳେ ଗ୍ୟାଲେରି ଆଡ଼କୁ ଦେଖିନଥିଲି। ଏହା ମୋ ଉପରେ ଚାପ ଆଣିବ ବୋଲି ଭାବି ଏଭଳି କରିଥିଲି। ଫାଇନାଲ୍‌ରେ ଯେଉଁ କିଛି ଦୁର୍ବଳତା ରହିଗଲା ମୁଁ ଏସୀୟ କ୍ରୀଡ଼ାରେ ଦୂର କରିବାକୁ ଚେଷ୍ଟା କରିବି ବୋଲି କିଶୋର ପ୍ରକାଶ କରିଥିଲେ। ଆଗଭଳି ଦୈନିକ ସେହି ୨/୩ ଘଣ୍ଟା ଅଭ୍ୟାସ କରୁଛି, କିନ୍ତୁ ଟେକନିକ୍‌ରେ ପରିବର୍ତନ ହିଁ ସଫଳତା ଦେଇଛି। ବ୍ୟକ୍ତିଗତ ଭାବେ ୯୦ ମିଟର୍‌ କଥା ମୁଁ ଏବେଠାରୁ ଟାର୍ଗେଟ କରିନାହିଁ। କିନ୍ତୁ ମୋ ବ୍ୟକ୍ତିଗତ ଶ୍ରେଷ୍ଠ (୮୪.୭୭ ମିଟର୍‌)କୁ ଅତିକ୍ରମ କରିପାରିଲେ ନିଶ୍ଚିତ ଏସୀୟ କ୍ରୀଡ଼ା ପଦକ ଓ ଅଲିମ୍ପିକ୍ସ ଯୋଗ୍ୟତା ମିଳିପାରିବ। କ୍ରୀଡ଼ା ସଚିବ ଆର୍‌ ଭିନିଲ କ୍ରିଷ୍ଣାଙ୍କ ପ୍ରଶ୍ନର ଉତ୍ତର ଦେଇ କିଶୋର କହିଥିଲେ ‘ମୁଁ ବୁଦାପଷ୍ଟେରେ ବଡ଼ ବଡ଼ ଖେଳାଳିଙ୍କ ସହ ଅଂଶଗ୍ରହଣ କରି ଅନେକ କିଛି ଶିଖିଛି। ଏହା ନିଶ୍ଚିତ ମୋତେ ଏସୀୟ କ୍ରୀଡ଼ାରେ ସହାୟକ ହେବ। ନୀରଜ ଜଣେ ବଡ଼ ଖେଳାଳି ହେଲେ ମଧ୍ୟ ସବୁବେଳେ ଜଣେ ସାଧାରଣ ଖେଳାଳି ଭାବେ ଆଚରଣ କରିବା ତାଙ୍କ ବଡ଼ ଗୁଣ’ ବୋଲି କି‌ଶୋର ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ ଦେଲେ ୫୦ ଲକ୍ଷ


ବୁଦାପେଷ୍ଟ୍‌ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାରୁ ଜାଭଲିନ୍‌ ତାରକା କିଶୋର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ଶନିବାର ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ବିଶ୍ବ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ପୂର୍ବ ନିର୍ଧାରିତ ନୀତି ଅନୁସାରେ କି‌ଶୋରଙ୍କୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। କିନ୍ତୁ କିଶୋର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିବା ଏବଂ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୮୪.୭୭ ମିଟର୍‌) ସହିତ ପଞ୍ଚମ ସ୍ଥାନରେ ରହି ପ୍ରଶଂସିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଭାବିତ ହୋଇ ଏହି ପୁରସ୍କାର ରାଶିକୁ ୫୦ ଲକ୍ଷ ଟଙ୍କାକୁ ବଢ଼ାଇ ଦେଇଥିବା କ୍ରୀଡ଼ା ଓ ଯୁବସେବା ସଚିବ ଆର୍‌ ଭିନିଲ୍ କ୍ରିଷ୍ଣା ସ୍ପଷ୍ଟ କରିଛନ୍ତି। ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ଖେଳାଳି ଏଭଳି ସଫଳତା ପାଇଛନ୍ତି। ଏଥିପାଇଁ କିଶୋର କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ନୁ‌ହେଁ ବରଂ ଓଡ଼ିଶା ପାଇଁ ଗର୍ବର କାରଣ। ରାଜ୍ୟର ଅଗଣିତ କ୍ରୀଡ଼ାବିତ୍‌ଙ୍କ ପାଇଁ କିଶୋର ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

‘‘ଓଡ଼ିଶାରୁ ବିଶ୍ବ ଦୌଡ଼କୁଦ କଳ୍ପନା ବାହାରେ ଥିଲା’’
ବିଶ୍ବ ଦୌଡ଼କୁ୍ଦ ପ୍ରତ‌ିଯୋଗିତା ଅଲିମ୍ପିକ୍ସ ଭଳି ବଡ଼ କ୍ରୀଡ଼ା ମଞ୍ଚ। ସେଠାକୁ ଯିବା ଲାଗି ଯୋଗ୍ୟତା ଅର୍ଜନ କରିବା ବଡ଼ କଥା। ସେଠାରୁ ବଡ଼ ଉପଲବ୍‌ଧି ହେଉଛି ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିବା ଏବଂ ଚାପ ପରିସ୍ଥିତି ସତ୍ତ୍ବେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପଞ୍ଚମ ସ୍ଥାନରେ ରହିବା ସବୁଠାରୁ ‌ଉଲ୍ଲେଖନୀୟ। କିଶୋରଙ୍କ ସହ ୩ ଜଣ ଭାରତୀୟ ବିଶ୍ବର ଶ୍ରେଷ୍ଠ ୬ ଜଣରେ ରହିବା ମଧ୍ୟ ଗର୍ବର ବିଷୟ। ଭାରତର ଏଭଳି ପ୍ରାଧାନ୍ୟ ବିସ୍ତାର କରିବା ୪/୫ ବର୍ଷ ପୂର୍ବରୁ କଳ୍ପନା ବାହାର ଥିଲା। ଏପରିକି ଓଡ଼ିଶାରୁ ଜଣେ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଯିବା ଚଳିତ ବର୍ଷ ପର୍ଯ୍ୟନ୍ତ ଚିନ୍ତା କରି ହେଉନଥିଲା ବୋଲି ମତ ପ୍ରକାଶ କରିଥିଲେ କ୍ରୀଡ଼ା ଓ ଯୁବସେବା ସଚିବ ଆର୍‌ ଭିନିଲ କ୍ରିଷ୍ଣା। ଆମ ଖେଳାଳିମାନେ ଜାତୀୟସ୍ତରରେ ପଦକ ଜିତି ଚାକିରି ପାଇଯିବା ପରେ ଆତ୍ମପ୍ରସନ୍ନ ହୋଇଯାଉଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଆଶା ରଖିଥିଲେ ଆମ ଖେଳାଳି ଅନ୍ତର୍ଜାତୀୟସ୍ତରରେ ଭଲ କରି ଦେଶର ଗୌରବ ବଢ଼ାନ୍ତୁ। ଏବେ ଯୁବ ଖେଳାଳିମାନଙ୍କ ପାଇଁ ଓଡ଼ିଶା ସରକାର ସବୁ ପ୍ରକାର ସମର୍ଥନ ଦେଇ ଆସୁଛନ୍ତି। ବିନା ଚିନ୍ତାରେ ସେମାନେ କେବଳ ପରିଶ୍ରମ କରିବା ସହ ଏକାଗ୍ରତାର ସହ ଉଚ୍ଚ ଅଭିଳାଷ ରଖନ୍ତୁ। ପ୍ରାକ୍ଟିସ୍‌…ପ୍ରାକ୍ଟିସ୍‌…ପ୍ରାକ୍ଟିସ୍‌… ହିଁ ତୁମକୁ ସଫଳତା ଦେଇପାରିବ। ଅନ୍ୟ ସବୁ ଦାୟିତ୍ବ ଆମର ବୋଲି ଭିନିଲ୍ କ୍ରିଷ୍ଣା ଘୋଷଣା କରିଥିଲେ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ଅବସରରେ କହିଥିଲେ ନିଷ୍ଠା, ମ‌ନୋବଳ, ଆତ୍ମବିଶ୍ବାସ ବଳରେ ଅସମ୍ଭବକୁ ସମ୍ଭବ କରିହେବ ବୋଲି କିଶୋର ପ୍ରମାଣିତ କରିଛନ୍ତି। ସେ ଅନେକଙ୍କ ସ୍ବପ୍ନକୁ ସାକାର କରିଛନ୍ତି ଏବଂ ଓଡ଼ିଶା ପାଇଁ ଅପାର ସମ୍ଭାବନା ସୃଷ୍ଟି କରିଛନ୍ତି। ବିଶ୍ବର ଶ୍ରେଷ୍ଠ ୫ରେ ରହିବା ପଦକଠାରୁ ବି କିଛି କମ୍ ଗୁରୁତ୍ବପୂର୍ଣ୍ଣ ନୁହେଁ। ମୁଁ ତାଙ୍କର କ୍ରମାଗତ ସଫଳତା କାମନା କରୁଛି।

ସମ୍ବର୍ଦ୍ଧିତ ହେଲେ ଆଦ୍ୟ ଗୁରୁ
ଶନିବାରର ଏହି ଉତ୍ସବ ଅବସରରେ ଯୁବ ଖେଳାଳି ତଥା ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀଙ୍କ ସମ୍ମୁଖରେ କେବଳ କିଶୋରଙ୍କୁ ସମ୍ବର୍ଦ୍ଧିତ କରାଯାଇନଥିଲା। କିଶୋରଙ୍କୁ ଏହି ଛାତ୍ରାବାସରେ ପ୍ରଥମେ ଜାଭଲିନ୍‌ ଶିଖାଇଥିବା ନୀଳମାଧବ ଦେଓ ଏବଂ ଅନ୍ୟତମ ପ୍ରଶିକ୍ଷକ ରୂପନ୍ବିତା ପଣ୍ଡାଙ୍କୁ ମଧ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସମ୍ବର୍ଧିତ କରିଥିଲା। କିଶୋର ଜଣେ ଶାନ୍ତ, ସରଳ, ନିଷ୍ଠାବାନ ଓ ପରିଶ୍ରମୀ ଖେଳାଳି ଥିବାରୁ ଆଜି ଏହି ସଫଳତା ପାଇ ପାରିଛନ୍ତି ବୋଲି ଉଭୟ ପ୍ରଶିକ୍ଷକ ପ୍ରକାଶ କରିଥ‌ିଲେ। କିଶୋର ମଧ୍ୟ ଉଭୟଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ଥିଲା ଭାବବିହ୍ବଳ ମୁହୂର୍ତ୍ତ। କିଶୋରଙ୍କ ପଦାଙ୍କ ଅନୁସରଣ କରିବାକୁ କ୍ରୀଡ଼ା ଛାତ୍ରାବାସ ଅନ୍ତୋବସୀଙ୍କୁ ପରାମର୍ଶ ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦେଶକ ସିଦ୍ଧାର୍ଥ ଦାସ।

 




Related Articles

Leave a Reply

Your email address will not be published. Required fields are marked *

Back to top button